• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ପୌରାଧ୍ୟକ୍ଷାଙ୍କ ଉଦ୍ଧତ ଆଚରଣ। ସର୍ବସମ୍ମୁଖରେ ସରକାରୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ୁଛନ୍ତି ଜଣେ ଜନ ପ୍ରତିନିଧି। ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ଉପରକୁ ଫାଇଲ୍ ଫୋପାଡ଼ୁଛନ୍ତି ବ୍ୟାସନଗରର ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ବ୍ୟାସନଗର ୮ ନମ୍ବର ଓ୍ୱାର୍ଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନିଜସ୍ବ ଜାଗାରେ ମୋବାଇଲ୍ ଟାଓ୍ୱାର୍ ବସାଇବା ପାଇଁ ଏନ୍ଓସି ଦେବାକୁ ନେଇ, ଉତକ୍ଷିପ୍ତ ପୌରାଧ୍ୟକ୍ଷା।

ଅଧିକ ପଢ଼ନ୍ତୁ: ରାଗିକି ଅଫିସର୍‌ଙ୍କ ଉପରକୁ ଫାଇଲ୍‌ ଫିଙ୍ଗିଲେ ପୌରାଧ୍ୟକ୍ଷା, କହିଲେ- ଏଇଠି ବସି ରାଜନୀତି କରୁଛ ?

ଘଟଣା ସଂପର୍କରେ ପଚାରିବାରୁ, ନିର୍ବାହୀ ଅଧିକାରୀ କହିଛନ୍ତି- ନିୟମ ମୁତାବକ ଫିଲ୍ଡ ଭେରିଫିକେସନ୍ ପରେ ଏନ୍ଓସି ଦିଆଯାଇଥିଲା ହେଲେ କେବଳ ଏଥର ନୁହେଁ, ପୁରୁଣା ରାଗ ରଖି ପୂର୍ବରୁ ମଧ୍ୟ ପୌରାଧ୍ୟକ୍ଷା ଦୁର୍ବ୍ୟବହାର କରିଛନ୍ତି। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା କହିଛନ୍ତି- ସେ ଫାଇଲ୍ ଫୋପାଡ଼ି ନଥିଲେ, କେବଳ ଫେରାଇ ଦେଇଥିଲେ।

ପ୍ରକାଶଯୋଗ୍ୟ- ମୋବାଇଲ୍ ଟାଓ୍ୱାର୍ ବସିବା ପାଇଁ କାମ ଆରମ୍ଭ ହୋଇସାରିଥିଲା। ଏନ୍ଓସି ବାତିଲ ହେବା ପରେ, ଏବେ ତାହା ବନ୍ଦ ରହିଛି। ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍ ନେଟଓ୍ୱର୍କ ଓ ଇଣ୍ଟରନେଟ୍ ସମସ୍ୟା ଲାଗି ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।  ତେଣୁ ଟାଓ୍ୱାର୍ ବସିଲେ ସମସ୍ୟା ସୁଧୁରିବ ବୋଲି କିଛି ଲୋକ ଆଶା ରଖିଥିବା ବେଳେ, ଆଉ କିଛି ଜଣ ଟାଓ୍ୱାର୍ ଯୋଗୁଁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ ବୋଲି ଦର୍ଶାଇ, ଏହାକୁ ବିରୋଧ କରୁଛନ୍ତି।

ଅନ୍ୟ ପକ୍ଷରେ ଟାଓ୍ୱାର୍ ବସାଇବାକୁ ଚାହୁଁଥିବା ଆବେଦନକାରୀ କହିଛନ୍ତି, ଆବେଦନପତ୍ରରେ ଓ୍ୱାର୍ଡ କାଉନସିଲରଙ୍କ ସମେତ ବହୁସଂଖ୍ୟକ ବାସିନ୍ଦାଙ୍କ ଦସ୍ତଖତ ଥିଲା। ହେଲେ କିଛି ମୁଷ୍ଟିମେୟ ଲୋକଙ୍କ ଅଭିସନ୍ଧିମୂଳକ ବିରୋଧକୁ ଆଧାର କରି ଟାଓ୍ୱାର୍ ବସାଇବାକୁ ଅନୁମତି ଦିଆନଗଲେ, ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ।

ରୋଚକ କଥା ହେଉଛି, ଫାଇଲ୍ ଫିଙ୍ଗା ଘଟଣା ଅକ୍ଟୋବର ୧୫ର। ଆଉ ତାର ଠିକ୍ ମାସକ ପରେ ଅର୍ଥାତ୍ ଗତକାଲି ନଭେମ୍ବର ୧୫ରେ ଆସିଛି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କର ବଦଳି ଅର୍ଡର୍। ବ୍ୟାସନଗରରୁ ତାଙ୍କୁ ଖଣ୍ଡପଡ଼ାକୁ ବଦଳି ହୋଇଛି। ଏଠି ପ୍ରଶ୍ନ ଏହି ଟ୍ରାନ୍ସଫର୍ ଅର୍ଡର ସହ ଭାଇରାଲ୍ ଭିଡିଓର କିଛି ସଂପର୍କ ନାହିଁ ତ? ଅଧିକାରୀଙ୍କ ଉପରେ ଆକ୍ରୋଶ ରଖି, ପାଓ୍ୱାର୍ ଦେଖାଇଛନ୍ତି କି ଶାସକ ଦଳର ପୌରାଧ୍ୟକ୍ଷା?

ବ୍ୟାସନଗର ଅଞ୍ଚଳରେ ଏବେ ଜୋର୍ ଧରିଛି ଏଭଳି ଅନେକ ଚର୍ଚ୍ଚା। ପୌରାଧ୍ୟକ୍ଷାଙ୍କ ଦୁର୍ବବ୍ୟବହାରକୁ ବ୍ୟାସନଗର ବାସିନ୍ଦା ନାପସନ୍ଦ କରିଥିବା ବେଳେ, ବଦଳି ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ନିର୍ବାହୀ ଅଧିକାରୀ।

(ଯାଜପୁରରୁ ଜନ୍ମେଜୟ ଦାଶଙ୍କ ରିପୋର୍ଟ) 

OTV is now on Whatsapp

Join and get latest news update delivered to you via whatsapp

Join Now