• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆଦିଲ୍ଲୀ: ୟୁକ୍ରେନ ବିବାଦ ଥମିବାର ନା ଧରୁନି। ଦିନକୁ ଦିନ ଉଗ୍ରରୂପ ନେଉଛି। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି। ଆମେରିକା ପୁତିନଙ୍କ ଏହି ପଦକ୍ଷେପକୁ ଜୋରଦାର ବିରୋଧ କରିବା ସହ ଋଷିଆ ଓ ଦୁଇ ପ୍ରଦେଶ ବିରୁଦ୍ଧରେ ଆର୍ଥିକ କଟକଣା ଘୋଷଣା କରିଛି। ଅନ୍ୟପକ୍ଷରେ ଯୁଦ୍ଧ ଆଶଙ୍କା ଭିତରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନସେବା ଆରମ୍ଭ କରିଦେଇଛି।

ଆମେରିକା ଓ ୟୁରୋପୀୟ ସଂଘର ଚ୍ୟାଲେଞ୍ଜକୁ ମୁକାବିଲା ଲାଗି, ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୂଅା ଷ୍ଟ୍ରାଟେଜି ଋଷିଆକୁ ସମର୍ଥନ କରୁଥିବା ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶ ଡନ୍‌ଷ୍ଟେକ୍ ପିପୁଲ୍ସ ରିପବ୍ଲିକ୍ ଓ ଲୁଇନ୍ସଙ୍କ ପିପୁଲ୍ସ ରିପବ୍ଳିକକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ। ଏଥିସହିତ ଏମାନଙ୍କ ସହ ଦ୍ୱିପାକ୍ଷିକ ମିତ୍ରତା ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ଏହି ଦୁଇ ବିଦ୍ରୋହୀ ପ୍ରଦେଶଙ୍କୁ ମାନ୍ୟତା ନ ଦେବା ଲାଗି ୟୁରୋପୀୟ ସଂଘ ପକ୍ଷରୁ ବାରମ୍ବାର ଚେତାବନୀ ସତ୍ତ୍ୱେ, ପୁତିନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତା’ସହିତ ଏହି ଦୁଇ ପ୍ରଦେଶକୁ ଋଷ୍ ସେନା ବି ପ୍ରେରଣ କରିଛନ୍ତି। ଶାନ୍ତି ରକ୍ଷା ଉଦ୍ଦେଶ୍ୟରେ ସେନା ମୁତୟନ କରାଯାଇଥିବା ଦେଶବାସୀଙ୍କୁ ଟେଲିଭିଜନରେ ଉଦ୍‌ବୋଧନ ଦେଇ କହିଛନ୍ତି ପୁତିନ। ଋଷିଆ ହିଁ ଆଧୁନିକ ୟୁକ୍ରେନ୍‌ର ନିର୍ମାତା ବୋଲି ସେ ସ୍ପଷ୍ଟ କରିଛନ୍ତି। ୧୯୯୧ରେ ସୋଭିଏତ୍ ସଂଘର ବିଭାଜନ ପରେ, ଋଷିଆକୁ ୟୁକ୍ରେନ୍‌ ଉପରେ ଥିବା ଏହାର ଅଧିକାରରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ପୁତିନଙ୍କ ପଦକ୍ଷେପ ପରେ ୟୁକ୍ରେନ, ଆମେରିକା, ୫ଟି ୟୁରୋପୀୟ ରାଷ୍ଟ୍ର ଓ ମେକ୍ସିକୋର ଅନୁରୋଧକ୍ରମେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌ ବିବାଦର ସମାଧାନ ଋଷିଆ ଚାହେଁ ବୋଲି ଜାତିସଂଘରେ ଏହାର ପ୍ରତିନିଧି ଭାସିଲି ନେବେଜ୍ୟା କହିଛନ୍ତି। ଦୁଇ ବିଦ୍ରୋହୀ ପ୍ରଦେଶର ସ୍ୱାଧୀନତା ଘୋଷଣାକୁ ସେ ଯଥାର୍ଥ ଦର୍ଶାଇଛନ୍ତି।

ତେବେ ଋଷିଆ ଯୁକ୍ତିକୁ ସିଧା ସିଧା ଅଗ୍ରାହ୍ୟ କରିଛନ୍ତି ଜାତିସଂଘର ଆମେରିକା ପ୍ରତିନିଧି ଲିଣ୍ଡା ଥୋମାସ୍‌ ଗ୍ରୀନ୍‌ଫିଲ୍ଡ। ପୁତିନ୍ ଯେଉଁ ପଦକ୍ଷେପ ନେଇଛନ୍ତି ୟୁକ୍ରେନ, ଋଷିଆ, ୟୁରୋପ ସମେତ ପୂରା ବିଶ୍ୱ ଉପରେ ତା’ର କୁପ୍ରଭାବ ପଡିବ ବୋଲି ସେ ଚେତାଇ ଦେଇଛନ୍ତି। ଅନ୍ୟପକ୍ଷରେ ଋଷିଆ ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଅବସ୍ଥିତ ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ଘୋଷଣା କରିବା ପରେ ଉଭୟ ପ୍ରଦେଶ ଓ ମସ୍କୋ ବିରୁଦ୍ଧରେ ଅଧିକ ଆର୍ଥିକ କଟକଣା ଲଗାଇଛି ଓ୍ୱାଶିଂଟନ୍‌ ଋଷ୍ ପ୍ରତିନିଧି।

ୟୁକ୍ରେନ୍‌ ସ୍ଥିତିକୁ ନେଇ ଭାରତ ଜାତିସଂଘରେ ଉଦ୍‌ବେଗ ପ୍ରକାଶ କରିବା ସହ କୂଟନୈତିକ ଆଲୋଚନା ହିଁ ବିବାଦ ସମାଧାନର ଏକମାତ୍ର ବାଟ ବୋଲି କହିଛି। ଏପଟେ ଅନ୍ତର୍ଜାତୀୟ ଶାନ୍ତି ବଜାୟ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ।

ୟୁକ୍ରେନ୍ ଛକାପଞ୍ଝା ଭିତରେ ଭାରତକୁ ଘାରିଛି ନିଜ ନାଗରିକଙ୍କ ସୁରକ୍ଷା ଚିନ୍ତା। ୟୁକ୍ରେନ୍‌ ବିବାଦକୁ ନେଇ ଯୁଦ୍ଧ ଆଶଙ୍କା ଉପୁଜିବାରୁ ରାଜଧାନୀ କିଭ୍ ଛାଡିବା ଲାଗି ପୂର୍ବରୁ କେନ୍ଦ୍ର ସରକାର ନିଜ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାରକୁ ପରାମର୍ଶ ଦେଇଥିଲେ। ଏବେ ଏଠାରେ ରହୁଥିବା ଅନ୍ୟ ଭାରତୀୟଙ୍କୁ ବି ଉଦ୍ଧାର ଲାଗି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନ୍‌ ରାଜଧାନୀ କିଭ୍ ଯାଇଛି। ଚଳିତ ସପ୍ତାହରେ ଏହି ବିମାନ ୩ଟି ଫ୍ଲାଇଟ୍ କରିବା ସହ ସ୍ୱଦେଶ ଫେରିବାକୁ ଚାହୁଁଥିବା ଭାରତୀୟଙ୍କୁ ନୂଆଦିଲ୍ଲୀ ଆଣିବ ବୋଲି କୁହାଯାଇଛି।

(ରିପୋର୍ଟ : ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ)