• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଏମଏଲଏ କ୍ୱାର୍ଟର୍ସ ପାଇଁ ବୃକ୍ଷବଳି ବିରୋଧରେ ତୀବ୍ର ହେଉଛି ସ୍ୱର। ଗୋଟିଏ ପଟେ ଗ୍ରାଉଣ୍ଡ ଜିରୋରେ ଲଢ଼େଇ ଜାରି ରହିଥିବାବେଳେ ଅନ୍ୟପଟେ ଆରମ୍ଭ ହୋଇଛି ଆଇନଗତ ଲଢ଼େଇ। ଏ ପ୍ରସଙ୍ଗରେ ଦାଏର ଜନସ୍ୱାର୍ଥ ମାମଲାକୁ ଅତି ଗୁରୁତର ସହ ନେଇ ହାଇକୋର୍ଟ କରିଛନ୍ତି ଜବାବ ତଲବ। ଗଛକଟା, ପ୍ରକଳ୍ପ ନିର୍ମାଣ ଓ ବନୀକରଣ ପ୍ରସଙ୍ଗରେ ମାଗିଛନ୍ତି ବିସ୍ତୁତ ତଥ୍ୟ। ଏ ନେଇ ସାଧାରଣ ପ୍ରଶାନ ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି। 

ପିଆଇଏଲ୍‌ରେ ଆବେଦନକାରୀ ଜୟନ୍ତୀ ଦାସ ଦର୍ଶାଇଛନ୍ତି, ବିଧାୟକଙ୍କ ଲାଗି ବହୁତଳ ପ୍ରାସାଦ ନିର୍ମାଣ ପାଇଁ ୮୭୦ ଗଛ କାଟିବାକୁ ସରକାର ଯୋଜନା କରିଛନ୍ତି। ୟାଭିତରେ ୨ଶହ ପୁରୁଣା ଗଛ ଟଳିଲାଣି। ବଳି ପଡ଼ିଥିବା ଓ ଆଗକୁ କଟା ହେବାକୁ ଥିବା ଗଛ ସବୁ ଦୀର୍ଘ ଶହେ ବର୍ଷ ଧରି ଭୁବନେଶ୍ୱରର ପରିବେଶ ସନ୍ତୁଳନ ରକ୍ଷା କରି ଆସୁଛି। ଏସବୁ ଗଛ ନକାଟି ମଧ୍ୟ ପ୍ରକଳ୍ପ କରାଯାଇ ପାରିବ। ତେଣୁ କୋର୍ଟ ତୁରନ୍ତ ଗଛକଟା ଉପରେ ରୋକ୍ ଲଗାନ୍ତୁ। ଜବାବରେ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ସବୁକିଛି ଆଇନ ଅନୁସାରେ ହେଉଛି। ଗଛକଟା ସମ୍ପର୍କରେ ସରକାର ଯଥେଷ୍ଟ ସଚେତନ ଅଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସାଧାରଣ ପ୍ରଶାସନ ବିଭାଗଠାରୁ ବିସ୍ତୃତ ଜବାବ ମାଗିବା ସହ ଜୁନ୍ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

ସେପଟେ ବୃକ୍ଷବଳି ବିରୋଧରେ ଗ୍ରାଉଣ୍ଡ ଜିରୋରେ ଆନ୍ଦୋଳନ ଜାରି ରହିଛି। ଇଏ ଆଜିର ଚିତ୍ର ମହାନଦୀ ବଞ୍ଚାଓ ଆନ୍ଦୋଳନ, ପ୍ରେରଣା ଏବଂ ଓଡ଼ିଶା ଏନଭାର୍ଣ୍ଣମେଣ୍ଟ ସୋସାଇଟି ପକ୍ଷରୁ ଚାଲିଛି ଧାରଣା। ତେଣେ ଆଜି କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ। ଅନ୍ୟଏକ ସୂଚନା କ୍ରମେ ଗତକାଲି ରାଜ୍ୟପାଳଙ୍କୁ ଭେଟି ଗଛବଳି ରୋକିବାକୁ ଦାବିପତ୍ର ଦେଇଛନ୍ତି ବିଧାୟକ ସୁରେଶ ରାଉତରାୟ ଓ ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲିପ ଶ୍ରୀଚନ୍ଦନ।

ବୁଦ୍ଧିଜୀବୀ, ପରିବେଶବିତ୍ ଓ ବୃକ୍ଷପ୍ରେମୀଙ୍କ ପକ୍ଷରୁ ତୀବ୍ର ବିରୋଧ ପରଠୁ ଏମଏଲଏ କଲୋନୀରେ ଗଛକଟା ତ ବନ୍ଦ ରହିଛି। ହେଲେ ଆଗକୁ ଏହା ସମ୍ପୂର୍ଣ୍ଣ ବନ୍ଦ ହେବ କି ନା ସେ ନେଇ ଏବେ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ।

ରିପୋର୍ଟ: ବିବର୍ତ୍ତନ ପଣ୍ଡା, ଗୌତମ ପଣ୍ଡାଙ୍କ ରିପୋର୍ଟ, ଓଟିଭି