• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନରେ କମ୍ପିଲା ମଞ୍ଚ, ଶାସ୍ତ୍ରୀୟ ନୃତ୍ୟରେ ଜଲୱା ଦେଖାଇଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଝିଅ ଅନୌକ୍ଷା ସୁନକ । ସେ ଶୁକ୍ରବାର ଦିନ ଅନେକ କୁନି କୁନି ପିଲାଙ୍କ ସହ କୁଚିପୁଡି ନୃତ୍ୟ ପରିବେଷଣ କରିଛନ୍ତି । ଏହା ହେଉଛି ଇଂଲଣ୍ଡରେ ଆୟୋଜନ କରାଯାଉଥିବା ସବୁଠୁ ବଡ଼ ନୃତ୍ୟୋତ୍ସବ । ଯେଉଁଥିରେ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ ପିଢ଼ିର ଲୋକେ ଅଂଶଗ୍ରହଣ କରନ୍ତି ।

ଏହି ଆନ୍ତର୍ଜାତୀୟ କୁଚିପୁଡି ନୃତ୍ୟ ମହୋତ୍ସବରେ ୪-୮୫ ବର୍ଷ ବୟସର ପ୍ରାୟ ୧୦୦ କଳାକାର ଅଂଶଗ୍ରହଣ କରିଥିଲେ । ଏଥିରେ ଲାଇଭ୍‌ ସଂଗୀତକାର, ବରିଷ୍ଠ ନୃତ୍ୟ କଳାକାର (୬୫+ ବର୍ଷ ବୟସ୍କଙ୍କ ପାଇଁ ନୃତ୍ୟ ପ୍ରଦର୍ଶନ ଗୋଷ୍ଠୀ), ହ୍ୱିଲ୍ ଚେୟାର ବସିଥିବା ନୃତ୍ୟଶିଳ୍ପୀ ଆଦି ଭାଗ ନେଇଥିଲେ । ତେବେ ଅନୌକ୍ଷାଙ୍କ ନୃତ୍ୟ ଦେଖିବାକୁ ଆସିଥିଲେ ତାଙ୍କ ମା’ ଅକ୍ଷତା ମୂର୍ତ୍ତି, ‌ଅଜାଆଈ ଓ ଶିକ୍ଷକ ।

ଅନୌକ୍ଷା କହିଛନ୍ତି, କୁଚିପୁଡ଼ି ଓ ନୃତ୍ୟ ଭଲ ଲାଗିବାର ଅନେକ କାରଣ ରହିଛି । ନୃତ୍ୟ କରିବା ବେଳେ ସମସ୍ତ ଦୁଃଶ୍ଚିନ୍ତା ଏବଂ ମାନସିକ ଚାପ ଦୂରେଇ ଯାଏ । ସାଙ୍ଗମାନଙ୍କ ଗହଣରେ ନୃତ୍ୟ କରିବା ପାଇଁ ବେଶ୍ ଭଲଭାଗେ, ମନ ପ୍ରଫୁଲ୍ଲିତ ହୋଇଯାଏ ।

ସୂଚନାଯୋଗ୍ୟ ବ୍ରିଟେନରେ ରିଷି ସୁନକ୍‌ ହେଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଅଣଶ୍ୱେତାଙ୍ଗ ଏବଂ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ପଞ୍ଜାବର ମୂଳ ବାସିନ୍ଦା ସୁନକ୍ ପରିବାର ବିଗତ ତିନି ପିଢ଼ି ଧରି ବ୍ରିଟେନ୍‌ରେ ରହି ଆସୁଛନ୍ତି । ଅବିଭାଜିତ ଭାରତରୁ ପ୍ରଥମେ କେନିୟା ଓ ସେଠାରୁ ୬୦ ଦଶକରେ ବ୍ରିଟେନକୁ ସ୍ଥାନାନ୍ତର ହୋଇଥିଲେ ତାଙ୍କ ପରିବାର । ରିଷି ସୁନନଙ୍କ ବାପା ୟଶବୀର ଜଣେ ଅବସରପ୍ରାପ୍ତ ଡାକ୍ତର ଓ ମାଆ ଉଷା ଜଣେ ଫାର୍ମାସିଷ୍ଟ । ୪୨ ବର୍ଷ ବୟସରେ ରିଷି ସୁନକ ୨୦୦ ବର୍ଷର ସବୁଠାରୁ କନିଷ୍ଠ ବ୍ରିଟିଶ ପ୍ରଧାନମନ୍ତ୍ରୀ ।