• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଷ୍ଟିସ ଉଦୟ ଉମେଶ ଲଳିତ୍ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନ ପରିସରରେ ଏହି ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଛି । ଦେଶର ୪୯ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଲଳିତ ।

ଜଷ୍ଟିସ ଲଳିତ ମାତ୍ର ୭୪ ଦିନ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ । ସେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ୍. ଭି. ରମନ୍ନା ଗତକାଲି ଅବସର ନେଇଛନ୍ତି । ଆଉ ସେ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ନାଁ ସେ ସୁପାରିସ କରିଥିଲେ ।

ଜଷ୍ଟିସ ୟୁୟୁ ଲଳିତଙ୍କ ପରିବାର ପାଇଁ କୋର୍ଟ ଏବଂ ଓକିଲାତି କିଛି ନୂଆ କଥା ନୁହେଁ । ୧୦୨ ବର୍ଷ ହେଲା ଲଳିତ ପରିବାର ଓକିଲାତି ପେସାରେ ରହିଛନ୍ତି । ତାଙ୍କ ଜେଜେବାପା ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଓକିଲ ଭାବେ ସ୍ୱାଧୀନତାର ଯଥେଷ୍ଟ ପୂର୍ବରୁ କାମ କରୁଥିଲେ । ବାପା ଉମେଶ ରଙ୍ଗନାଥ ଲଳିତଙ୍କୁ ଏବେ ୯୦ ବର୍ଷ । ସେ ମଧ୍ୟ ଜଣେ ଜଣାଶୁଣା ଓକିଲ।

୬୪ ବର୍ଷୀୟ ଜଷ୍ଟିସ ୟୁୟୁ ଲଳିତ ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲାତି କରୁଥିଲେ । ୧୯୮୦ରେ ସେ ପରିବାର ଲୋକଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ । ଓକିଲାତି ଭାବେ କାମ କରୁଥିବା ବେଳେ ସେ ଦେଶର ଅନ୍ୟତମ କ୍ରିମିନାଲ କେସର ପ୍ରଖ୍ୟାତ ଆଇନଜୀବୀର ମାନ୍ୟତା ପାଇଥିଲେ । ଦୀର୍ଘ ବର୍ଷ କାମ କରିବା ପରେ ତାଙ୍କୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲର ମାନ୍ୟତା ମିଳିଥିଲା । ବହୁ ଚର୍ଚ୍ଚିତ ୨ଜି ସ୍ପେକ୍ଟ୍ରମ ଆବଣ୍ଟନ ମାମଲାରେ ସେ ପକ୍ଷ ରଖିଥିଲେ।

ତାଙ୍କୁ କୋର୍ଟ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଥିଲେ । ଏହି ହାଇପ୍ରୋଫାଇଲ କେସର ପରିଚାଳନା କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଓକିଲ ଭାବେ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସବୁଆଡ଼େ ପ୍ରଶଂସା କରାଯାଇଥିଲେ । ଶେଷରେ ୨୦୧୪ରେ ତାଙ୍କୁ ଓକିଲରୁ ସିଧା ସୁପ୍ରିମକୋର୍ଟର ବିଚାରପତି ଭାବେ ପ୍ରମୋସନ ମିଳିଥିଲା । ଏବେ ସେ ସିଜେଆଇ ଭାବେ ଶପଥ ଗ୍ରହଣ କରିଛନ୍ତି ।