• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚଭୂତରେ ବିଲୀନ ହେଲେ ଶତ ଶତ ସୁରିଲା ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର । ଭୁବନେଶ୍ୱରର ସତ୍ୟନଗର ବାସଭବନରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ପ୍ରଫୁଲ୍ଲଙ୍କ ଶବାଧାରରେ ସାମିଲ ହୋଇଥିଲେ ସଂଗୀତ ପ୍ରେମୀ, ଜଣାଇଥିଲେ ଗଭୀର ଶ୍ରଦ୍ଧାଞ୍ଜଳୀ । ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲଙ୍କ ସଂଗୀତ ସଫର ବି ଥିଲା ବେଶ୍ ଲମ୍ବା ।

ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଂଗୀତ ଜଗତକୁ ଆଚ୍ଛାଦିତ କରି ରଖିଥିବା ସେହି ଅମଳିନ ପ୍ରତିଭା ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ଆଜି ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଶେଷଦର୍ଶନ ପାଇଁ ସିନେମା, ସଂଗୀତ, ରାଜନୀତି ଓ ପ୍ରଶଂସକ-ସବୁ ମହଲରୁ ଲାଗିଥିଲା ଭିଡ଼ ।

ଶ୍ରଦ୍ଧାସୁମନ ଅର୍ପଣ ଲାଗି ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେଠାରୁ ପ୍ରଫୁଲ୍ଲଙ୍କ ଶବାଧାର ସିଧା ପୁରୀ ଅଭିମୁଖେ ବାହାରିଥିଲା । ବିଭିନ୍ନ ବୟସ ଓ ବର୍ଗର ଲୋକେ ଶେଷ ଦର୍ଶନ କରିବା ପରେ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହୋଇଥିଲା ଶେଷକୃତ୍ୟ । ମୁଖାଗ୍ନି ଦେଇଥିଲେ ବଡପୁଅ ମହାଦୀପ କର । ଶେଷକୃତ୍ୟରେ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରଫୁଲ୍ଲଙ୍କ ବିୟୋଗରେ ଶୋକବ୍ୟକ୍ତ କରିଥିଲେ ।

୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସୁନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ଏକଧାରାରେ ସେ ଥିଲେ ଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ ସମ୍ଭକାର । କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ । ପୂର୍ବରୁ ୨୦୦୪ରେ ପାଇଥିଲେ ଜୟଦେବ ପୁରସ୍କାର । ଏଥିସହ ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ଏକାଧିକ ପୁରସ୍କାର ଓ ମାନ ସମ୍ମାନ ବି ପାଇଛନ୍ତି ।

୭୦ରୁ ଅଧିକ ଓଡ଼ିଶା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ କର । ଏଥିସହ ୫ଟି ବଙ୍ଗଳା ଫିଲ୍ମରେ ବି ରହିଛି ତାଙ୍କ ସଂଗୀତ ନିର୍ଦ୍ଦେଶନାର ଛାପ । ୧୯୭୭ର ବନ୍ଧୁ ମହାନ୍ତି ଫିଲ୍ମ ତାଙ୍କୁ ଘରେ ଘରେ ପରିଚୟ ଆଣି ଦେଇଥିଲା । ଏହି ସିନେମାର ମହାବାହୁ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ । ପରେ ବଳୀଦାନ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ସୃଷ୍ଟି କରିଥିଲେ ବିରାଟ ପରିଚୟ । ଖାଲି ସେକିତି ନୁହେଁ ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଏବଂ ଓଡ଼ିଶୀ ସଂଗୀତରେ ବି ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଛି ।

ପରିଣତ ବୟସ ପର୍ଯ୍ୟନ୍ତ ସେ ସଂଗୀତ ସାଧନାରେ ବ୍ରତୀ ଥିଲେ । ପ୍ରଫୁଲ୍ଲ କରଙ୍କୁ ସର୍ବାଧିକ ୬ଥର ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । କଳାପ୍ରିୟ ପରିବାରରୁ ଆସିଥିବା ପ୍ରଫୁଲ୍ଲ କରଙ୍କ ପରପିଢ଼ୀ ମଧ୍ୟ ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ । ପ୍ରଫୁଲ୍ଲଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ତଥା କଳା ଜଗତରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ବିୟୋଗରେ ସବୁ ମହଲରେ ଗଭୀର ଶୋକ ସହ ଓଡ଼ିଶାର ସଙ୍ଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ଘଟିଲା ବୋଲି ସମସ୍ତେ କହିଛନ୍ତି । ସମସ୍ତଙ୍କୁ ପର କରି ପରପାରିକୁ ପ୍ରଫୁଲ୍ଲ ଚାଲିଯାଇଛନ୍ତି ସତ, ହେଲେ ଆଜି ବି ତାଙ୍କର ପ୍ରତିଟି ଗୀତ ଓ ସଂଗୀତର ସ୍ୱରକୁ ଗୁଣୁଗୁଣାଉଛନ୍ତି ଶ୍ରୋତା ଏବଂ ଝୁରୁଛନ୍ତି ସଂଗୀତ ପ୍ରେମୀ ।