• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଳା ପୁଳା ପୁରସ୍କାର ଗଣ୍ଡା ଗଣ୍ଡା ଯୋଜନା ତା ପରେ ବି ବଦଳୁନି ଭାଗ୍ୟ । ଦୂର ହେଉନି ଦୁଃସ୍ଥିତି । ଆଜି ମଧ୍ୟ ଆୟ କ୍ଷେତ୍ରରେ ପଛୁଆ କୃଷି ପ୍ରଧାନ ଓଡ଼ିଶାର ଚାଷୀ । କଂଗ୍ରେସ୍ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦେଶର ସବୁ ରାଜ୍ୟର ଚାଷୀଙ୍କ ଆୟ ନେଇ ଯେଉଁ ତଥ୍ୟ ରଖିଛନ୍ତି, ତାହା ଓଡ଼ିଶା ପାଇଁ ଅତ୍ୟନ୍ତ ନିରୁତ୍ସାହଜନକ ।

୨୦୧୮ ଜୁଲାଇରୁ ୨୦୧୯ ଜୁନ୍ ପର୍ଯ୍ୟନ୍ତ । ଗୋଟିଏ କୃଷି ବର୍ଷରେ ଓଡ଼ିଶାର ଗୋଟିଏ ଚାଷୀ ପରିବାରର ମାସିକ ଆୟ ମାତ୍ର ୫ ହଜାର ୧୧୨ ଟଙ୍କା । ଦେଶର ସମସ୍ତ ରାଜ୍ୟ ଭିତରୁ ଓଡ଼ିଶା ତଳଆଡୁ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କେବଳ ଝାଡଖଣ୍ଡ ୪ ହଜାର ୪୯୫ ଟଙ୍କା ସହ ସବୁଠୁ ତଳେ ରହିଛି । ତାଲିକାରେ ୧ ନମ୍ବର ସ୍ଥାନରେ ରହିଛି ମେଘାଳୟ । ସେଠାରେ ଚାଷୀ ପରିବାରର ମାସିକ ଆୟ ୨୯ ହଜାର ୩୪୮ ଟଙ୍କା । ପଞ୍ଜାବ ଦ୍ୱିତୀୟ ଓ ହରିୟାଣା ତୃତୀୟ ସ୍ଥାନରେ ରହିଛନ୍ତି । ଚାଷୀ ପରିବାରର ଆୟ ଜାତୀୟ ହାର ୧୦ ହଜାର ୨୧୮ ହୋଇଥିବା ବେଳେ ସେ ତୁଳନାରେ ବି ଯଥେଷ୍ଟ ପଛରେ ରହିଛି ଓଡ଼ିଶା ।

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର । କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ ବୋଲି କହି ଟାର୍ଗେଟ୍ କରିଛନ୍ତି ବିରୋଧୀ । ଏମିତିକି ରାଜ୍ୟ ସରକାରଙ୍କ ଧାନକିଣା ନୀତି ଓ ମଣ୍ଡି ସମସ୍ୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଖୋଦ୍ ବିଧାନସଭାର ଷ୍ଟାଣ୍ଡିଂ କମିଟି ।

ଚାଷୀଙ୍କ ପାଇଁ କାଳିଆ, ବଳିଆ ଭଳି ସିଧା ଆର୍ଥିକ ସହାୟତା ଯୋଜନା ଛଡ଼ା ସହଜରେ ଋଣ ଯୋଗାଣ ଲାଗି ମୃଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଯନ୍ତ୍ରପାତି କିଣାରେ ସୁବିଧା ଲାଗି ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି, ମହିଳା ଚାଷୀଙ୍କୁ ସ୍ମାର୍ଟ ଫୋନ୍ ଓ କୃଷକ କଲ୍ୟାଣ ଲାଗି ବିଏସକେଓ୍ୱାଇ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଚାଷୀ ଯେଉଁ ଗରିବକୁ ସେହି ଗରିବ ରହୁଥିବାରୁ ଯୋଜନାର ସୁଫଳ ପାଉଛି କିଏ, ତାକୁ ନେଇ ପ୍ରଶ୍ନ ଉଠିଛି ।