Advertisment

କେତେ ହେଲେ ଆଉ ପେଟ ପୂରିବ ? ଦଲାଲ୍ ସହ ସରକାରୀ ବାବୁ ବାଣ୍ଟିକୁଣ୍ଟି ଖାଇଗଲେ ଗରିବ ଖଟିଖିଆଙ୍କ ଟଙ୍କା

ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦଲାଲ୍ ପ୍ରୀତି। ତମର ଅଧେକୁ ଆମର ଅଧେ। ଜଣେ ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବାହାଘର ପ୍ରୋତ୍ସାହନ ରାଶି ଆତ୍ମସାତ୍ ଅଭିଯୋଗ ।

author-image
Prangyan Parimita
ଅଦ୍ୟତନ ହୋଇଛି
Jojana Naa Re Hariloot

Jojana Naa Re Hariloot

ତମର ଅଧେକୁ ଆମର ଅଧେ ନୀତିରେ ଚାଲିଛି ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ। ପଞ୍ଜୀକୃତ ଶ୍ରମିକଙ୍କୁ ମିଳିଥିବା ସରକାରୀ ଅର୍ଥକୁ କିପରି ହରିଲୁଟ୍ କରାଯାଏ, ଏଠି ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଆଉ ଏହି ଦୁର୍ନୀତିରେ ଖୋଦ୍ ଶ୍ରମ ଅଧିକାରୀ ସଂପୃକ୍ତ ଥିବା ସାଂଘାତିକ ଅଭିଯୋଗ ଆସିଛି। ଜଣେ ଶ୍ରମିକଙ୍କ ଝିଅ ବାହାଘର ବାବଦରେ ମିଳିଥିବା ସରକାରୀ ସହାୟତାକୁ କିପରି ଚଞ୍ଚକତାର ସହ ହଡପ୍ କରାଯାଇଛି, ତାର ତଥ୍ୟ ପ୍ରମାଣ ଲାଗିଛି ଓଟିଭି ପାଖରେ।

Advertisment

ବୌଦ୍ଧ ହରଭଙ୍ଗା ବ୍ଲକ ବିରାମଚନ୍ଦ୍ରପୁର ଗାଁର ଯାଦବ ସେଠୀ । ୨୦୧୭ ଏପ୍ରିଲ ୨୦ ତାରିଖରେ ସେ ତାଙ୍କ ଝିଅ କଳ୍ପନାଙ୍କର ବାହାଘର କରିଥିଲେ। ଏହାପରେ ପ୍ରୋତ୍ସାହନ ରାଶି ପାଇଁ ଆବଶ୍ୟକ ପ୍ରମାଣପତ୍ର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ତେବେ ଏହି ମ୍ୟାରେଜ୍ ସାର୍ଟିଫିକେଟକୁ ଚଞ୍ଚକତା ବଳରେ ଜାଲିଆତି କରି ସମାନ ଚିଠି ନମ୍ବରରେ ୨୦୧୯ ଅଗଷ୍ଟ ୨୦ ତାରିଖ ଦର୍ଶାଯାଇଛି। ସେହି ଆକାଉଣ୍ଟକୁ ୨ ମାସ ତଳେ ୧୯ ଜୁଲାଇରେ ବର୍ତ୍ତମାନ ଜିଲ୍ଲା ଶ୍ରମ ଅଧିକାରୀ ଥିବା ସୁଶାନ୍ତ ପାଇକରାୟଙ୍କ ଅନୁମୋଦନ କ୍ରମେ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି। ଯାଦବ ସେଠୀଙ୍କୁ ୨୫ ହଜାର ଟଙ୍କା ମିଳିଥିବା ବେଳେ ୫୦ ହଜାର ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି।

୨୦୧୭ ମସିହାରେ ଏହି ପ୍ରୋତ୍ସାହନ ରାଶି ୨୫ ହଜାର ଟଙ୍କା ଥିବା ବେଳେ ୨୦୧୯ ମେ ମାସରୁ ଏହାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ସରକାର। ଯାହାର ଫାଇଦା ଉଠାଇଛି ବୌଦ୍ଧ ଶ୍ରମ ଅଫିସ୍। ଦଲାଲ ଓ ୱେଲଫେୟାର କୋଅର୍ଡିନେଟର ସୁଜିତ୍ ଦାସଙ୍କ ସହାୟତାରେ ଶ୍ରମ ଅଧିକାରୀ ଏହାକୁ ଅନୁମୋଦନ କରି ଜିଲ୍ଲାପାଳଙ୍କୁ ପଠାଇବା ପରେ ଜିଲ୍ଲାପାଳ ଚୂଡ଼ାନ୍ତ ଅନୁମୋଦନ କରିଥିଲେ। ଏନେଇ ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ ପୂର୍ବତନ ଶ୍ରମ ଅଧିକାରୀଙ୍କୁ ଦୋଷ ଲଦିଥିଲେ।

Advertisment

ଏଠି ପ୍ରଶ୍ନ ଉଠୁଛି, ଶ୍ରମ ଅଧିକାରୀ କେମିତି ନିଜ ପଦବୀର ଅପବ୍ୟବହାର କଲେ ? କିପରି ଜିଲ୍ଲାପାଳଙ୍କୁ ଅନୁମୋଦନ ପାଇଁ ପଠାଇଲେ ? ଯଦି ପଠାଇଲେ, ତେବେ ଯାଦବ ସେଠୀଙ୍କୁ କାହିଁକି ୫୦ ହଜାର ବଦଳରେ ଦିଆଗଲା ୨୫ ହଜାର ଟଙ୍କା ? ବୌଦ୍ଧ ଶ୍ରମ କାର୍ଯ୍ୟାଳୟରେ ଦଲାଲଙ୍କ ରାଜ୍ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଲେବର କାର୍ଡ କରାଇଦେବା ପାଇଁ ହଜାରେରୁ ୧୫ଶହ ଟଙ୍କା ଲାଞ୍ଚ ନିଆଯାଉଥିବା ଅଭିଯୋଗ ହୋଇଛି।

ବୌଦ୍ଧ ଜିଲ୍ଲା ଲେବର ଅଫିସରୁ ଏଭଳି ବାରମ୍ବାର ଅଭିଯୋଗ ପରେ ୱେଲଫେୟାର କୋଅର୍ଡନେଟର ସୁଜିତ୍ ଦାସଙ୍କୁ ଗତ ଶନିବାର ବହିଷ୍କୃତ କରିଛନ୍ତି ଜିଲ୍ଲାପାଳ। ବୌଦ୍ଧ ଲେବର ଅଫିସରେ ଏହା କେବଳ ଏକମାତ୍ର ଘୋଟାଲା ନୁହେଁ, ଦଲାଲ ଓ ଅଫିସ୍ ର କିଛି କର୍ମଚାରୀଙ୍କ ସଲାସୁତୁରାରେ ଏଭଳି ଅନେକ ଦୁର୍ନୀତି ହେଉଥିବା ସାମ୍ନାକୁ ଆସୁଛି। ସରକାର ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ଜିଲ୍ଲା ଶ୍ରମ ଅଫିସ୍ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ହେଲେ ଏହା ଶ୍ରମିକଙ୍କ ପାଖରେ ପହଞ୍ଚୁନି, ଟଙ୍କା ବାଟମାରଣା ହୋଇଯାଉଛି।

Advertisment
Advertisment