• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଧ ରାତିରେ ହାତଧରାଧରି ହୋଇ ଥାନା ଭିତରକୁ ପଶୁଥିଲେ ସ୍ୱାମୀ-ସ୍ତ୍ରୀ । ଶୀତ ରାତିରେ ଥରି ଥରି ଯାଉଥିଲେ । ହେଲେ ନଇଁନଇଁ ଥାନାକୁ ଆସୁଥିବା ଏହି ବୃଦ୍ଧ ବୃଦ୍ଧା କିଏ ? କାହିଁକି ଥାନାକୁ ଅଧ ରାତିରେ ଆସିଥିଲେ । ଆଉ ଭୋ ଭୋ ହୋଇ କାନ୍ଦୁଥିଲେ । ଏମିତି କିଛି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆଉ ହଠାତ୍‌ ଆପଣ କିଛି ଠଉରାଇ ପାରିବେ ନାହିଁ । ଏହି ବୃଦ୍ଧ ଦମ୍ପତ୍ତି ଥାନାରେ ପହଞ୍ଚି କାନ୍ଦିଲେ କାହିଁକି ? ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?

ପରିଣତ ବୟସରେ ପର କରିଦେଲା ପୁଅ । ସାହାରା ପାଇଁ ରାତି ଅଧିଆ ଥାନାରେ ପହଞ୍ଚିଲେ ବାପା-ମାଆ । ଏଇ ବୃଦ୍ଧ ଦମ୍ପତ୍ତିଙ୍କ ବୟସ ୮୦ ଟପିଲାଣି । ଚାଲିବା ବୁଲିବା ୟାଙ୍କ ପକ୍ଷରେ ଆଉ ସେତେଟା ସମ୍ଭବ ହେଉନି । ହେଲେ ପରିସ୍ଥିତି ଆଜି ୟାଙ୍କୁ ବାଧ୍ୟ କରିଛି ଅଧ ରାତିରେ ଥାନାକୁ ଆସିବାକୁ । ଯେଉଁ ପୁଅକୁ ଆଶ୍ରା କରି ବଂଚିଥିଲେ ଆଜି ସିଏ ସାତ ପର କରିଦେଇଛି । ଖାଇବାକୁ ଦେଉନି କି ଭଲମନ୍ଦ କଥା କିଛି ପଚାରୁନି । ଦୁଃଖ ଏତିକିରେ ସରିନି ବରଂ ଏଇ ବୟସରେ ବାପା-ମାଆଙ୍କୁ ପିଟୁଥିବା ନେଇ ଏମାନେ ଥାନାରେ ଅଭିଯୋଗ ବି କରିଛନ୍ତି । ଆଉ ଏ ଘଟଣା ହେଉଛି ବାଲେଶ୍ୱର ସୋରର ।

ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ସୋର ଅଂଚଳର ଦୀନବନ୍ଧୁ ମାଝୀ ଓ ପାର୍ବତୀ ମାଝୀ । ଚମ ପୂରା ଧୁଡଧୁଡ ହୋଇଗଲାଣି । ହେଲେ ଘରେ ଏମାନେ ଏତେ ନିର୍ଯାତିତ ହେଲେ ଯେ ଅଧ ରାତିରେ ଆସି ଥାନାରେ ପହଞ୍ଚିଲେ । ପୁଅ ବୋହୂଙ୍କ ଅତ୍ୟାଚାର ସହିନପାରି  ଶେଷରେ ଥାନାକୁ ଦଉଡି ଆସି ନ୍ୟାୟ ଭିକ୍ଷା କରିଛନ୍ତି ଦୀନବନ୍ଧୁ ଓ ପାର୍ବତୀ ।

ସେପଟେ ଦୀନବନ୍ଧଙ୍କ ବୋହୂଙ୍କୁ ନିର୍ଯାତନା ସମ୍ପର୍କରେ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ପରିଣତ ବୟସରେ ପୁଅ ବୋହୂଙ୍କୁ ନେଇ କେତେ କଣ ସ୍ୱପ୍ନ ଦେଖନ୍ତି ବାପା-ମାଆ । ହେଲେ ଏଠି ପରିସ୍ଥିତି ଭିନ୍ନ । ତେଣୁ ଲୋକେ କହୁଛନ୍ତି ଏମିତି ପୁଅ ଜନ୍ମ ନହେବା ଭଲ । ଏମିତି ପୁଅ ଭଗବାନ କାହାରିକୁ ନଦିଅନ୍ତୁ ।

 

(ରିପୋର୍ଟ- ନିରଞ୍ଜନ ବେହେରା, ସୋର)