• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ସେହି ପରାଗ ଅଗ୍ରୱାଲ ? ଟ୍ୱିଟର ସିଇଓ ଜ୍ୟାକ୍‌ ଡୋର୍‌ସି ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି କମ୍ପାନୀର ସିଟିଓ ପରାଗ ଅଗ୍ରୱାଲ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍‌ କରି ଜ୍ୟାକ୍‌ ଡୋର୍‌ସିଙ୍କୁ ଓ କମ୍ପାନୀର ସବୁ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଜଣେ ଭାରତୀୟ ଟ୍ୱିଟ୍‌ର ଭଳି କମ୍ପାନୀର ସିଇଓ ହେବାକୁ ଯାଉଛନ୍ତି । ତେବେ ଏହାକୁ ନେଇ ନାନା ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ସାଧାରଣତଃ କିଏ ଏହି ପରାଗ ଅଗ୍ରୱାଲ ? ଏହା ଜାଣିବା ପାଇଁ ଏବେ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ପରାଗ ଅଗ୍ରୱାଲ ଏବେ ଟ୍ୱିଟରର ସିଟିଓ ବା ଚିଫ୍‌ ଟେକ୍‌ନୋଲୋଜି ଅଫିସର୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ପୂର୍ବରୁ ଏହି ପଦବୀରେ ଆଡାମ ମେସିଙ୍ଗର ନିଯୁକ୍ତ ଥିଲେ । ସେ ଡିସେମ୍ବର ୨୦୧୬ରେ ଚାକିରି ଛାଡ଼ିବା ପରେ ତାଙ୍କ ସ୍ଥାନରେ ସିଟିଓ ଭାର ସମ୍ଭାଳିଥିଲେ ପାରାଗ ଅଗ୍ରୱାଲ । ଅକ୍ଟୋବର ୨୦୧୭ ରେ ଟ୍ୱିଟରର ସି.ଟି.ଓ ଦାୟିତ୍ୱ ପରାଗଙ୍କୁ ଦିଆଯାଇଥିଲା । ହେଲେ ୨୦୧୮ ମାର୍ଚ୍ଚ ୮ରେ ତାଙ୍କୁ କମ୍ପାନୀ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଟ୍ୱିଟରର ସିଟିଓ ଭାବେ ନିଯୁକ୍ତି ଦିଆଗଲା । ଟୁଇଟରରେ ଟ୍ୱିଟ୍‌ ଗୁଡ଼ିକର ଗୁରୁତ୍ୱ ବଢ଼ାଇବା ପାଇଁ ପରାଗ ଯେଉଁଭଳି ଭାବେ ବୁଦ୍ଧି ପ୍ରୟୋଗ କଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ । ତେଣୁ ତାଙ୍କୁ ଉଚ୍ଚ ପ୍ରଶଂସା ମଧ୍ୟ କରାଯାଇଛି । ଯେତେବେଳେ ପରାଗ ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରେ ପାଠ ପଢ଼ୁଥିଲେ, ସେତେବେଳେ ସେ ମାଇକ୍ରୋସଫ୍ଟ, ୟାହୁ ଏବଂ ଏଟିଆଣ୍ଡଟି ଭଳି ବଡ଼ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ ।

ଟ୍ୱିଟରର ନୂତନ ସିଇଓ ପାରାଗ ଅଗ୍ରୱାଲ ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ଏଥିସହ ଷ୍ଟେନଫୋର୍ଡ ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ ମଧ୍ୟ ହାସଲ କରିଛନ୍ତି । ପାରାଗ ଅଗ୍ରୱାଲ ୨୦୧୧ ରୁ ଟ୍ୱିଟରରେ କାମ କରିଆସୁଛନ୍ତି । ଆଉ ୨୦୧୭ରୁ ସେ କମ୍ପାନୀର CTO ଭାବେ ନିଯୁକ୍ତ ହୋଇଛନ୍ତି । ଯେତେବେଳେ ସେ କମ୍ପାନୀରେ ଯୋଗ ଦେଇଥିଲେ, ସେତେବେଳେ ଟ୍ୱିଟରରେ ହଜାରରୁ କମ୍ କର୍ମଚାରୀ କାମ କରୁଥିଲେ ।

ଜ୍ୟାକ୍ ଡୋର୍‌ସି ଟ୍ୱିଟ୍ ମାଧ୍ୟମରେ ନିଜର ଇସ୍ତଫା କଥା ଜଣାଇଥିବା ବେଳେ ପାରାଗ ଅଗ୍ରୱାଲ ପରବର୍ତ୍ତୀ ସିଇଓ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟ୍‌ରେ ଯେଉଁ ଚିଠି ଆଟାଚ୍‌ କରିଛନ୍ତି ସେଥିରେ ସେ ପରାଗଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି । ଜ୍ୟାକ୍ ଡୋର୍ସି କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପାରାଗ ଅଗ୍ରୱାଲ୍‌ଙ୍କ ଚମତ୍କାର କ୍ୟାରିୟର ଗ୍ରୋଥ୍‌ ହୋଇଛି । ତାଙ୍କର ପ୍ରଦର୍ଶନ ଖୁବ୍‌ ଉଚ୍ଚ କୋଟିର ।

ତେବେ ଜ୍ୟାକ୍ ଡୋର୍‌ସିଙ୍କ ଇସ୍ତଫା ପରେ ପାରାଗ ଅଗ୍ରୱାଲ ମଧ୍ୟ ଏକ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଜ୍ୟାକ୍ ଏବଂ ଆମର ପୁରା ଟିମ୍‌କୁ ଅନେକ ଅନେକ ଧନ୍ୟବାଦ । ସେ ଆହୁରି ଲେଖିଛନ୍ତି ଯେ, ଭବିଷ୍ୟତକୁ ନେଇ ସେ ବହୁତ ଉତ୍ସାହିତ । ଏଡସହ ତାଙ୍କୁ ସମର୍ଥନ କରିଥିବା ଏବଂ ବିଶ୍ୱାସ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜ୍ୟାକ୍ ଡୋର୍ସିଙ୍କୁ ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେବାକୁ ପଡିଲା କାରଣ ସେ ଅନ୍ୟ ଏକ କମ୍ପାନୀ ସ୍କୋୟାରର ମଧ୍ୟ ସିଇଓ ରହିଛନ୍ତି । ସେଠାରୁ ସେ ଦରମା ମଧ୍ୟ ନେଉଛନ୍ତି । ସ୍କୋୟାର ପ୍ରତିଷ୍ଠାତା ହେଉଛନ୍ତି ଖୋଦ୍‌ ଜ୍ୟାକ୍‌ ଡୋର୍‌ସି । ଏଭଳି ପରିସ୍ଥିତିରେ କିଛି ବଡ଼ ନିବେଶକ ବା କମ୍ପାନୀମାନେ ଜ୍ୟାକ୍ ଡୋର୍‌ସିଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଏକା ସଙ୍ଗେ କାହିଁକି ଦୁଇଟି କମ୍ପାନୀରେ ସିଇଓ ରହିଛନ୍ତି ବୋଲି ପ୍ରଶ୍ନ ଉଠିଥିଲା । ତେଣୁ ବାଧ୍ୟ ହୋଇ ଜ୍ୟାକ୍‌ ଡୋର୍‌ସି ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୦୬ ମାର୍ଚ୍ଚ ୧୫ରେ ଜ୍ୟାକ୍‌ ଡୋର୍‌ସି ଟ୍ୱିଟର ସ୍ଥାପନା କରିଥିଲେ । ଟ୍ୱିଟରର ପ୍ରତିଷ୍ଠାତା ସଦସ୍ୟ ହେଉଛନ୍ତି ଜ୍ୟାକ୍‌ ଡୋର୍‌ସି । ସେ ଆରମ୍ଭରୁ ୨୦୦୮ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ହେଲେ ପରେ ତାଙ୍କୁ ହଟାଇ ଦିଆଯାଇଥିଲା । ୨୦୧୫ରେ ଯେତେବେଳେ ଡିକ୍ କୋଷ୍ଟୋଲୋ ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେଲେ ସେତେବେଳେ ପୁଣିଥରେ ଜ୍ୟାକ୍‌ ଡୋର୍‌ସି ସିଇଓ ଭାବେ କମ୍ପାନୀକୁ ଫେରିଥିଲେ ।