Advertisment

ତିବ୍ବତର ସ୍ୱାଧୀନତା ହିଁ ଚୀନ-ଭାରତ ସୀମା ବିବାଦର ସମାଧାନ!

ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ ଉପରେ ଏହାର ଆଖି ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
Tibet's independence is the solution to the Chin-Indian border dispute

Tibet's independence is the solution to the Chin-Indian border dispute

ଏକଦା ଏକ ସ୍ୱତନ୍ତ୍ର ଦେଶ ଥିବା ତିବ୍ବତ ଏବେ ଚୀନ କବ୍‌ଜାରେ। ବିଶ୍ୱର ଅନେକ ଦେଶ ତିବ୍ବତ ପ୍ରସଙ୍ଗକୁ ଆନ୍ତର୍ଜାତୀୟ ରାଜନୀତିର ଅଂଶ ବୋଲି ଭାବିଥାନ୍ତି । ଚୀନର ବିସ୍ତାରବାଦୀ ନୀତିକୁ ରୋକିବାକୁ ତିବ୍ବତକୁ ପ୍ରସଙ୍ଗ କରିବା ପାଇଁ ଅନେକ ଦେଶ ଏବେ ଚିନ୍ତା କରିବାକୁ ଲାଗିଲେଣି। ରାଜନୀତିର ଗୋଟିଚାଳନାରେ ତିବ୍ବତ ମଧ୍ୟ ଭାରତ ପାଇଁ ମୋହରା ହେବ।

Advertisment

ଏବେ ଚୀନ୍ ଯେପରି ଭାବେ ତାଇୱାନ୍ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସେତେବେଳେ ଆମେରିକା ତିବ୍ବତକୁ ପ୍ରସଙ୍ଗ କରିବ ବୋଲି ସ୍ପଷ୍ଟ ଜଣାପଡ଼ିଗଲାଣି। ଆମେରିକା ନିକସନ୍‌ଙ୍କ ସମୟ ପର୍ଯ୍ୟନ୍ତ ଚୀନ ସହ ଯୁଦ୍ଧ କରୁଥିବା ୭୦୦ ତିବତୀୟ ଯୋଦ୍ଧାଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇଥିଲା ବୋଲି ତଥ୍ୟ କହୁଛି। ଭାରତ ପାଇଁ ତିବ୍ବତ ପ୍ରସଙ୍ଗ ଆନ୍ତର୍ଜାତୀୟ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଭାରତର ଉତ୍ତର ସୀମାର ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗ, ତିବ୍ବତ ଏକ ସ୍ୱତନ୍ତ୍ର ଦେଶଥିଲା ଓ ଭାରତୀୟ ସୀମା ତିବ୍ବତକୁ ଲାଗିଥିଲା କିନ୍ତୁ ଚୀନ୍ ସୀମାକୁ ନୁହେଁ।

ଇତିହାସ ଅନୁସାରେ ଅନେକବାର ଚୀନ୍ ତିବ୍ବତ ମଧ୍ୟରେ ଯୁଦ୍ଧ ହୋଇଛି, କେବେ ଚୀନ ଜିତିଛି ତ କେବେ ତିବ୍ବତ। ନିଜର ପଡ଼ୋଶୀ ଦେଶ ମଞ୍ଚୁରିଆ, ମଙ୍ଗୋଲିଆ, ତୁର୍କୀସ୍ଥାନ ସହ ନିରନ୍ତର ଲଢେଇ କାରଣରୁ ଚୀନର ତତ୍କାଳୀନ ରାଜା ବା ଶାସକମାନେ ଚୀନ୍ ସୀମାରେ ବିରାଟ ପ୍ରାଚୀର ନିର୍ମାଣ କରିଥିଲେ, ଏବେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଚୀନ୍ର ଏହି ପ୍ରାଚୀର ଅନ୍ୟତମ।

Advertisment

ଯଦିଓ ତିବ୍ବତ ଭାରତର ପଡ଼ୋଶୀ ଥିଲା ହେଲେ କେବେବି ଭାରତ ତିବ୍ବତ ମଧ୍ୟରେ ଯୁଦ୍ଧ ହୋଇ ନଥିଲା। ଭାରତ-ଚୀନ ମଧ୍ୟରେ ଅବସ୍ଥିତ ଥିଲା ଏହି ବିଶାଳ ଦେଶ ତିବ୍ବତ। ଭାରତର ଶାସକମାନେ ତିବ୍ବତକୁ ସ୍ୱତନ୍ତ୍ର ଦେଶ ବୋଲି ମାନୁଥିଲେ। ଏପରିକି ପଣ୍ଡିତ ଜବାହରଲାଲ୍ ନେହରୁ ଯାହାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତିବ୍ବତର ଅସ୍ତିତ୍ୱ ଏବଂ ଭବିଷ୍ୟତ ବାଜିରେ ଲାଗିଗଲା ସିଏ ମଧ୍ୟ ତିବ୍ବତକୁ ଏକ ସ୍ୱତନ୍ତ୍ର ଦେଶ ବୋଲି ମାନୁଥିଲେ।

ଦେଶ ସ୍ୱାଧୀନ ହେବା ପରେ ନେହରୁ ଏସୀୟ ଦେଶମାନଙ୍କର ଏକ ସମ୍ମିଳନୀରେ ଆୟୋଜନ କରିଥିଲେ। ଦିଲ୍ଲୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ ତିବ୍ବତ ଏବଂ ଚୀନ୍ ଉଭୟ ଦେଶ ଯୋଗ ଦେଇଥିଲେ। କମ୍ୟୁନିଷ୍ଟମାନେ ଚୀନକୁ ଶାସନ କରିବା ପରେ ୧୯୫୦ରେ ଚୀନ୍ ତିବ୍ବତ ଉପରେ ଆକ୍ରମଣ କରିଥିଲା। ନିଜର ଆନ୍ତର୍ଜାତୀୟ ମହତ୍ୱାକାଂକ୍ଷା ଏବଂ କଳ୍ପନା କାରଣରୁ ନେହରୁ ଚୀନକୁ ସମର୍ଥନ କରିଥିଲେ।

କମ୍ୟୁନିଷ୍ଟମାନେ ଏବେ ବି ଭାବୁଛନ୍ତି ଯେ ଯଦି ଭାରତ ସେତେବେଳେ ଦଲାଇଲାମାଙ୍କୁ ଶରଣ ଦେଇନଥାନ୍ତା ତେବେ ଚୀନ୍ ଭାରତକୁ ଆକ୍ରମଣ କରି ନଥାନ୍ତା ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ରହିଥାନ୍ତା। ଏହା କିନ୍ତୁ ଭୁଲ୍ ଆକଳନ।

ପ୍ରକୃତ କଥା ହେଉଛି ଯଦି ଚୀନ୍ ଭାରତ ସହ ଯୁଦ୍ଧ କରି ଅକସାଇ ଚୀନ (ଚୀନ ଅଧିକୃତ ଭାରତୀୟ ଅଞ୍ଚଳ)କୁ ଜବରଦଖଲ କରି ନଥାନ୍ତା ତେବେ ତିବ୍ବତ ଏବଂ ତୁର୍କୀସ୍ଥାନ (ବର୍ତ୍ତମାନର ସିଂଜିୟାଙ୍ଗ) କୁ ଯୋଡ଼ି ପାରି ନଥାନ୍ତା। ଚୀନ ଅକ୍ତିଆର କରିଥିବା ତିବ୍ବତ ଓ ତୁର୍କୀସ୍ଥାନକୁ ଯୋଡ଼ିବା ପାଇଁ ଲଦାଖର ଅକସାଇ ଚୀନ୍ ଅଞ୍ଚଳ ଚୀନ୍ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା।

ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ ଉପରେ ଏହାର ଆଖି ରହିଛି। ଅରୁଣାଚଳ ପ୍ରଦେଶ ଓ ଲଦାଖକୁ ଚୀନ୍ ତା’ର ଅଂଶ ବୋଲି ଭାବୁଛି।

ଚୀନର ବିସ୍ତାରବାଦୀ ନୀତି ଓ ଦାଦାଗିରୀରୁ ମୁକ୍ତି ପାଇବାକୁ ହେଲେ ତିବ୍ବତର ସ୍ୱାଧୀନତା ଜରୁରୀ। ତିବ୍ବତ ଯଦି ଚୀନ୍ ହାତରୁ ଖସିଯିବ ତେବେ ଭାରତ-ଚୀନ ମଧ୍ୟରେ ଥିବା ସୀମା ବିବାଦ ମଧ୍ୟ ଶେଷ ହୋଇଯିବ । କିନ୍ତୁ ପ୍ରଶ୍ନ ହେଉଛି, ଏହା କଣ ସମ୍ଭବ? ଏହା ମଧ୍ୟ ସମ୍ଭବ ହୋଇପାରେ। କାରଣ ତିବ୍ବତକୁ ଚୀନ ଅକ୍ତିଆର କରିବାର ୭୫ ବର୍ଷ ପରେ ମଧ୍ୟ ତିବ୍ବତୀୟମାନେ ପରାଜୟ ସ୍ୱୀକାର କରିନାହାଁନ୍ତି।

ମଞ୍ଚୁରିଆର ଲୋକମାନେ ପରାଜୟ ସ୍ୱୀକାର କରିନେଇଛନ୍ତି କିନ୍ତୁ ତିବ୍ବତୀୟମାନେ ତିବ୍ବତରେ ଏବଂ ତିବ୍ବତ ବାହାରେ ଚୀନ ସହ ଏବେ ବି ଲଢେଇ ଜାରି ରଖିଛନ୍ତି। ଦଲାଇଲାମାଙ୍କ ଉପରେ ତୀବତୀୟମାନଙ୍କର ସମ୍ପୂର୍ଣ୍ଣ ଆସ୍ଥା ରହିଛି। ଏକଥା ମନେରଖିବା ଆବଶ୍ୟକ ଯେ ତିବ୍ବତରେ ରାଷ୍ଟ୍ର ଏବଂ ରାଷ୍ଟ୍ରୀୟତାର ପ୍ରତୀକ ତିବ୍ବତର ଭୂଭାଗ ନୁହେଁ ବରଂ ଦଲାଇଲାମା ଅଟନ୍ତି।

ତୀବତୀୟଙ୍କର ବିଶ୍ୱାସ ଯେ ପର୍ଯ୍ୟନ୍ତ ଦଲାଇଲାମା ସୁରକ୍ଷିତ ଅଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କର ରାଷ୍ଟ୍ରୀୟତା ସୁରକ୍ଷିତ ରହିଛି। ଏହି କାରଣରୁ ଅନେକ ସମୟରେ ତିବ୍ବତରେ ବିଦ୍ରୋହ ଦେଖାଯାଉଛି । ସବୁଠାରୁ ବଡ଼ କଥା ହେଲା ବିଦ୍ରୋହ କରୁଛନ୍ତି ତିବ୍ବତର ଯୁବାପିଢି ଯେଉଁମାନେ ଦଲାଇଲାମାଙ୍କୁ ବି ଦେଖିନାହାଁନ୍ତି।

ଅନେକଙ୍କୁ ଏକଥା ଜଣାନଥିବ ଯେ ବିଗତ ୫ ବର୍ଷ ମଧ୍ୟରେ ଦେଢଶହରୁ ଅଧିକ ତିବତୀୟ ଯୁବକ ଏବଂ ବୌଦ୍ଧିଭିକ୍ଷୁ ଚୀନର ଆଧିପତ୍ୟକୁ ବିରୋଧ କରି ଆତ୍ମଦାହ କରିଛନ୍ତି। ଏହା ହେଉଛି ବିଶ୍ୱରେ ବିଭିନ୍ନ ସମୟରେ ଘଟିଥିବା ସ୍ୱାଧୀନତା ସଂଗ୍ରାମର ଏକ ବିଲକ୍ଷଣ ଉଦାହରଣ।

ତିବ୍ବତର ସ୍ୱାଧୀନତା ସଂଗ୍ରାମ ଅହିଂସାରେ ଚାଲିଛି। ତୀବତୀୟମାନେ ଆତ୍ମଦାହ କରୁଛନ୍ତି କିନ୍ତୁ ଚୀନ୍ ଅଧିକାରୀଙ୍କ ବିରୁଦ୍ଧରେ ବଳପ୍ରୟୋଗ କରୁ ନାହାଁନ୍ତି। ଚୀନ କିନ୍ତୁ ଚାହୁଁଛି ତୀବତୀୟମାନେ ବଳ ପ୍ରୟୋଗ କରନ୍ତୁ। ତୀବତୀୟମାନେ ଲଢେଇ ବା ବଳ ପ୍ରୟୋଗ କଲେ ଚୀନ୍ ତୀବତୀୟ ଆନ୍ଦୋଳନକୁ ବଳ ପ୍ରୟୋଗ କରି ଭଣ୍ଡୁର କରିଦେବ। କିନ୍ତୁ ତୀବତୀୟଙ୍କ ଅହିଂସା ଶକ୍ତିର ମୁକାବିଲା କରିପାରୁନି ଚୀନ୍।

ଚୀନ୍ ପାଖରେ ସୈନ୍ୟଦଳ ରହିଛି ଯାହାର ମୁକାବିଲା ତୀବତୀୟମାନେ କରିପାରିବେ ନାହିଁ । କିନ୍ତୁ ଭାରତ ଏବେ ଚୀନଠାରୁ କୌଣସି ଗୁଣରେ କମ୍ ନୁହେଁ କିନ୍ତୁ ତୀବ୍ବତ ପ୍ରସଙ୍ଗରେ ଭାରତ ସରକାର ଚୀନ ସହ ସିଧାସଳଖ ଭାବେ ବିବାଦ ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ଏହି କାରଣରୁ ଚୀନ ଫାଇଦା ଉଠାଇ ଉତ୍ତର ସୀମାରେ ଚୀନ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିବାରେ ଲାଗିଛି। ଏପରିକି ଚୀନକୁ ତିବ୍ବତ ସହ ଯୋଡ଼ିବା ପାଇଁ ରେଳଲାଇନ୍ ନିର୍ମାଣ କରିସାରିଲାଣି।

୨୦୧୪ରେ କେନ୍ଦ୍ରରେ ଶାସନ ବଦଳିବା ପରେ ଭାରତ ସରକାର ତାଙ୍କ ନୀତିରେ ପରିବର୍ତ୍ତନ କରିଛନ୍ତି ଓ ଭାରତ-ତିବ୍ବତ ସୀମାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସଂପୂର୍ଣ୍ଣ ହିମାଳୟ ଅଞ୍ଚଳରେ ସଡ଼କ, ପୋଲ ଓ ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି । ଭାରତ ସରକାରଙ୍କ ପରିବର୍ତ୍ତିତ ନୀତିରୁ ଚୀନ ବୁଝିଲାଣି ଯେ ଭାରତୟ ନୀତି ଖାସ୍ ତିବ୍ବତ ପାଇଁ।

ଭାରତ ସରକାର ଲଦାଖକୁ କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା ଦେବା ସମୟରେ ମଧ୍ୟ ସ୍ପଷ୍ଟ ଭାବେ କହିଥିଲେ ଯେ ଲଦାଖରେ ଯେଉଁ ଅଞ୍ଚଳକୁ ଚୀନ୍ ଜବରଦଖଲ କରିଛି ତାକୁ ଭାରତ ସରକାର ଚୀନଠାରୁ ଛଡାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥର ଦଲାଇଲାମାଙ୍କ ଜନ୍ମଦିନକୁ ଭାରତ ସରକାର ମଧ୍ୟ ଅଧିକ ଗୁରୁତ୍ୱ ଦେଇଥିଲେ। ଚୀନ୍ ମଧ୍ୟ ବୁଝିସାରିଲାଣି ଯେ ଭାରତ - ଚୀନ ବିବାଦ ତିବ୍ବତରେ ରହୁଥିବା ତିବ୍ବତୀୟଙ୍କୁ ନୈତିକ ବଳ ଯୋଗାଉଛି।

ବିଜେପିର ମୂଳ ସହଯୋଗୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୯୬୨ରୁ ତିବ୍ବତ ପ୍ରସଙ୍ଗରେ ଭାରତ ସରକାର ସଠିକ୍ ପଦକ୍ଷେପ ନେବା ଉଚିତ ବୋଲି କହିଆସୁଛି। ନେହରୁ ଚୀନର ତିବ୍ବତ ଆକ୍ରମଣ ବେଳେ ଚୀନ୍ ସପକ୍ଷରେ ଠିଆ ହୋଇଥିବା ଭୁଲ୍ ପାଇଁ ଭାରତ ସରକାର ପ୍ରାୟଶ୍ଚିତ କରନ୍ତୁ। ଭାରତ କିନ୍ତୁ ଚୀନଠାରୁ ଅଧିକ ବଳଶାଳୀ ନ ହେବା ପର୍ଯ୍ୟନ୍ତ ଚୀନ୍ କବ୍‌ଜାରୁ ତିବ୍ବତକୁ ମୁକ୍ତ କରିବା ଅସମ୍ଭବ।

ଭାରତ ଏବେ ଚୀନ୍ ସହ ଟକ୍କର ଦେବା ସ୍ଥିତିରେ ପହଞ୍ଚିଲାଣି। ଦେଖାଯାଉ ଭାରତ ସରକାର ଉତ୍ତର ସୀମା ବିବାଦରେ ସମାଧାନ ପାଇଁ ତିବ୍ବତକୁ ପ୍ରସଙ୍ଗ କରୁଛନ୍ତି ନା ନାହିଁ ? ରାମଚନ୍ଦ୍ରପୁର, ରଣପୁର

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

China India Border Tension China India Relation China India Border
Advertisment
Advertisment