• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସାଂପ୍ରତିକ ପରିସ୍ଥିତିରେ ଆତଙ୍କବାଦ କ୍ଷେତ୍ରରେ ଆଉ ଏକ ନୂଆ ଶବ୍ଦ ବ୍ୟବହୃତ ହେଉଥିବା ଲକ୍ଷ କରାଯାଉଛି। ଏହି ଶବ୍ଦ ହେଉଛି ହ୍ରାଇବ୍ରିଡ୍ ଆତଙ୍କବାଦ। ଯେବେଠାରୁ ସୀମା-ପାର ପ୍ରଯୋଜିତ ଆତଙ୍କବାଦ ବିରୁଦ୍ଧରେ ବିଶେଷ ଅଭିଯାନ ଚାଲୁରହିଛି ତାଲିମପ୍ରାପ୍ତ ଅତଙ୍କବାଦୀ, ବିଛିନ୍ନତାବାଦୀଙ୍କ ଅନୁପ୍ରବେଶ ଉପରେ ଲଗାମ ବି କଷାଯାଇଛି। ତେବେ ଏ ଲଗାମ ଦ୍ୱାରା ଆତଙ୍କବାଦ ବିପତ୍ତି ଟଳି ନଥିବା ଜଣାପଡିଛି। ଏବେ ଏହାର ରୂପ ପୂର୍ବାପେକ୍ଷା ଆହୁରି ଉଗ୍ର ତଥା ସାଂଘାତିକ ହେବାରେ ଲାଗିଛି। ଆତଙ୍କବାଦୀଙ୍କ ରକ୍ତର ହୋଲିଖେଳ ସୀମା ଆରପଟୁ ସଂଚାଳିତ ହେଉଥିଲେ ହେଁ ଏହାର ରୂପ ସଂପୂର୍ଣ୍ଣ ଭାବେ ବଦଳିଯାଇଛି।

ଆଗ ଭଳି ଏବେ ଆତଙ୍କବାଦୀ ଓ ବିଛିନ୍ନତାବାଦୀଙ୍କୁ ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ର ଓ ମାରାଣାସ୍ତ୍ରରେ ସୁସଜ୍ଜିତ ହେବା ଦେଖିବାକୁ ମିଳୁନାହିଁ। ଏପରିକି ପ୍ରାଣାନ୍ତକ ବିସ୍ଫୋରକ ସମାଗ୍ରୀ ଯୋଗାଣ ଶୃଙ୍ଖଳ ଆମ ନଜରକୁ ଆସୁନାହିଁ। ଏଭଳି ପରିସ୍ଥିତିରେ ଏବେ ଆତଙ୍କବାଦ ରପ୍ତାନିକାରୀମାନେ ନିଜର ଗୁପ୍ତତରିକା ଓ ରଣ-କୌଶଳ ଏକପ୍ରକାର ବଦଳାଇ ସାରିଲେଣି। ସଂପ୍ରତି ବେକାରୀ ଯୁବଗୋଷ୍ଠୀଙ୍କୁ ପ୍ରଚୁର ଟଙ୍କା ପଇସା ଓ ରୋଜଗାରର ଲାଳସା, ପ୍ରଲୋଭନ ଦେଖାଇ ପ୍ରତ୍ୟକ୍ଷ ଭାବରେ ସେମାନଙ୍କ ହାତରେ ପିସ୍ତଲ ଧରାଇ ଦିଆଯାଉଛି। ଆଉ ଇପ୍‌ସିତ ହତ୍ୟା(ଟାର୍ଗେଟ୍ କିଲିଂ)ର ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଉଛି। ଦୃଢ ପ୍ରତିଶ୍ରୁତି ବି ଦିଆଯାଉଛି ଯେ କାମ ପୂରା ହୋଇଗଲା ପରେ ଆକର୍ଷଣୀୟ ସ୍ଥିରୀକୃତ ପ୍ୟାକେଜ୍ ପ୍ରଦାନ କରାଯିବ।

ଏଭଳି ଆତଙ୍କବାଦକୁ ଏବେ ହାଇବ୍ରିଡ୍‌ ଆତଙ୍କବାଦର ଆଖ୍ୟା ଦିଆଯାଇଛି। ଏ କିସମର ଆତଙ୍କୀମାନେ ସାଦା ପୋଷାକ ପରିଧାନ କରିଥାନ୍ତି। ଏମାନଙ୍କ ପକେଟ୍‌ରେ କେବଳ ଲକ୍ଷ ନାମର ପତ୍ରଟିଏ ଥାଏ ଆଉ ପାରିଶ୍ରମିକ ବାବଦ ଟଙ୍କା ବି ସେଥିରେ ଲେଖା ହୋଇଥାଏ। ଏ ପ୍ରକାର ହାଇବ୍ରିଡ୍‌ ଆତଙ୍କବାଦୀଙ୍କର ଚିହ୍ନବର୍ଣ୍ଣ ସହଜରେ ନ ଥାଏ। ଏପରିକି ଏମାନଙ୍କ ବିରୁଦ୍ଧରେ ଠୋସ ପ୍ରମାଣସିଦ୍ଧ ଅପରାଧିକ ରେକର୍ଡ ବି ନ ଥାଏ।

ଅବଶ୍ୟ ସରକାରଙ୍କ ଆଡୁ ଏକାଧିକ ସତର୍କତାମୂଳକ ପଦକ୍ଷେପକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇଛି। ଅନୁପ୍ରବେଶ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଅନୁପ୍ରବେଶକାରୀଙ୍କୁ ବିପୁଳ ପରିମାଣରେ ଆର୍ଥିକ ସହାୟତା ପହଞ୍ଚାଉଥିବା ଲୋକଙ୍କ ବ୍ୟାଙ୍କ୍‌ ଜମାଖାତାଗୁଡିକୁ ଜବତ କରାଯାଇଛି। ଖାଲି ସେତିକି ନୁହେଁ, ନିରନ୍ତର ଭାବେ ତଲାସି ଅଭିଯାନ ଜାରି ରହିଛି। ସୀମା-ପାର ଆତଙ୍କୀ ପ୍ରଶିକ୍ଷଣ କେନ୍ଦ୍ର ଓ ଆଡ୍ଡାସ୍ଥଳୀଗୁଡିକ ଉପରେ ଉପଗ୍ରହ ଗୁଇନ୍ଦା ସଂସ୍ଥା ଜରିଆରେ କଡା ନଜର ରଖାଯାଇଛି। ଏସବୁ ଠୋସ ପଦକ୍ଷେପ, କଠୋର କାର୍ଯ୍ୟାନୁଷ୍ଠାନ ଓ କଡା କଟକଣା ଯୋଗୁଁ ଆତଙ୍କବାଦୀମାନେ ସାଧାରଣ ଜନତାଙ୍କ ମନରେ ଆତଙ୍କ ଖେଳାଇବା ବଦଳରେ ଏବେ ଇପ୍‌ସିତ ବ୍ୟକ୍ତିଙ୍କୁ ଜଘନ୍ୟ ହତ୍ୟା କରିବା ଅନୈତିକ ଧନ୍ଦାକୁ ଆପଣାଇ ନେଇଛନ୍ତି।

ଏଭଳି ତରିକାରେ କେବଳ ଚରମ ଲକ୍ଷ ଭେଦ କରିବା ଆଉ ସେଠୁ ନିରାପଦରେ ପଳାୟନପନ୍ଥୀ ସାଜିବା ଛଡା ଆଉ କିଛି ନାହିଁ। କେଉଁଠି ହେଲେ ଏକେ-୪୭ ଗୁଳିର ବର୍ଷା ହେଉନାହିଁ। ଏହି ହାଇବ୍ରିଡି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି ଘର ଲେଉଟାଣି ପାଇଁ ଘାଟିରେ ଫେରୁଥିବା କାଶ୍ମିରୀ ପଣ୍ଡିତ ତଥା ବିଶେଷ ସୁରକ୍ଷା କବଚ ପାଇ ନଥିବା ହିନ୍ଦୁ କର୍ମଚାରୀ ଓ ଅଧିକାରୀମାନେ। ଏଭଳି ଜଘନ୍ୟ ହତ୍ୟା ନରସଂହାର ଦ୍ୱାରା ଆତଙ୍କୀ ଯେଉଁ ସନ୍ଦେଶ ପ୍ରଦାନ କରନ୍ତି ତାହା ବ୍ୟାପକଭାବେ ଦୂରଦୂରାନ୍ତକୁ ବ୍ୟାପିଯାଏ। ଏହି ହାଇବ୍ରିଡ୍‌ ଆତଙ୍କବାଦ ଜରିଆରେ ଗତ ସପ୍ତାହକ ଭିତରେ ୨୮୦୦ କାଶ୍ମିରୀ ପଣ୍ଡିତ ଓ ପାଖାପାଖି ତିନି ହଜାର ହିନ୍ଦୁ କର୍ମଚାରୀ ଘାଟିରୁ ପଳାୟନ କରିବାକୁ ଏକପ୍ରକାର ବିବଶ ହୋଇ ସାରିଲେଣି।

ଏହି ଧାରା ସେ ପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ କୌଣସି ଠୋସ୍‌ ବୈକଳ୍ପିକ ପଦକ୍ଷେପ ଗ୍ରହଣ କରା ନ ଯାଇଛି। ଅର୍ଥାତ ଆତଙ୍କୀଙ୍କ ଅଭିସନ୍ଧି ତଥା ମନ୍ଦ ଆଭିମୁଖ୍ୟ ଜଳ ଜଳ ହୋଇ ଦିଶୁଛି। ପ୍ରକାଶ ଯେ, ଗଲା ବର୍ଷ ଭିତରେ ୧୬ ଜଣ କାଶ୍ମିରୀ ପଣ୍ଡିତଙ୍କୁ ଟାର୍ଗେଟ୍‌ କରାଯାଇ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ସେମାନଙ୍କ ଭିତରେ ଆତଙ୍କ ଖେଳାଇ ଘାଟି ଛାଡିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ଆତଙ୍କବାଦୀମାନେ।

କହିବା ଅନାବଶ୍ୟକ ଯେ ବର୍ଷବର୍ଷ ଧରି ବିସ୍ତାପିତ କାଶ୍ମିରୀଙ୍କୁ ଘାଟିରେ ଫେରାଇ ଆଣିବାକୁ ନିରନ୍ତର ପ୍ରୟାସ କରାଯାଉଛି। ତଦନୁସାରେ ଅଧିକାଂଶ ଲୋକଙ୍କୁ ସେଠିକାର ସରକାରୀ ଚାକିରୀରେ ଭର୍ତି କରାଯାଉଛି। ଏବେ କିନ୍ତୁ ଦୁର୍ଦ୍ଧର୍ଷ ଆତଙ୍କୀ ସେମାନଙ୍କୁ ଟାର୍ଗେଟ୍‌ କରି ନାରକୀୟ ଭାବେ ହତ୍ୟା କରୁଛନ୍ତି। ସ୍ୱଭାବତଃ ଏହା ସେମାନଙ୍କ ବନ୍ଧୁ ପରିଜନଙ୍କ ମନରେ ସୃଷ୍ଟିକରିଛି ଅଜଣା ଆତଙ୍କ ଓ ତ୍ରାସ।

ଜାମୁ କାଶ୍ମିରୀର ରିଲିଫ୍‌ ଓ ପ୍ରବାସୀ ଆୟୁକ୍ତଙ୍କ ରିପୋର୍ଟ ମୁତାବକ ଏବେ କାଶ୍ମିରୀ ଘାଟିରେ ୧୯୯୦ରେ କାଶ୍ମିରୀ ହିନ୍ଦୁ ଆଉ କାଶ୍ମିରୀ ପଣ୍ଡିତଙ୍କ ବିରୁଦ୍ଧରେ ହୋଇଥିବା ହିଂସାକାଣ୍ଡ ପରେ ଅନେକ ସଂଖ୍ୟାରେ କାଶ୍ମିରୀ ହିନ୍ଦୁ ସେଠୁ ପଳାୟନ କରିଥିଲେ। ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେତେବେଳେ ସର୍ବମୋଟ୍‌ କାଶ୍ମିରୀ ପଣ୍ଡିତଙ୍କ ଜନସଂଖ୍ୟା ୧.୨୦ ଲକ୍ଷରୁ ୧.୪୦ ଲକ୍ଷ ପର୍ଯ୍ୟନ୍ତ ଥିଲା। ହେଲେ ହିଂସାକାଣ୍ଡ ପରେ ପରେ ଲକ୍ଷେ କାଶ୍ମିରୀ ପଣ୍ଡିତ ଘାଟି ପରିତ୍ୟାଗ କରିଥିଲେ।

ଅପରପଟେ କାଶ୍ମିରୀର କେନ୍ଦ୍ରୀୟ ସୂଚନା ଅଧିକାରୀ ଦର୍ଶାଇଛନ୍ତି ଯେ ୧୯୯୦ ରୁ ୨୦୨୧ ମଧ୍ୟରେ ଆତଙ୍କବାଦୀମାନେ ମୋଟ ୧୭୨୪ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରୁ ୮୯ କାଶ୍ମିରୀ ପଣ୍ଡିତ ଥିବାବେଳେ ୧୬୩୫ ଜଣ ଥିଲେ ଅନ୍ୟ ଜାତି ଓ ଧର୍ମର ଲୋକ। ଏଥିରେ କିଛି ପ୍ରବାସୀ ବି ସାମିଲ ହୋଇଥିଲେ।

କହିବାବାହୁଲ୍ୟ ଯେ ୮୦ ପ୍ରତିଶତ କାଶ୍ମିରୀ ପଣ୍ଡିତ ଘାଟିରୁ ପଳାୟନ କରି ସାରିଲେଣି। ଘାଟିରେ ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ ହାତେଇଥିବା ଅନୁସୂଚିତ ଜାତି ଭଳି ବର୍ଗଙ୍କ ଭିତରେ ପାଖପାଖି ୫୯୦୦ ହିନ୍ଦୁ କର୍ମଚାରୀ ଅନ୍ତର୍ଭୁକ୍ତ। ତେବେ ଏବେ ପ୍ରଶ୍ନ ଉଠୁଛି, ହାଇବ୍ରିଡ୍‌ ଆତଙ୍କବାଦ ନିୟନ୍ତ୍ରଣକୁ ନ ଆସିପାରିଲେ କେପିଏସ୍‌ ଫର୍ମୁଲା କୋଉଠି ଲାଗୁ ହୋଇପାରିବ? ସିଧାସଳଖ ଭାବେ କହିଲେ ହାଇବ୍ରିଡ୍‌ ଆତଙ୍କବାଦୀ ନିରୋଧୀ ଯାହା କେପିଏସ୍‌ ଫର୍ମୁଲା ଅର୍ଥ ସେଇଆ।

୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି

ଦୂରଭାଷ: ୯୪୩୮୩୩୨୧୩୮

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)