• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆମ୍ବ ବେପାରୀଙ୍କ ପାଇଁ ଖୁସି ଖବର । ଏଣିକି ବିଗ ବାସ୍କେଟ, ମଦର ଡାଏରୀ, ରିଲାଏନ୍ସ ଫ୍ରେସ ଆଦି କମ୍ପାନୀରେ ମିଳିବ ଆମ୍ବ । ଖାଲି ଓଡ଼ିଶା ନୁହେଁ ବରଂ ପୂରା ଦେଶରେ ମିଳିବ ତେଲକୋଇ ବ୍ରାଣ୍ଡ ଆମ୍ବ । ଯାହାକୁ ନେଇ ଏବେ ବେଶ୍‌ ଖୁସି ଅଛନ୍ତି ଚାଷୀ ।

କେନ୍ଦୁଝର ତେଲକୋଇ ବ୍ଲକରେ ପ୍ରାୟ ୩ ହଜାର ହେକ୍ଟର ଜମିରେ ଚାଷ ହେଉଛି ଆମ୍ବ । ଏଠାକାର ଆମ୍ବ ଏତେ ସ୍ୱାଦ ଯେ ଯିଏ ଖାଇଛି ସିଏ ହିଁ ଜାଣିଛି । କଲମୀ ଆମ୍ବ ଲାଗି ତେଲକୋଇକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ପ୍ରତିବର୍ଷ ଟନ୍‌ଟନ୍‌ ଆମ୍ବ ଉତ୍ପାଦନ କରନ୍ତି ଚାଷୀ । ଦୋଷରି, ଲେଙ୍ଗଡ଼ା, ହେମସାଗର, କ୍ଷୀର ସାଗର, ଚଉସା ପରି ସୁସ୍ୱାଦୁ ଆମ୍ବକୁ ରାଜ୍ୟ ସହିତ ୟୁପି, ବିହାର, ପଶ୍ଚିମବଙ୍ଗରୁ ବେପାରୀ ଆସି ନେଇଯାଆନ୍ତି ।

ଆମ୍ବ ତ ପ୍ରବଳ ମାତ୍ରାରେ ଉତ୍ପାଦନ ହୁଏ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସଠିକ୍‌ରେ ଆମ୍ବ ବିକ୍ରି କରିପାରନ୍ତି ନାହିଁ ଚାଷୀ । ତେଣୁ ବାହାର ରାଜ୍ୟର ବେପାରୀ ଆସି ଶାଗ-ମାଛ ଦରରେ ଆସି ନେଇ ଯାଆନ୍ତି ଆମ୍ବ । ତେଣୁ ବାରମ୍ବାର ଅଭିଯୋଗ ପରେ ଏବେ ଚାଷୀମାନେ କେମିତି ଭଲରେ ଆମ୍ବ ବିକ୍ରି କରିପାରିବେ ସେନେଇ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବିଧାୟକ । ଏଣିକି କିଛି କଂପାନୀଙ୍କ ସହ ସିଧାସଳଖ ଚାଷୀଙ୍କୁ ଯୋଡ଼ିବାକୁ ସେ ଉଦ୍ୟମ କରିଛନ୍ତି । ଏମିତିକି କେଉଁମାନର ଆମ୍ବ କମ୍ପାନୀମାନେ ନେବେ ଓ କେମିତି ପ୍ୟାକିଂ ହେବ ସେନେଇ ଚାଷୀଙ୍କୁ ବି ଦିଆଯାଉଛି ତାଲିମ୍‌ ।

 

ତେବେ ପ୍ରଥମ ଦଫାରେ ୧୫ ଚାଷୀଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ଚାଷୀମାନେ କେମିତି ଆମ୍ବ ଚାଷ କରି ଲାଭବାନ ହେବେ ସେନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଓଡ଼ିଶା କାଜୁ ନିଗମର ପରିଚାଳନା ନିର୍ଦ୍ଦେଶକ । ସେପଟେ ଏତେଦିନ ଅପେକ୍ଷା ପରେ ବିଭିନ୍ନ କମ୍ପାନୀ ଜରିଆରେ ଆମ୍ବ ବିକ୍ରି ହେବାର ପ୍ରୟାସକୁ ନେଇ ଚାଷୀ ବି ବେଶ୍‌ ଖୁସି ।

 

 

  • Reported by:
  • Chinmaya Sahoo