• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଅ ପାଇଁ ମାଆର ପ୍ରଚାର । ପୁରୀ ଜିଲ୍ଲା କାକଟପୁରରେ ଦେଖିବାକୁ ମିଳିଛି ଏଭଳି ପ୍ରଚାର । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ଦିନରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଛନ୍ତି । କାକଟପୁର ବାଙ୍ଗୁରିଗାଁ ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜନ୍ମେଜୟ ସାହୁଙ୍କ ପାଇଁ ତାଙ୍କ ମାଆ ରମାମଣି ସାହୁ ଘର ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି ।

ରମାମଣିଙ୍କ ସ୍ୱାମୀ ସ୍ୱର୍ଗତ ନାରାୟଣ ସାହୁ ବାଙ୍ଗୁରି ଗାଁ ପଂଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନ୍ମେଜୟ ଘରୋଇ କମ୍ପାନୀ ଚାକିରୀ ଛାଡ଼ି ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କାକାଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକର ୧୫ଟି ପଂଚାୟତ ଓ କାକଟପୁର ବ୍ଲକର ୧୬ଟି ପଂଚାୟତରେ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ସହ ୫ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ପ୍ରାର୍ଥୀମାନେ ମଧ୍ୟ ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ।

ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କ ନିଆରା ଶୈଳୀ ପ୍ରଚାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜଣେ ପ୍ରାର୍ଥୀ ଜଉ କଣ୍ଢେଇ ପ୍ରସ୍ତୁତ କରି ପ୍ରଚାର କରୁଛନ୍ତି । ବାଲେଶ୍ୱରର ରେମୁଣା ନିର୍ବାଚନ ମଣ୍ଡଳୀର ଭୀମପୁରାରେ ସରପଂଚ ପ୍ରାର୍ଥୀ ରୀତାଞ୍ଜଳି ପଲାଇ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଭଗବାନ ସାହୁ ଅଭିନବ ଶୈଳୀରେ ଭୋଟରଙ୍କୁ ଆକୃଷ୍ଟ କରିବା ସହ ଭୋଟ ଭିକ୍ଷା କରୁଛନ୍ତି । ରିକ୍ସା ଉପରେ ବସି ପଂଚାୟତର ଛକ ଛକରେ ପ୍ରଚାର କରିବା ସହ ଲୋକଙ୍କୁ ବାଲେଶ୍ୱରର ଲୋକକଳା ଜଉକଇର ତିଆରି କରିବାର ପ୍ରଣାଳୀ ଶିଖାଉଛନ୍ତି । ଏହାଦ୍ୱାରା ଓଡିଶାର କଳା ସଂସ୍କୃତି ବଂଚି ରହିବ ଏବଂ ଗାଁର ମହିଳା ସଶକ୍ତୀକରଣ ହୋଇପାରିବ ବୋଲି ବୁଝାଇଛନ୍ତି ।

ସେହିଭଳି ବରଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି ପ୍ରାର୍ଥୀଙ୍କ ଭିନ୍ନ ଧରଣର ପ୍ରଚାର ଶୈଳି । ବରଗଡ଼ ବ୍ଳକ ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଚାର ବେଳେ ଘରକୁ ଘର ବୁଲି ଭିକ ମାଗୁଛନ୍ତି । ଆଉ ନାରା ଦେଉଛନ୍ତି- ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ। ପାଖରେ ଅର୍ଥ ନଥିବାରୁ ପୋଷ୍ଟର ଓ ବ୍ୟାନ୍‌ର ତିଆରି କରିବା ପାଇଁ ପ୍ରାର୍ଥୀ ଭିକ ମାଗୁଥିବା ଚର୍ଚ୍ଚା ହେଉଛି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି । ତାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଗାମୁଛା ପତାଇ ଭୋଟ ଭିକ୍ଷା ସହ ନୋଟ ଭିକ୍ଷା କରୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ଟଙ୍କା ପଇସା ଚାଉଳ ଦାନ କରୁଛନ୍ତି । ଗାଁ କୁ ଗାଁ ବୁଲି ଏପରି ପ୍ରଚାର ଚଳାଇଛନ୍ତି।

ସେପଟେ କୋରାପୁଟରେ ମଧ୍ୟ ଦେଖିବାକୁ ମିଳିଥିଲା ଏମିତି କିଛି ନିଆରା ଢ଼ଙ୍ଗ । କୋରାପୁଟ ଜିଲ୍ଲା ଦାମନଯୋଡ଼ି ବଜାରରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ଖରା ଦୋକାନରୁ ଦୋକାନ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା । ଆଉ ପ୍ରଚାରର ମୁଖ୍ୟ ଆକର୍ଷଣ ପାଲଟିଥିଲା ଏଲ୍ଇଡି ଟିଭି । ଯାହାକୁ ଧରି ସେ ସହର ବଜାରଠାରୁ ଆରମ୍ଭ କରି ଗାଁ ଯାଏଁ ଚଳାଇଛନ୍ତି ପ୍ରଚାର ଅଭିଯାନ । ସସ୍ମିତାଙ୍କୁ ଟିଭି ଚିହ୍ନ ମିଳିଥିବାରୁ ଲୋକଙ୍କ ପାଖରେ ସହଜରେ ପହଞ୍ଚିବାକୁ ଏହି ଅଭିନବ ଉପାୟ ଆପଣାଇଛନ୍ତି ସସ୍ମିତା ।