• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

୨୦୨୨ର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ବା World Health Day ର ଥିମ୍ ବିଷୟରେ ଲେଖିଲା ବେଳେ ('ଆୱାର ପ୍ଲାନେଟ୍, ଆୱାର ହେଲ୍‌ଥ୍'; ୧୦ ଅପ୍ରେଲ, ୨୦୨୨ରେ ପ୍ରକାଶିତ) ମୁଁ କହିଥିଲି ଯେ WHO (ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ) ସମୁଦାୟ ଏଗାରଟି Global Health Campaign ଉପରେ କାମ କରେ, ଯଥା ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ଯକ୍ଷ୍ମା ଦିବସ, ବିଶ୍ୱ ଟୀକାକରଣ ସପ୍ତାହ, ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ତମାଖୁ ମୁକ୍ତ ଦିବସ, ବିଶ୍ୱ ରକ୍ତଦାତା ଦିବସ, ବିଶ୍ୱ ଏଡ୍ସ ଦିବସ, ବିଶ୍ୱ ଚାଗାସ ଡିଜିଜ୍ ଦିବସ, ବିଶ୍ୱ ରୋଗୀ ସୁରକ୍ଷା ଦିବସ, ବିଶ୍ୱ ଆଣ୍ଟିମାକ୍ରୋବିଆଲ୍‌ ସଚେତନତା ସପ୍ତାହ, ବିଶ୍ୱ ହେପାଟାଇଟିସ୍ ଦିବସ।

ସେଗୁଡିକ ପାଇଁ WHO ବର୍ଷର ଅଲଗା ଅଲଗା ଦିନ ସବୁ ନିର୍ଦ୍ଧାରିତ କରିଛି। ଏହି ଏଗାରଟି ଦିନ ଭିତରୁ ଏଇ ଜୁଲାଇ ମାସ ୨୮ ତାରିଖକୁ ପ୍ରତିବର୍ଷ ବିଶ୍ୱ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ, ବିଶ୍ୱବାସୀଙ୍କୁ କେବଳ ହେପାଟାଇଟିସ୍ ବିଷୟରେ ସଚେତନ କରେଇବା ନୁହେଁ ବର° ଏହାର ଉପଲବ୍ଧ ଚିକିତ୍ସା ପଦ୍ଧତି ଓ ଟିକାକରଣକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ମଧ୍ୟ।

୨୦୧୦ ମସିହା, ମେ ମାସରେ WHOର ୬୩ତମ World Health Assemblyରେ ସର୍ବସମ୍ମତି କ୍ରମେ ୨୮ ଜୁଲାଇକୁ ବିଶ୍ୱ ହେପାଟାଇଟିସ୍ ଦିବସ ହିସାବରେ ବଛା ଯାଇଥିଲା। କାରଣ ୧୯୨୫ ମସିହାର ଠିକ ଏହି ଦିନରେ ଡା. ବାରୁକ ବ୍ଲମ୍‌ବର୍ଗ (Baruch Samuel Blumberg) ଜନ୍ମଗ୍ରହଣ କରିଥିଲେ । ୧୯୬୭ ମସିହାରେ ଡା. ବାରୁକ ବ୍ଲମ୍‌ବର୍ଗ ହିଁ ହେପାଟାଇଟିସ୍ B ଭୂତାଣୁକୁ ଆବିଷ୍କାର କରିଥିଲେ ଏବଂ ଏହାର ଦୁଇ ବର୍ଷ ପରେ ହେପାଟାଇଟିସ୍ B ଟୀକା ନିର୍ମାଣ କରିବାରେ ସଫଳ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ନୋବେଲ୍‌ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା। ହେପାଟାଇଟିସ୍ B ଭୂତାଣୁକୁ ଚିହ୍ନଟ କରିବାର ପରୀକ୍ଷା ପ୍ରଣାଳୀ ମଧ୍ୟ ଡା. ବାରୁକଙ୍କ ଦ୍ୱାରା ହିଁ ଆବିଷ୍କୃତ।

ହେପାଟାଇଟିସ୍ ହେଉଛି ଯକୃତ ବା liver କୋଷର ପ୍ରଦାହ। ହେପାଟାଇଟିସ୍ ରୋଗରେ ଆକ୍ରାନ୍ତ କେତେକ ଲୋକଙ୍କର କୌଣସି ଲକ୍ଷଣ ନଥିବା ସ୍ଥଳରେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଚର୍ମ ଏବଂ ଆଖିର ଧଳାଅ°ଶ ହଳଦିଆ ରଙ୍ଗ(ଜଣ୍ଡିସ୍), ଭୋକ ନ ଲାଗିବା, ବାନ୍ତି, ଥକାପଣ, ପେଟ ଯନ୍ତ୍ରଣା ଏବଂ ପତଳା ଝାଡା ଦେଖାଯାଏ। ଯଦି ହେପାଟାଇଟିସ୍ ୬ ମାସ ମଧ୍ୟରେ ଠିକ ହୋଇଯାଏ ତେବେ ତାକୁ ଆକ୍ୟୁଟ୍ ହେପାଟାଇଟିସ୍ କୁହାଯାଏ। ଛଅ ମାସରୁ ଊର୍ଦ୍ଧ୍ଵ ରହୁଥିବା ହେପାଟାଇଟିସ୍‌କୁ କ୍ରନିକ୍ ହେପାଟାଇଟିସ୍ କୁହାଯାଏ।

ଆକ୍ୟୁଟ୍ ହେପାଟାଇଟିସ୍ ସାଧାରଣତଃ ସେଲ୍ଫ ଲିମିଟି° ବା ଆପେ ଆପେ ଠିକ୍ ହୋଇଥାଏ। କିନ୍ତୁ କ୍ରନିକ୍ ହେପାଟାଇଟିସ୍ ଜଟିଳ ହୋଇ ଯକୃତ କୋଷରେ କ୍ଷତ (ସିରୋସିସ୍), ଯକୃତ ବିଫଳତା (ଫେଲ୍ୟୋର୍) ଏବଂ ଯକୃତ କର୍କଟ (କ୍ୟାନସର) ମଧ୍ୟ କରିପାରେ।

ହେପାଟାଇଟିସ୍ ସାଧାରଣତଃ ହେପାଟାଇଟିସ୍ A, B, C, D ଏବଂ E ଭୂତାଣୁ ଦ୍ୱାରା ହୋଇଥାଏ। ଏହାଛଡ଼ା ଅନ୍ୟ କେତେକ ଭୂତାଣୁ, ଯେମିତିକି ସାଇଟୋମେଗାଲୋ ଭାଇରସ୍, ଏପଷ୍ଟିନ୍-ବାର୍‌ ଭାଇରସ୍ ଓ ୟେଲୋ ଫିଭର୍‌ ଭାଇରସ୍ ମଧ୍ୟ ହେପାଟାଇଟିସ୍ କରାଇ ପାରନ୍ତି। ମଦ୍ୟପାନ, କେତେକ ଔଷଧୀୟ ଓ ଅନ୍ୟ ରାସାୟନିକ ଦ୍ରବ୍ୟର କୁପ୍ରଭାବ (toxicity), ଅଟୋଇମ୍ୟୁନ୍ ଡିଜିଜ୍ ମଧ୍ୟ ହେପାଟାଇଟିସ୍‌ର କାରଣ ହୋଇପାରେ। ହେପାଟାଇଟିସ୍ A ଓ E ସାଧାରଣତଃ ଦୂଷିତ ଖାଦ୍ୟ ଓ ପାଣି ଦ୍ୱାରା ବ୍ୟାପିଥାଏ।

ଯଦିଓ ଡାଟା ଅନୁସାରେ ଅସୁରକ୍ଷିତ ଯୌନସମ୍ପର୍କ ହେପାଟାଇଟିସ୍ B ସ°କ୍ରମଣର ମୁଖ୍ୟ କାରଣ କିନ୍ତୁ ଗର୍ଭଧାରଣ ଓ ପ୍ରସବ ସମୟରେ ସ°କ୍ରମିତ ମା' ଠାରୁ ଶିଶୁକୁ, ସ°କ୍ରମିତ ରକ୍ତ ଗ୍ରହଣ, ସ°କ୍ରମିତ ଛୁଞ୍ଚି (ସ୍ୱାସ୍ଥ୍ୟକର୍ମୀ ଓ ଡ୍ରଗ- ଆଡିକ୍ଟ) ମଧ୍ୟ ସ°କ୍ରମଣର ମାଧ୍ୟମ ହୋଇଥାଏ। ହେପାଟାଇଟିସ୍ C ସାଧାରଣତଃ ସ°କ୍ରମିତ ରକ୍ତ ଓ ଛୁଞ୍ଚିରୁ ବ୍ୟାପିଥାଏ।

ହେପାଟାଇଟିସ୍ D କେବଳ ହେପାଟାଇଟିସ୍ B ସଂକ୍ରମିତ ଲୋକଙ୍କୁ ସଂକ୍ରମିତ କରିପାରେ। ହେପାଟାଇଟିସ୍ A, B ଏବଂ D ଟୀକାକରଣ ଦ୍ୱାରା ରୋକାଯାଇପାରେ। ଉଭୟ ହେପାଟାଇଟିସ୍ B ଓ C ଜୀବନବ୍ୟାପି ଆକ୍ରାନ୍ତ କରିରଖେ। କିନ୍ତୁ ପ୍ରସ୍ତାବିତ ଆଣ୍ଟିଭାଇରାଲ୍ ଔଷଧର ନିୟମିତ ସେବନ ଦ୍ୱାରା ହେପାଟାଇଟିସ୍ C ରୁ ସମ୍ପୂର୍ଣ୍ଣ ଆରୋଗ୍ୟ ମିଳେ।

ସେହିପରି କ୍ରନିକ ହେପାଟାଇଟିସ୍ B ର ଲକ୍ଷଣ ଓ ରୋଗର ଜଟିଳତାକୁ ରୋକିବା ପାଇଁ ଔଷଧ ସେବନ କରାଯାଏ। WHO ର ତଥ୍ୟ ଅନୁସାରେ ବିଶ୍ବରେ ପାଖାପାଖି ୩୫୪ ମିଲିଅନ୍ ଲୋକ ହେପାଟାଇଟିସ୍ B କିମ୍ବା C ଦ୍ଵାରା ସ°କ୍ରମିତ। ବିଶ୍ୱରେ ପ୍ରତିଦିନ ପାଖାପାଖି ୩୦୦୦ ଲୋକଙ୍କର ହେପାଟାଇଟିସ୍ B କିମ୍ବା C କାରଣରୁ ମୃତ୍ୟୁ ହୋଇଥାଏ। ବିଶ୍ୱରେ ପାଖାପାଖି ୫୮ ମିଲିଅନ୍ ଲୋକ କ୍ରନିକ ହେପାଟାଇଟିସ୍ C ଦ୍ଵାରା ସ°କ୍ରମିତ ଥିବା ସ୍ଥଳେ ପ୍ରତିବର୍ଷ ପାଖାପାଖି ୧.୫ ମିଲିଅନ୍ ନୂତନ ସ°କ୍ରମିତଙ୍କ ସ°ଖ୍ୟା ଏଥିରେ ଯୋଗ ହୋଇଥାଏ। ସେଥିରୁ ପାଖାପାଖି ୯୦% ଲୋକ ଏହା ଦ୍ୱାରା ସ°କ୍ରମିତ ହେବା ବିଷୟରେ ଆଦୌ ଜାଣନ୍ତି ମଧ୍ୟ ନାହିଁ।

ହେପାଟାଇଟିସ୍ ଏପିଡେମିକ୍‌କୁ ଦେଖିଲେ ଜଣାଯାଏ ଯେ ବିଶ୍ୱ ଜନସ°ଖ୍ୟାର ଏକ-ତୃତୀୟା°ଶ ହେପାଟାଇଟିସ୍ ଦ୍ୱାରା ଆକ୍ରାନ୍ତ ଓ ସେଥିରୁ ପଖାପାଖି ୫% କ୍ରନିକ୍‌ କ୍ୟାରିଅର୍‌ ଏବଂ ଏଥିରୁ ଏକ-ଚତୁର୍ଥାଂଶ ଘାତକ ଓ ଭୟାବହ ଜଟିଳତା ଭୋଗନ୍ତି।

ଏହାକୁ ନଜରରେ ରଖି ଗତବର୍ଷ (୨୦୨୧) ବିଶ୍ୱ ହେପାଟାଇଟିସ୍ ଦିବସର ଥିମ୍ ଥିଲା "ହେପାଟାଇଟିସ୍ କାଣ୍ଟ୍‌ ୱେଟ୍"। ଅର୍ଥାତ କାହାକୁ ସ°କ୍ରମିତ କରିବା ପାଇଁ ହେପାଟାଇଟିସ୍ କୌଣସି ସୁଯୋଗ ବା ସମୟକୁ ଅପେକ୍ଷା କରେନି। ଅସୁରକ୍ଷିତ ଯୌନସମ୍ପର୍କ, ସ°କ୍ରମିତ ରକ୍ତ ଓ ଛୁଞ୍ଚି କିମ୍ବା ସ°କ୍ରମିତ ମା' ଠାରୁ ଶିଶୁ କିମ୍ବା ସ°କ୍ରମିତ ଖାଦ୍ୟ-ପାନୀୟରୁ ବ୍ୟାପୁଥିବା ହେପାଟାଇଟିସ୍ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁ ଟାର୍ଗେଟ୍‌ ନ କରି କାହାକୁ ବି ହୋଇପାରେ।

୨୦୩୦ ସୁଧା ହେପାଟାଇଟିସ୍ ଦୂର କରିବାର ଲକ୍ଷ୍ୟ ରଖିଥିବା WHO ତେଣୁ ଗତବର୍ଷ "ହେପାଟାଇଟିସ୍ କାଣ୍ଟ୍ ୱେଟ୍" ମାଧ୍ୟମରେ ହେପାଟାଇଟିସ୍‌ର ଉପଲବ୍ଧ ଚିକିତ୍ସା ଓ ଟୀକାକରଣକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲା। କିନ୍ତୁ ବିଶ୍ୱରେ ଯେଉଁଠି ହେପାଟାଇଟିସ୍ ପ୍ରତି ୩୦ ସେକେଣ୍ଡରେ ଗୋଟିଏ ଜୀବନ ନେଉଛି ସେଠି ହେପାଟାଇଟିସ୍‌ର ଲକ୍ଷଣ ଓ ଚିକିତ୍ସା କିମ୍ବା ନିଜର ପରିସ୍ଥିତି ଅନୁସାରେ ସ°କ୍ରମିତ ହେବାର ସମ୍ଭାବନା ବିଷୟରେ ଭାବିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ପରୀକ୍ଷା କରାଇ ନେବାକୁ ଗୁରୁତ୍ୱ ଦେଇ ୨୦୨୨ରେ WHO "ଆଇ କାଣ୍ଟ୍ ୱେଟ୍" କୁ ଥିମ୍ ଭାବରେ ବାଛିଛି। "ଆଇ କାଣ୍ଟ୍ ୱେଟ୍" ର ମୂଳ ଉଦ୍ଦେଶ୍ୟ, ଅଧିକରୁ ଅଧିକ ଲୋକଙ୍କ ପାଖରେ ହେପାଟାଇଟିସ୍‌ର ସ୍କ୍ରିନି° ବା ପରୀକ୍ଷଣ ବା ଟେଷ୍ଟ୍‌ର ସୁବିଧାକୁ ପହଞ୍ଚାଇବା। ଅଧିକ ଲୋକ ନିଜ ତରଫରୁ ଟେଷ୍ଟ୍‌ ପାଇଁ ଆଗଭର ହେବା ଓ ଟୀକାକରଣକୁ ଗୁରୁତ୍ୱ ଦେବା।

ହେପାଟାଇଟିସ୍ ପାଇଁ ଉପଲବ୍ଧ ଚିକିତ୍ସା, ଯତ୍ନ, ନିରାକରଣର ସୁବିଧାକୁ ପ୍ରାଥମିକ (ପ୍ରାଇମେରୀ) ଓ ଗୋଷ୍ଠୀ (କମ୍ୟୁନିଟି) ସ୍ତରରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ହେଉଛି ୨୦୨୨ର ବିଶ୍ୱ ହେପାଟାଇଟିସ୍ ଦିବସର ଲକ୍ଷ୍ୟ। ୨୦୩୦ ସୁଧା ହେପାଟାଇଟିସ୍‌ର ସମ୍ପୂର୍ଣ୍ଣ ମୂଳତ୍ପାଟନର ଲକ୍ଷ୍ୟ ରଖି ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ବିଶ୍ୱର ସମସ୍ତ ଦେଶମାନଙ୍କୁ ନିମ୍ନୋକ୍ତ କେତୋଟି ଲକ୍ଷ୍ୟକୁ ଆଖିରେ ରଖି ପ୍ରୟାସ କରିବାକୁ ଆହ୍ୱାନ ଜଣାଇଛି :

  • ହେପାଟାଇଟିସ୍ B ଓ C ର ନୂତନ ସ°କ୍ରମଣକୁ ୯୦% ପର୍ଯ୍ୟନ୍ତ ଖସାଇବା;
  • ହେପାଟାଇଟିସ୍‌ଜନିତ ଲିଭର୍‌ ସିରୋସିସ୍ ଓ କର୍କଟ କାରଣରୁ ହେଉଥିବା ମୃତ୍ୟୁକୁ ୬୫% କମାଇବା;
  • ଅତି କମରେ ହେପାଟାଇଟିସ୍ B ଓ C ଦ୍ୱାରା ସ°କ୍ରମିତ ୯୦% ରୋଗୀଙ୍କୁ ଚିହ୍ନଟ କରିବା;
  • ଚିହ୍ନଟ ହୋଇଥିବା ୮୦% ରୋଗୀଙ୍କୁ ଚିକିତ୍ସା ଉପଲବ୍ଧ କରାଇବା।

ଆଇ କାଣ୍ଟ ୱେଟ୍ (ମୁଁ ଅପେକ୍ଷା କରିପାରିବି ନାହିଁ) : ଭାଇରାଲ୍ ବା ଭୂତାଣୁଜନିତ ହେପାଟାଇଟିସ୍‌ର ଅଧିକରୁ ଅଧିକ ସ୍କ୍ରିନି° ବା ଟେଷ୍ଟି° ବା ପରୀକ୍ଷଣ କରାଇ, ସ°କ୍ରମିତ ବ୍ୟକ୍ତିର ଶୀଘ୍ର ଓ ସଠିକ ଚିକିତ୍ସାକୁ ନିଶ୍ଚିତ ଓ ତୀବ୍ର କରିବା ହେଉଛି 'ଆଇ କାଣ୍ଟ ୱେଟ୍' ୨୦୨୨ ବିଶ୍ୱ ହେପାଟାଇଟିସ୍ ଦିବସର ଥିମ୍‌ର ଲକ୍ଷ୍ୟ। କେବଳ ଚିକିତ୍ସା ପଦ୍ଧତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ହିଁ ଏହାର ଉଦ୍ଦେଶ୍ୟ ନୁହେଁ, ବର° ସଠିକ୍ ସମୟରେ ପରୀକ୍ଷା କରି, ଚିକିତ୍ସା କରି, ସ°କ୍ରମିତ ବ୍ୟକ୍ତିଙ୍କୁ ଗୋଟିଏ ସୁନ୍ଦର ଓ ସୁସ୍ଥ ଶାରୀରିକ, ମାନସିକ ଓ ସାମାଜିକ ଜୀବନ ଦେବା ମଧ୍ୟ ଏହାର ଲକ୍ଷ୍ୟ।

ସ°କ୍ରମଣର ଚିହ୍ନଟ ପରେ ବ୍ୟକ୍ତି ଜଣକ ଭୋଗୁଥିବା ସାମାଜିକ ତାଚ୍ଛଲ୍ୟ ଓ ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ ମଧ୍ୟ ଏହାର ଅନ୍ୟ ଉଦ୍ଦେଶ୍ୟ। କେବଳ କୌଣସି ଅନୁଷ୍ଠାନ କିମ୍ବା ସ°ସ୍ଥାର ପ୍ରୟାସକୁ ଅପେକ୍ଷା ନ କରି ବିଶ୍ୱବାସୀ କେମିତି ନିଜେ ବ୍ୟକ୍ତିଗତ ସ୍ତରରେ ଭାଇରାଲ୍ ହେପାଟାଇଟିସ୍ ବିରୁଦ୍ଧରେ ଲଢିପାରିବେ ଓ ଏହାର ସ°କ୍ରମଣକୁ ରୋକିପାରିବେ ହେଉଛି ‘ଆଇ କାଣ୍ଟ୍‌ ୱେଟ୍‌’ର ଅର୍ଥ ଓ ଉଦ୍ଦେଶ୍ୟ।

କେମିତି ପ୍ରତ୍ୟେକ ବ୍ୟକ୍ତି ହେପାଟାଇଟିସ୍ ବିରୋଧରେ ଲଢେଇ କରିବା ପାଇଁ ଅପେକ୍ଷା କରିବେ ନାହିଁ (WHO ଦ୍ଵାରା ଜାରି):

  • ହେପାଟାଇଟିସ୍‌ର ସ°କ୍ରମଣର ଆଶଙ୍କା ଓ ସ°କ୍ରମିତ ଥାଇ ଜାଣି ନଥିବା ବ୍ୟକ୍ତି ସ୍କ୍ରିନି° ବା ପରୀକ୍ଷା ପାଇଁ ଅପେକ୍ଷା କରିପାରିବେ ନାହିଁ (ଅପେକ୍ଷା କରିବା ଅନୁଚିତ)।
  • ହେପାଟାଇଟିସ୍ ସ°କ୍ରମିତ ଓ ପୀଡ଼ିତ ବ୍ୟକ୍ତି ଜୀବନ ରକ୍ଷାକାରୀ ଚିକିତ୍ସା ପାଇଁ ଅପେକ୍ଷା କରିପାରିବେ ନାହିଁ (ବଞ୍ଚିତ ରହିବା ଅନୁଚିତ)
  • ଗର୍ଭବତୀ ମହିଳାମାନେ ସ୍କ୍ରିନି° ବା ପରୀକ୍ଷା ଓ ଚିକିତ୍ସା ପାଇଁ ଅପେକ୍ଷା କରିପାରିବେ ନାହିଁ (ତୁରନ୍ତ ଚିକିତ୍ସା ଦ୍ଵାରା ହେପାଟାଇଟିସ୍ ସ°କ୍ରମଣର ଚେନ୍‌କୁ ଭଙ୍ଗାଯାଇ ପାରିବ)
  • ନବଜାତ ଶିଶୁ ନିଜର ପ୍ରଥମ ହେପାଟାଇଟିସ୍ ଟୀକା ପାଇଁ ଅପେକ୍ଷା କରିପାରିବ ନାହିଁ (ପାଖାପାଖି ୪୨% ନବଜାତ ଶିଶୁ ହେପାଟାଇଟିସ୍ ଟୀକା ପାଇପାରୁଛନ୍ତି)
  • ହେପାଟାଇଟିସ୍ ଦ୍ୱାରା ପୀଡିତ ବ୍ୟକ୍ତି ଭେଦଭାବ ଓ ତାଚ୍ଛଲ୍ୟକୁ ଅପେକ୍ଷା କରିପାରିବେ ନାହିଁ (ଅର୍ଥାତ ସାମାଜିକ ଭେଦଭାବକୁ ଡରି ପରୀକ୍ଷା ଓ ଚିକିତ୍ସା ନ କରାଇ ଲୁଚାଇ ରଖିବା ଦ୍ଵାରା ଭଲ ହୋଇପାରିବାର ଥିବା ସମ୍ଭାବନା କ୍ଷୀଣ ହୋଇଯାଏ)
  • କୌଣସି ଗୋଷ୍ଠୀ ବା ସମାଜ ଅନ୍ୟ କୌଣସି ବଡ ସ°ସ୍ଥାର ସାହାଯ୍ୟକୁ ଅପେକ୍ଷା କରି ରହିପାରିବ ନାହିଁ (ନିଜ ଜାଗା ଓ ଲୋକଙ୍କ ମଧ୍ୟରେ ନିଜକୁ ସଚେତନତା ଆଣିବାକୁ ପଡିବ)
  • ସମସ୍ତ ଦେଶର ସରକାର ଓ ନିର୍ଣ୍ଣୟକାରୀ ସ°ସ୍ଥାଗୁଡିକ ନିଜ ଇଲାକାରେ ହେପାଟାଇଟିସ୍ ସଚେତନତା, ପରୀକ୍ଷା, ଚିକିତ୍ସା କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିପାରିବେ ନାହିଁ, ବର° ଠୋସ ପଦକ୍ଷେପ ନେବାକୁ ହିଁ ପଡିବ।