• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହାତକୁ ଲୁତୁପୁତୁ, ପାଟିକୁ ଭାରି ସୁଆଦିଆ ଆମ ଛେନାପୋଡ଼ କଥା । କାହିଁକି ନା ଆଜି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜନ୍ମିତ ଛେନାପୋଡ଼କୁ ବିଶ୍ୱ ବଜାର ଦେବା ଲାଗି ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ ଆଜି ଖାଲି ନୟାଗଡ଼ ଜିଲ୍ଲାରେ ସୀମିତ ନାହିଁ ବରଂ ରାଜଧାନୀରେ ବେଶ୍ ଉଲ୍ଲାସର ସହ ପାଳନ ହୋଇଛି ଏହି ଦିବସ । ଏଥି ସହ ଓଡ଼ିଶାର ଏହି ବହୁ ପରିଚିତ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍ ମାନ୍ୟତାର ଦାବି ଜୋର୍ ହୋଇଛି।

ଛେନା ପୋଡ଼, ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତୁଆ । ସୁଆଦ ଏମିତି- ଯିଏ ଥରେ ଚାଖିଛି, ସବୁବେଳେ ଚାହିଁଛି, ଖାଇବାକୁ ମନ କରିଛି । ସେଇଥିପାଇଁ ତ ରାଜ୍ୟର ସବୁଠି, ସବୁ କୋଣରେ ଛେନାପୋଡ଼ ଆଇଟମ୍ ବିନା ମିଷ୍ଟାନ ଭଣ୍ଡାର କଥା ଚିନ୍ତା ବି କରାଯାଇ ପାରେନା । ଆଜି ସେଇ ଛେନାପୋଡ଼ର ଦିନ । ଦ୍ୱିତୀୟ ବିଶ୍ୱ ଛେନାପୋଡ଼ ଦିବସ । ତେଣୁ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାଠୁ ନେଇ ରାଜଧାନୀ ଭୁବନେଶ୍ୱର ଯାଏଁ, ସବୁଠି ଜମିଛି ଛେନାପୋଡ଼ ଆସର । 

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଛେନାପୋଡ଼ କଟାଯାଇ ପାଳନ ହୋଇଛି ଛେନାପୋଡ଼ ଦିବସ । କେବଳ ନୟାଗଡ଼ ନୁହେଁ, ମାର୍ଚ୍ଚ ୨୦ ତାରିଖରେ ଜିଲ୍ଲାପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ ପରେ ଏ ଦାବିକୁ ଆହୁରି ବଳିଷ୍ଠ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବି ପାଳିତ ହୋଇଛି ଏହି ଦିବସ।

ରାଜଧାନୀ ଭୁବନେଶ୍ୱର ରେ ବିଶ୍ୱ ଛେନାପୋଡ଼ ଦିବସ ଉପଲକ୍ଷେ ଜୟଦେବ ଭବନରେ ବଡ଼ ଆୟୋଜନ କରାଯାଇଥିଲା । ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡର ମିଳିତ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛେନାପୋଡ଼ ସଂଗୀତର ତାଳେ ତାଳେ ଛେନାପୋଡ଼ କଟା ହେବା ସହ ପରସ୍ପରକୁ ଖୁଆଇ ଆନନ୍ଦ ନେଇଛନ୍ତି ମଂଚାସୀନ ଅତିଥି । ଉତ୍ସବରେ ଖଣ୍ଡପଡ଼ାର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ କାର୍ତ୍ତିକେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଛି । ଏଥିସହ ନୟାଗଡ଼ ଛେନାପୋଡ଼ର ସ୍ୱାଦ ଓ ସୁଦ୍ଧତାକୁ ବଜାୟ ରଖିବାର ଆହ୍ୱାନ ସହ ଜିଆଇ ଟ୍ୟାଗ୍ ମାନ୍ୟତା ଦିଗରେ ସବୁ ପ୍ରକାର ପଦକ୍ଷେପ ଉପରେ ଜୋର ଦିଆଯାଇଛି ।

ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ର ସ୍ୱର୍ଗତ ସୁଦର୍ଶନ ସାହୁ ଏବଂ ତାଙ୍କ ବାପା ବିଦ୍ୟାଧର ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ । ଆଉ ୨୦୨୨ ମସିହାରୁ ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ହିଁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । 

କେବଳ ନୟାଗଡ଼ କି ରାଜଧାନୀ ନୁହେଁ, ସୋସିଆଲ ମିଡିଆରେ ବି ଆଜି ଟ୍ରେଣ୍ଡ କରିଥିଲା ଛେନାପୋଡ଼ ଦିବସ । ନୟାଗଡ଼ ଦରବ, ଓଡ଼ିଶାର ଗରବ । ଆମ ଛେନାପୋଡ଼ ଆମ ପାଇଁ ବଡ଼ ଭଳି 
ପୋଷ୍ଟ ସାଙ୍ଗକୁ ଦିବସ ପାଳନର ଫଟୋ ପୋଷ୍ଟିଂରେ ଛାଇ ଯାଇଥିଲା ସୋସିଆଲ ମିଡ଼ିଆ ।

(ରିପୋର୍ଟର- ଦଶପଲ୍ଲାରୁ ସଂଜୀବ ସାହୁ, ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ ଭୁବନେଶ୍ୱରରୁ ସୌମ୍ୟରଂଜନ ସାହୁ)