ଉତ୍ତରପ୍ରଦେଶ ପ୍ରୟାଗରାଜର ଚର୍ଚ୍ଚିତ ଉମେଶ ପାଲ୍ ଶୁଟ୍ଆଉଟ୍ ମାମଲାରେ ସରକାରୀ କର୍ମଚାରୀଙ୍କ ଆକ୍ସନ ଜାରି ରହିଛି। ଗତକାଲି ଲଗାତାର ଚତୁର୍ଥ ଦିନରେ ବୁଲ୍ଡୋଜର ଲଗାଇ ମାଫିଆ ଅତିକ୍ ଅହମ୍ମଦର ପାଖ ଲୋକଙ୍କ ଘର ଭଙ୍ଗା ଯାଇଥିବା ବେଳେ ଶୁକ୍ରବାର ଦିନ ଅତିକ୍ର ପାଖ ଲୋକ କୁହାଯାଉଥିବା ମାଶୁକ୍ ଉଦ୍ଦୀନର ଆଲିଶାନ୍ ଘରକୁ ମାଟିରେ ମିଶାଇ ଦିଆଯାଇଛି। ସହରରୁ ପ୍ରାୟ ୧୫ କି.ମି. ଦୂର ଅସରୌଲି ଅଞ୍ଚଳରେ ୨୦୦ ବର୍ଗ ମିଟର କ୍ଷେତ୍ରରେ ନିର୍ମାଣ ହୋଇଥିବା ଏହି ଆଲିଶାନ୍ ଘରକୁ ବୁଲ୍ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହି ଘର ନିର୍ମାଣ ହୋଇଥିଲା ବୋଲି ଜଣାପଡ଼ିଛି।
ମାଶୁକ୍ ଓ ତା’ର ପରିବାର ସଦସ୍ୟଙ୍କ ବିରୋଧରେ ୨୪ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ମାଶୁକ୍ ମାଫିଆ ଅତିକ୍ର ପାଖ ଲୋକ ଓ ଗ୍ୟାଙ୍ଗ ପାଇଁ ଫଣ୍ଡିଂ ଯୋଗାଡ଼ ଲାଗି ସେ କାମ କରୁଥିଲା। ମାଶୁକ୍ ଗାଁ ମୁଖିଆ ମଧ୍ୟ ଥିଲା। ତେବେ ସରକାରୀ କର୍ମଚାରୀ ୩ଟି ବୁଲ୍ଡୋଜର ଲଗାଇ ମାତ୍ର ୨ ଘଣ୍ଟାରେ ମାଶୁକ୍ର ୩ କୋଟିର ଆଲିଶାନ୍ ଘରକୁ ମାଟିରେ ମିଶାଇ ଦେଇଛନ୍ତି। ସବୁଠାରୁ ବଡ଼ କଥା, ଏହାର ଗୃହ ପ୍ରବେଶ ମଧ୍ୟ ହୋଇନଥିଲା। ମାର୍ଚ୍ଚ ୧୨ରେ ଗୃହ ପ୍ରବେଶ ହେବାର ଥିଲା। ହେଲେ ତା’ ପୂର୍ବରୁ ଏହା ମାଟିରେ ମିଶିଛି।

ଅଭିଯୋଗ ଅନୁସାରେ, ଡେଭଲପ୍ମେଣ୍ଟ ଅଥରିଟିଙ୍କ ବିନା ଅନୁମତିରେ ମାଶୁକ୍ ଏହି ଆଲିଶାନ୍ ଘର ନିର୍ମାଣ କରିଥିଲା। ଏହାର ନକ୍ସା ମଧ୍ୟ ନଥିଲା। ନକ୍ସା ପାଇଁ ଆବେଦନ ହୋଇଥିଲା, ହେଲେ ଡେଭଲପ୍ମେଣ୍ଟ ଅଥରିଟି ଏହାକୁ ନାମଞ୍ଜୁର କରି ଦେଇଥିଲେ। ଡେଭଲପ୍ମେଣ୍ଟ ଅଫିସରଙ୍କ କହିବା ଅନୁସାରେ, ଏହା ନିକଟରେ ଏୟାରଫୋର୍ସର ଟ୍ରାନ୍ସମିଶନ ଓ ରାଡାର୍ ଷ୍ଟେସନ ରହିଛି। ଏଥିପାଇଁ ଏୟାରଫୋର୍ସ ଏହି ଘର ନିର୍ମାଣ ଉପରେ ଆପତ୍ତି ଉଠାଇ ଥିଲା। ଏଥିପାଇଁ ମାଶୁକ୍ର ନକ୍ସା ଆବେଦନକୁ ନାମଞ୍ଜୁର କରାଯାଇଥିଲା।

ସୂଚନାଥାଉ କି, ଉମେଶ ପାଲ୍ ଶୁଟ୍ଆଉଟ୍ ମାମଲା ପରେ ପ୍ରୟାଗରାଜରେ ଗତ ୩ ଧରି ଲଗାତାର ଭାବେ ବୁଲ୍ଡୋଜର ଲଗାଇ ବେଆଇନ୍ ନିର୍ମାଣକୁ ଉଚ୍ଛେଦ କରାଯାଉଛି।