• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନର ନୂତନ ଆର୍ମି ଚିଫ୍‌ ହେବେ ସୟଦ ଆସିମ ମୁନୀର । ତାଙ୍କ ନାଁ ଘୋଷଣା ପରେ ଭାରତ ପ୍ରତି ମୁନୀରଙ୍କ ଆଭିମୁଖ୍ୟ କଣ ରହିବ ସେନେଇ ପ୍ରଶ୍ନ ଉଠୁଛି । ଅନ୍ୟପଟେ ମାତ୍ର ପାକିସ୍ତାନ ରାଜନୀତିରେ ତାଙ୍କ ଭୂମିକାକୁ ନେଇ ବି ପ୍ରକାଶ ପାଇଛି କଳ୍ପନାଜଳ୍ପନା । ସେ ଇମ୍ରାନ୍ ଖାନ୍ କି ସାହାବାଜ୍ ସରିଫଙ୍କ ପକ୍ଷ ନେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସେନା ଉପରେ ଘନ ଘନ ଆରୋପ ଲଗାଇ ଚାଲିଛନ୍ତି । ତେଣୁ ମୁନୀର ସିଧାସଳଖ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ନା ନିରପେକ୍ଷ ରହି ଗଣତନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ଦେଉଛନ୍ତି ଏବେ ତା ଉପରେ ନଜର ।

ISI ଡିଜି ଥିବା ବେଳେ ସେତେବେଳର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଅସିମ୍ ମୁନୀରଙ୍କ ବିବାଦ ଚରମସୀମାରେ ପହଞ୍ଚିଥିଲା । ମୁନୀରଙ୍କୁ ପଦରୁ ହଟାଇ ଦେବା ଲାଗି ସେନା ମୁଖ୍ୟ କମର ଜାଭେଦ୍ ବାଜଓ୍ୱାଙ୍କୁ ମନାଇବାରେ ବି ସଫଳ ହୋଇଥିଲେ ଇମ୍ରାନ୍ । ତାସହିତ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ପାକିସ୍ତାନ ସେନା ଉପରେ କ୍ରମାଗତ ଭାବେ ନିଶାନା ସାଧି ଆସୁଛନ୍ତି ଇମ୍ରାନ୍ । ଅନ୍ୟପକ୍ଷରେ ମୁନୀର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସାହାବାଜ୍ ସରିଫଙ୍କର ବି ହେବେନି ବୋଲି କୁହାଯାଉଛି ।

 ପୂର୍ବରୁ କେଉଁ କେଉଁ ଦାୟିତ୍ୱ ତୁଲାଇଛନ୍ତି ଲେଫ୍ଟେନାଣ୍ଟ ଜେନେରାଲ୍ ଅସିମ୍ ମୁନୀର ?

କ୍ୟାରିୟର ଆାରମ୍ଭରେ ମୁନୀର ପାକିସ୍ତାନ ଉତ୍ତରାଞ୍ଚଳରେ ଏକ୍ସ-କୋର୍ର କମାଣ୍ଡର ଭାବେ ଦାୟିତ୍ୱ ତୁଲାଇଥିଲେ । ସାଉଦି ଆରବରେ ସେ ଡିଫେନ୍ସ ଆଟାଚି ଭାବେ ବି କାର୍ଯ୍ୟ କରିଛନ୍ତି । ବାଜ୍ଓ୍ୱାଙ୍କ କାର୍ଯ୍ୟକାଳ ସରିବାର ଦୁଇ ଦିନ ପୂର୍ବରୁ ଲେଫଟନାଣ୍ଟ ଜେନେରାଲ ଭାବେ ମୁନୀର ଅବସର ନେବା କଥା । ତେଣୁ ସେ ନିୟମ ଅନୁସାରେ ସେନା ମୁଖ୍ୟ ହେବା ସମ୍ଭାବନା ନଥିଲା । ମାତ୍ର ପ୍ରଧାନମନ୍ତ୍ରୀ ସେହବାଜ୍ ସରଫି ତାଙ୍କୁ ଏହି ପଦଲାଗି ବାଛିବା ପରେ ସେ ଆଉ ୩ ବର୍ଷ କାର୍ଯ୍ୟ କରିବେ ।

୨୦୧୬ରୁ ୨୦୧୮ ଅକ୍ଟୋବର ଯାଏ ସେ ମିଲିଟାରୀ ଇଣ୍ଟେଲିଜେନ୍ସର ଡିଜି ଥିଲେ । ୨୦୧୮ରେ ତାଙ୍କୁ ISI ଡିଜି ନିଯୁକ୍ତ କରାଯାଇଥିଲା । ତେବେ ପାକିସ୍ତାନର ଅନ୍ୟ ସେନା ମୁଖ୍ୟଙ୍କ ଭଳି ସେ ଆମେରିକା କିମ୍ବା ବ୍ରିଟେନ୍ ସେନାଠୁ ପ୍ରଶିକ୍ଷଣ ନେଇ ନାହାନ୍ତି । ତେବେ ମିଲିଟାରୀ ଇଣ୍ଟେଲିଜେନ୍ସ, ଆଇଏସଆଇ ପରେ ସେନା ମୁଖ୍ୟ ହେବାରେ ସେ ପାକିସ୍ତାନର ମାତ୍ର ଅଳ୍ପ କିଛି ଜଣ ଅଫିସରଙ୍କ ମଧ୍ୟରୁ ଜଣେ ।

୨୦୧୯ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ଅସିମ୍ ମୁନୀର ପାକିସ୍ତାନ ସେନା ମୁଖ୍ୟ ହେବା ପରେ ଭାରତ ସହ କଣ ରହିବ ଆଭିମୁଖ୍ୟ, ତାକୁ ନେଇ ଚର୍ଚ୍ଚା  । ପାକିସ୍ତାନର କୌଣସି ସେନା ମୁଖ୍ୟ ଭାରତ ସହ ଭଲ ସଂପର୍କ ରଖିବାକୁ ଚାହିଁ ନାହାନ୍ତି ।   ମୁନୀର ମଧ୍ୟ ଗୋଟିଏ ଲାଉର ମଞ୍ଜି ବୋଲି କୁହାଯାଉଛି । ତେଣୁ ଆଗାମୀ ୩ ବର୍ଷରେ ଭାରତ-ପାକିସ୍ତାନ ସଂପର୍କରେ କୌଣସି ଉନ୍ନତି ଆସିବା ସମ୍ଭାବନା କମ୍ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

 ୨୦୧୯ ଫେବ୍ରୁଆରୀ ୧୪  ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ଲିଥେପୁରା ସିଆରପିଏଫ୍ ଯବାନଙ୍କ ଭ୍ୟାନକୁ ଟାର୍ଗେଟ କରିଥିଲେ ଆତଙ୍କୀ   । ବିସ୍ଫୋରକ ବୋଝେଇ ଗାଡ଼ିକୁ ଯବାନଙ୍କ ଗାଡ଼ିରେ ପିଟି ଦେବା ଯୋଗୁ ଘଟିଥିଲା ଭୟଙ୍କର ବିସ୍ଫୋରଣ ।  ଏଥିରେ ସହିଦ ହୋଇଥିଲେ ଭାରତୀୟ ସେନମାର ୪୦ ବୀର ଯବାନ  । ଆଉ ଏହି ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ତତ୍କାଳୀନ ଡିଜି ଅସୀମ ମୁନୀର  । ଯିଏ କି ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛନ୍ତି ପାକିସ୍ତାନର ନୂଆ ସ୍ଥଳସେନା ମୁଖ୍ୟ ।

  ପୁଲଓ୍ୱାମା ଆତଙ୍କୀ ହମଲା ପାଇଁ ମୁନୀରଙ୍କ ତତ୍ୱାବଧାନରେ ହିଁ ପୂରା ଷଡ଼ଯନ୍ତ୍ରକୁ ରୂପ ଦିଆଯାଇଥିବା ଅଭିଯୋଗ ରହିଛି   । ସେଇ ମୁନୀର ଏବେ ପାକିସ୍ତାନର ସେନା ମୁଖ୍ୟ ହେବା ପରେ ଭାରତ ପାଇଁ ସୃଷ୍ଟି ହୋଇଛି ଚ୍ୟାଲେଞ୍ଜ । ତେବେ ବିଶେଷଜ୍ଞଙ୍କ କହିବା କଥା ପୁଲଓ୍ୱାମା ଭଳି ଦୁଃସାହସ ଦୋହରାଇବେ ନାହିଁ ମୁନୀର ।  କାରଣ ଆତଙ୍କବାଦୀ ହମଲା ପ୍ରତି ବଦଳିଛି ଭାରତର ଆଭିମୁଖ୍ୟ ।   ତମେ ମାରିଲେ ଆମେ ବି ମାରିବୁ ନୀତିରେ ଭାରତ ଜୋରଦାର ପ୍ରତି ଆକ୍ରମଣ କରୁଥିବାରୁ, ମୁନୀର ଦୁଃସାହସ କରିବା ପୂର୍ବରୁ ୧୦ ଥର ଭାବିବେ ବୋଲି କହିଛନ୍ତି ବିଶେଷଜ୍ଞ । 
  ପୁଲଓ୍ୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ସଂପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା  । ଯୁଦ୍ଧ ଲାଗିଯିବା ଭଳି ଉତ୍ତେଜନା ସୃଷ୍ଟି ହୋଇଥିଲା  ।  ତେଣୁ ମୁନୀରଙ୍କୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞଙ୍କ ମତ ।  ଅନ୍ୟପକ୍ଷରେ ତାଙ୍କ ସମୟରେ ପାକିସ୍ତାନ ସେନାର ଚୀନ୍ ନୀତି ଉପରେ ବି ଭାରତକୁ ନଜର ରଖିବାକୁ ପଡ଼ିବ ।  ପାକିସ୍ତାନର କୌଣସି ସେନା ମୁଖ୍ୟ ଭାରତ ସହ ସଂପର୍କ ସୁଧାରିବାକୁ ପ୍ରୟାସ କରିନାହାନ୍ତି  । ଜେନେରାଲ ପର୍ଭେଜ୍ ମୁଶାରଫଙ୍କ କାର୍ଗିଲ ଷଡ଼ଯନ୍ତ୍ର ଭଳି ଭାରତ ବିରୋଧୀ ପଦକ୍ଷେପ ନେଇ ସ୍ଥିତିକୁ ଆହୁରି ବିଗାଡ଼ିଛନ୍ତି । ତେଣୁ ନୂଆ ସେନାମୁଖ୍ୟ ମୁନୀରଙ୍କଠୁ କିଛି ଭଲ ଆଶା କରିବା ବୃଥା  ।