• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏପ୍ରିଲ ୨୦୨୧ରୁ ଏପ୍ରିଲ ୨୦୨୩ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ ସହ ଲମ୍ବା ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ବିଜୟ ପରେ ଘର ବାହୁଡ଼ା ହେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ବର୍ଷାଧିକ କାଳ ଚିକିତ୍ସା ପରେ ଘରକୁ ଫେରିବା ପୂର୍ବରୁ ସେଇଠି ନିଜକୁ ଫିଟ୍ କରୁଛନ୍ତି ପ୍ରଦୀପ୍ତ । ଦୀର୍ଘ ଶଯ୍ୟାଶାୟୀ ଅବସ୍ଥାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏବେ ନିଜ ସାମାଜିକ ଓ ରାଜନୈତିକ ଜୀବନକୁ ଗତିଶୀଳ କରିଥିବା ପ୍ରଦୀପ୍ତ ୨୦୨୪ ନିର୍ବାଚନରେ ଲଢେଇର ବି ଆଶା ରଖିଛନ୍ତି।

ଜୀବନ ସହ ଦୀର୍ଘ ୨ ବର୍ଷର ସଂଘର୍ଷ । କୋଭିଡ୍ ମହାମାରୀ କବଳରୁ ବର୍ତ୍ତିବାକୁ ସବୁଠୁ ଲମ୍ବା ସମୟର ଲଢେଇ । ଆଉ ତା’ପରେ ଏବେ ସତ ହେବାକୁ ଯାଉଛି ଘର ବାହୁଡ଼ା ସ୍ୱପ୍ନ । ୨୦୧୯ରେ ରାଜ୍ୟ ବିରୋଧୀ ଦଳ ନେତା ଭାବେ ଚଳଚଞ୍ଚଳ ଥିବା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକଙ୍କ ଜୀବନରେ ହଠାତ ଘୋଟି ଆସିଥିଲା କଳା ବାଦଲ । ହଠାତ କୋଭିଡ୍ ସଂକ୍ରମଣର ଶିକାର ହୋଇଥିଲେ ପ୍ରଦୀପ୍ତ । ୨୦୨୧ ମସିହା ଏପ୍ରିଲ ୨୦ରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମସ୍‌ରେ ଭର୍ତ୍ତି ହୁଅନ୍ତି । ସେଠାରେ ମାସାଧିକ କାଳ ଚିକିତ୍ସା ପରେ ବି ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ସେହିବର୍ଷ ନଭେମ୍ବର ମାସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ସେ । 

ବର୍ଷାଧିକ କାଳ ଚିକିତ୍ସା ପରେ ଗତ ଜାନୁଆରୀ ୧୩ ତାରିଖରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ପ୍ରଦୀପ୍ତ । ସୁସ୍ଥ ହେବା ମାତ୍ରେ ଗଲା କିଛି ଦିନ ହେବ ନିଜ ରାଜନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିଛନ୍ତି ବି ପ୍ରଦୀପ୍ତ । ସୋସିଆଲ ମିଡିଆ ରେ ବିଭିନ୍ନ ପ୍ରସଙ୍ଗରେ ମତ ମନ୍ତବ୍ୟ ସାଙ୍ଗକୁ ଦଳୀୟ ନେତାଙ୍କୁ ଭେଟି ନିଜକୁ ଫିଟ୍ ବୋଲି ଘୋଷଣା କରିଛନ୍ତି ।

ମେଦାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ନିଜକୁ ଅତିଶୀଘ୍ର ଫିଟ୍ କରିବାକୁ ହସ୍ପିଟାଲ ନିକଟରେ ଏକ ଭଡ଼ାଘରେ ଅବସ୍ଥାନ କରି ନିୟମିତ ଚିକିତ୍ସା, ଫିଜିଓଥେରାପି ଓ ବ୍ୟାୟାମ କରୁଛନ୍ତି । ଆଉ କିଛି ଦିନ ଭିତରେ ସେ ଓଡ଼ିଶା ଫେରିବେ ବୋଲି ସ୍ଥିର କରିଛନ୍ତି । ଗଳାରେ ଏକ ଛୋଟ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ପ୍ରଦୀପ୍ତ । କଳାହାଣ୍ଡି ଫେରିବା ପରେ ସେ ପୁଣି ରାଜନୀତିରେ ସକ୍ରିୟ ହେବାର ସଙ୍କେତ ବି ଦେଇଛନ୍ତି । ସେ କହିଛନ୍ତି, ଦଳ ଯଦି ସୁଯୋଗ ଦିଏ, ତେବେ ଜନତାଙ୍କ ସେବା ପାଇଁ ୨୦୨୪ ଲଢେଇରେ ସାମିଲ ହେବାର ଆଗ୍ରହ ବି ଦେଖାଇଛନ୍ତି ।

ପ୍ରଦୀପ୍ତ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗତବର୍ଷ ଜୁଲାଇ ୩୦ ତାରିଖରେ ତାଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲା ବିଜେପି ।

(ରିପୋର୍ଟ- ଦିଲ୍ଲୀରୁ ଶିବାନନ୍ଦ ରାଉତ)