Advertisment

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ଅଘଟଣର ଆଶଙ୍କା କଲେ ସେବାୟତ

ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ସ୍ଥିତି। ଏମିତି କି ମନ୍ଦିର ଉପରେ ମାଙ୍କଡ଼ ଡିଆଁ ଡେଇଁରେ ବି ପଥର ଖସି ଅଘଟଣର ଆଶଙ୍କା କରୁଛନ୍ତି ସେବାୟତ।

author-image
Chandan Shishu
Shree Jagannatha Temple

Shree Jagannatha Temple

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ଗତ ଅଗଷ୍ଟ ୨ରେ ଗର୍ଭଗୃହ ଭିତରେ ଦେଢ଼ କେଜି ଓଜନର ପ୍ଲାଷ୍ଟର ଖଣ୍ଡ ଖସିଥିଲା। ଏବେ ଜଗମୋହନ ବାହାରପଟ ଚର୍ଚ୍ଚାଘର ଉପରୁ ଖସିଛି ପଥର। ହେଲେ ଖସିଥିବା ପଥରର ଓଜନ କେତେ? ଆକାରରେ କେତେ ବଡ଼? ସେନେଇ ନା ମନ୍ଦିର ପ୍ରଶାସନ ନା ଏଏସ୍ଆଇ କର୍ତ୍ତୃପକ୍ଷ କେହି ବି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି କିନ୍ତୁ ଏହି ଘଟଣା ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଘଟଣାର ୫ ଦିନ ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପଥର ଖସିବା ଘଟଣାକୁ ସ୍ୱୀକାର କରିଛନ୍ତି। କହିଛନ୍ତି ଗତ ୨୩ ତାରିଖରେ ମନ୍ଦିରର ଦକ୍ଷିଣ ପୂର୍ବ ଦିଗ ମାଜଣା ମଣ୍ଡପ ପାଖରୁ ପଥର ଖସିଛି। ହେଲେ ଏଥିପାଇଁ କାହାର କିଛି କ୍ଷତି ହୋଇନାହିଁ। ଏ ସଂପର୍କରେ ଏଏସ୍ଆଇକୁ ଜଣାଇ ଦିଆଯାଇଛି।

Advertisment

ସିଂହଦ୍ୱାର ଗୁମୁଟ ପାଖରେ ଥିବା ଏକ ସ୍ଥାନ ଉପରେ ଯେମିତି ସଖୀ ଓ ଚାଳି ରହିଛି, ଜଗମୋହନ ମାଜଣା ମଣ୍ଡପ ସମ୍ମୁଖ ଭାଗରେ ମଧ୍ୟ ସେମିତି ସକ୍ଷୀ ଓ ଚାଳି ରହିଛି। ଆଉ ତୃତୀୟ ଚାଳିରୁ ଖସିଛି ପଥର। ଶ୍ରୀମନ୍ଦିର ଗୁମୁଟ ପାଖରେ ବି ଏକାଧିକ ସ୍ଥାନରୁ ପଥର କିମ୍ବା ପ୍ଲାଷ୍ଟର ଖସିଥିବାର ଚିହ୍ନ ଜଳ ଜଳ। ଅନେକ ସ୍ଥାନରେ ଫାଟ। ତେଣୁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ସ୍ଥିତି। ଏମିତି କି ମନ୍ଦିର ଉପରେ ମାଙ୍କଡ଼ ଡିଆଁ ଡେଇଁରେ ବି ପଥର ଖସି ଅଘଟଣର ଆଶଙ୍କା କରୁଛନ୍ତି ସେବାୟତ। କେବଳ ସେତିକି ନୁହେଁ ବାରମ୍ବାର ଏଭଳି ଘଟଣା ପାଇଁ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍ଆଇର ଅବହେଳାକୁ ଦାୟୀ କରି ଅସନ୍ତୋଷ ବି ଝାଡ଼ିଛନ୍ତି। ଖାଲି ସେବାୟତ ନୁହେଁ ଘଟଣାକୁ ନେଇ ଭକ୍ତ ମହଲରେ ବି ତୀବ୍ର ପ୍ରତିକ୍ରିୟା।

କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀଗୁଣ୍ଡିଚା ମନ୍ଦିର ଅବସ୍ଥା ବି ଭଲ ନାହିଁ। ଶ୍ରୀଗୁଣ୍ଡିଚା ନାଟମଣ୍ଡପରେ ଥିବା ୪ଟି କଲମରୁ ୩ଟି କଲମ୍ ଓ ବିମ୍‌ରେ ଫାଟ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ପକ୍ଷରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ ପରେ ଏହି ସୂଚନା ଦିଆଯାଇଛି। ତେବେ ଏହି ଫାଟ ସେତେ ବିପଦପୂର୍ଣ୍ଣ ନଥିବା ଏବଂ ରଥଯାତ୍ରା ପୂର୍ବରୁ ଆବଶ୍ୟକ ମରାମତି କାମ କରାଯିବ ବୋଲି କମିଟି ପକ୍ଷରୁ କୁହଯାଇଛିି।

Advertisment

ଏପଟେ ଶ୍ରୀମନ୍ଦିରରୁ ପଥର ଖସିବା ଘଟଣାରେ ଏଏସଆଇ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ। ତେବେ ଶ୍ରୀମନ୍ଦିର ପାଇଁ ଏ ଘଟଣା ନୂଆ ନୁହେଁ। ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ ରତ୍ନବେଦୀ ପାଖରେ ପଥର ଖସିବା ପୂର୍ବରୁ ୨୦୧୫ ଫେବ୍ରୁଆରୀ ୧ ତାରିଖରେ କୁର୍ମବେଢ଼ା ନିକଟ ଜଳକ୍ରୀଡ଼ା ମଣ୍ଡପରୁ ଏକ ପଥର ଖସିଥିଲା, ଯେଉଁଥିଲେ ଜଣେ ସଫେଇ କର୍ମଚାରୀ ଆହତ ହୋଇଥିଲେ। ସେହିପରି ୧୯୯୦ ମସିହାରେ ଅଁଳାଶ୍ରୀରୁ ଏକ ୫ଟନ୍ ଓଜନର ପଥର ଖସିଥିଲା ବେଳେ ୧୯୯୨ରେ ଗର୍ଭଗୃହ ଛାତରୁ ୨ଖଣ୍ଡ ପଥର ଏବଂ ୨୦୧୧ରେ ପଶ୍ଚିମଦ୍ୱାର ଗୁମୁଟର କଳସ ଖସି ପଡ଼ିଥିଲା।

(ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)

Shree Jagannatha Temple
Advertisment
Advertisment