• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଣ ଜଙ୍ଗଲ ଭିତରେ ଘର ଖଣ୍ଡିଏ ରହିଛି । ଦୂରରେ ଦେଖିଲେ ତ ଘର ଭଳି ଦିଶୁଛି । କିନ୍ତୁ ପାଖକୁ ଗଲେ ସେଇଟା ଘର ନୁହେଁ ବରଂ ପାଇଖାନା ବୋଲି ଜଣାପଡୁଛି । ତାହାପୁଣି ସ୍ୱଚ୍ଛ ଭାରତ ଅଭିଯାନରେ ତିଆରି ହୋଇଥିବା ପାଇଖାନା ଘର । ଆମେ ବି ଯେତେବେଳେ ଏହି ଦୃଶ୍ୟ ଦେଖିଥିଲୁ ହଠାତ୍‌ କିଛି ବୁଝି ପାରିନଥିଲୁ । ପାଇଖାନା ଘରେ ଜଣେ ବୁଢୀ ମାଆ କାହିଁକି ରହୁଛି ? କେବେଠୁ ରହୁଛି ? ସେନେଇ ମନରେ ପ୍ରଶ୍ନ ଆସିଥିଲା । ହେଲେ ଘଟଣା ଯେତେବେଳେ ଜାଣିଲୁ ଆମେ ବି ଚୁପ୍‌ ରହିଲୁ ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କଦମଢ଼ି ଗାଁର । ଆଉ ବୃଦ୍ଧା ଜଣକ ହେଉଛନ୍ତି ୮୦ ବର୍ଷିୟ ତୁଳସୀ ମୁଣ୍ଡା । ସ୍ୱାମୀ ଚାଲିଯିବା ପରେ ସେ ପୂରା ଏକା ଏକା ହୋଇପଡିଛନ୍ତି । ପିଲାଛୁଆ କି ପରିବାର ଆଉ କେହି ନାହାନ୍ତି । ସ୍ୱାମୀ ବଞ୍ଚିଥିବା ବେଳେ ବଡ଼ କଷ୍ଟରେ ଝାଟିମାଟିର ଘର ଖଣ୍ଡିଏ କରିଥିଲେ, ହେଲେ ସେ ଯିବା ପରେ ସେ ଘର ଖଣ୍ଡିଏ ବି ମାଟିରେ ମିଶିଗଲା । ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ ।

ମାସେ କି ଦୁଇମାସର କଥା ନୁହେଁ ବରଂ ବର୍ଷବର୍ଷ ଧରି ପାଇଖାନାରେ ତାଙ୍କର କଟୁଛି ଜୀବନ । ୪ ଫୁଟିଆ ଚଉଡା ଆଉ ୮ ଫୁଟିଆ ଉଚ୍ଚ ପାଇଖାନା ଘରେ ରୋଷେଇ ସହ ଶୋଇବା ଜିନିଷ ସାଙ୍ଗକୁ ଖାଇବା ଜିନିଷ ସବୁ ଖୁନ୍ଦିଖାନ୍ଦି ହୋଇ ରହିଛି। ଆଉ ତାହାରି ଭିତରେ ଜାକିଜୁକି ହୋଇ ଶୁଆବସା କରୁଛନ୍ତି ତୁଳସୀ । ଆଉ ଯଦି ସରକାରୀ ସହାୟତା କହିବେ ତେବେ ବିଧବା ଭତା ସହିତ ୫ କିଲୋ ଚାଉଳ ଦେଇ କାମ ସାରି ଦେଇଛନ୍ତି ସରକାର। ଆଉ ଶୀତକାକରରେ ଥରି ଥରି ଜୀବନ କାଟୁଛନ୍ତି ତୁଳସୀ ।

ତେବେ ତୁଳସୀଙ୍କୁ ସରକାରୀ ସହାୟତା ଦେବା ସହିତ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ଦାବି ଜୋର ଧରିଛି । ସେପଟେ ତୁଳସୀଙ୍କ ଅସହାୟତାକୁ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

(ରିପୋର୍ଟ- ସୁନୀଲ ପଣ୍ଡା, କୋଇଡା)