• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜି ପାଳନ ହେଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମାନସିକ ସ୍ୱାସ୍ଥ୍ୟ ଠିକ ରହିଲେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇପାରିବ। ଏଥିପାଇଁ ବିଶ୍ୱର ଅନେକ ରାଷ୍ଟ୍ର ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କଲେଣି। ଲୋକମାନେ ମଧ୍ୟ ଏହା ଉପରେ ଅଧିକ ସଚେତନ ହେବାର ରହିଛି। ମାନସିକ ସ୍ୱାସ୍ଥ୍ୟ ବିଗିଡିବାର ଅନେକ କାରଣ ରହିଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ କେତେକ ଛୋଟ ଛୋଟ କଥାକୁ ବି ଧ୍ୟାନ ଦେବାକୁ ପଡିବ ବୋଲି ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ମତ। କିଛି ଘଟଣା ଘଟିଲେ ମନ ଭିତରେ କିଛି ନ ରଖି ଅନ୍ୟମାନଙ୍କ ସହ ଶେୟାର କରିବା ଉଚିତ। ଅବସାଦଗ୍ରସ୍ତ ବା ମାନସିକ ରୋଗର ଲକ୍ଷଣ ଦେଖାଦେଲେ ତାହାକୁ ଅଣଦେଖା ନ କରି ଡାକ୍ତର ବା ମନସ୍ତତ୍ତ୍ୱବିତଙ୍କ ପରାମର୍ଶ ନେବା ଉଚିତ। ସୁଷମ ଖାଦ୍ୟ ମାନସିକ ସ୍ୱାସ୍ଥ୍ୟକୁ ଭଲରେ ରଖିଥାଏ। ନିୟମିତ ଯୋଗ କଲେ ମନ ଓ ଶରୀର ସୁସ୍ଥ ରହେ। କୌଣସି କାମ କଲା ବେଳେ ମଝିରେ ମଝିରେ ବିରତି ନେଲେ ଭଲ। ମନ କେବେ ଦୁଃଖ, କ୍ରୋଧ, ଦୁଃଶ୍ଚିନ୍ତାର ବଶବର୍ତ୍ତି ହେଲେ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇଲେ ଏଥିରୁ କିଛିଟା ମୁକ୍ତି ମିଳିଥାଏ।

ଏସବୁ ଉଲ୍ଲେଖ କରିବାର କାରଣ ହେଉଛି ଦିନକୁ ଦିନ ଲୋକଙ୍କର ଜୀବନଶୈଳୀ ବଦଳୁଛି। କୋଭିଡ-୧୯ରେ ବର୍ତ୍ତମାନ ଯେପରି ବିଶ୍ୱ ଘାଣ୍ଟି ହେଉଛି ସେଭଳି ପରିସ୍ଥିତି ପୂର୍ବରୁ କେବେ ବି ଦେଖାଯାଇ ନ ଥିଲା। ଏହି ମହାମାରୀ ବିଶ୍ୱର ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ତେବେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରୁଥିବା ବେଳେ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବର୍ତ୍ତମାନର ସମୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚଳିତ ବର୍ଷ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ ପ୍ରୟାସ କରାଯିବା ଉଚିତ ବୋଲି କହିଛି।

Tips for mental healthମାନସିକ ସ୍ୱାସ୍ଥ୍ୟ ପାଇଁ ଟିପ୍ସ

ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ସବୁଠାରୁ ଅବହେଳିତ ହୋଇପଡିଛି। ଦୁନିଆର ପ୍ରାୟ ଏକ ଲକ୍ଷ ଲୋକ ମାନସିକ ସମସ୍ୟାରେ ଜୀବନ କାଟୁଛନ୍ତି। ଏଥି ସହିତ, ପ୍ରତିବର୍ଷ ୩୦ ଲକ୍ଷ ଲୋକ ମଦ୍ୟପାନ ହେତୁ ମୃତ୍ୟୁବରଣ କରୁଥିବା ବେଳେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ଜଣାଯାଏ। ଭେଦଭାବ ନୀତି, ମାନବିକ ଅଧିକାରର ଉଲ୍ଲଂଘନ ଏବଂ ସାମାଜିକ କଳଙ୍କ ଓ ଲାଞ୍ଛନ ଏହା ପଛର ମୁଖ୍ୟ କାରଣ ବୋଲି ଜଣାଯାଇଛି।

ତେବେ ଲୋକଙ୍କ ପାଖରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଠିକ୍ ତଥ୍ୟର ଅଭାବ ହେତୁ ଏଭଳି ପରିସ୍ଥିତି ଦେଖାଯାଉଛି। ମାନସିକ ବିକୃତିର ଶିକାର ହେଉଥିବା ଲୋକଙ୍କ ଅବସ୍ଥା ଅଧିକ ଖରାପ ହୋଇଚାଲିଛି। ଏପରି ପରିସ୍ଥିତିରେ, ନିଜ ମାନସିକ ସ୍ୱାସ୍ଥ୍ୟ ପାଇଁ ସଠିକ୍ ପଦକ୍ଷେପ ନେବା ସହିତ ବନ୍ଧୁ ଓ ପରିବାର ସଦସ୍ୟଙ୍କ ପାଇଁ ଦୃଢ ପଦକ୍ଷେପ ନେବା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତ୍ତବ୍ୟ ହେବା ଉଚିତ।

ଯଦି ଦେଖାଯାଏ ତେବେ ବ୍ୟବସାୟ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟର ଗମ୍ଭୀରତା ଅଧିକ ବୃଦ୍ଧି ପାଉଛି । ଏନେଇ କେତେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ପାଇଁ ସୁସ୍ଥତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥି ସହିତ ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି।

ଗତ ବର୍ଷ କୋଭିଡ -୧୯ ମହାମାରୀ ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସେବା ଓ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏହି ମହାମାରୀର ପ୍ରଭାବ ଆଶା କରାଯାଉଥିବା ଠାରୁ ଅଧିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି “ସମସ୍ତଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟର ଯତ୍ନ ; ଚାଲନ୍ତୁ ଏହାକୁ ବାସ୍ତବତାରେ ପରିଣତ କରିବା” ଚଳିତ ବର୍ଷର ବିଷୟବସ୍ତୁ ରହିଛି.

ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶ୍ୱର ସମସ୍ତ ସରକାର ସବୁ ସ୍ତରରେ ମାନସିକ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବୃଦ୍ଧି କରିବାର ଆବଶ୍ୟକତାକୁ ସ୍ୱୀକାର କରିଥିଲେ। WHO ଅନୁଯାୟୀ, ଅନେକ ଦେଶ ମଧ୍ୟ ନାଗରିକମାନଙ୍କୁ ନୂତନ ଉପାୟରେ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି।

କୋଭିଡ୍-୧୯ ମହାମାରୀ ବେଳେ ମାନସିକ ଅବସାଦର ଲକ୍ଷଣ ଓ କାରଣଗୁଡ଼ିକ ବହୁତ ବଦଳିଯାଇଛି। କେଉଁଠି ମହାମାରୀ କାରଣରୁ ସାମାଜିକ ଦୂରତା ଏବଂ ବିଚ୍ଛିନ୍ନତା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିବା ବେଳେ କେଉଁଠି ଘରେ ଅଧିକ ସମୟ ରହିବା ଦ୍ୱାରା କାହାର ଚିଡିଚିଡିପଣ ବଢିଛି। ଏପରି ସ୍ଥିତିରେ, ଚିନ୍ତା, ଉଦାସୀନତା, ଅସ୍ଥିରତା, ଶୋଇବାରେ ବ୍ୟତିକ୍ରମ ଅନେକ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି କରୁଛି। ତେବେ ଏଭଳି ପରିସ୍ଥିତିରେ କେବଳ ମାନସିକ ସ୍ୱାସ୍ଥ୍ୟରେ ସଚେତନତା ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିବ।

OTV is now on Whatsapp

Join and get latest news update delivered to you via whatsapp

Join Now