• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଖାଇବା ତିଆରି କରୁଥିବା ବେଳେ ହଠାତ୍ ବାଜି ଉଠିଲା ଏମରଜେନ୍ସି ସାଇରନ୍‌ । ସେତେବେଳକୁ ଯୁଦ୍ଧ ଘୋଷଣା କରିସାରିଥିଲା ଋଷିଆ । ଘନ ଘନ ବୋମାମାଡ଼ ଭିତରେ ଆରମ୍ଭ ହୋଇଗଲା ମହାଯୁଦ୍ଧ । ଆମେ ସାଙ୍ଗମାନେ ବୋମାମାଡ଼ ଶୁଣି ଭୟରେ ଥରି ଉଠିଥିଲୁ । ୱାଡେନଙ୍କ କହିବା ଅନୁସାରେ ସମସ୍ତେ ଯାଇ ବଙ୍କରରେ ଲୁଚିଲୁ ’। ଯୁଦ୍ଧଭୂମି ଜୀବନ ନେଇ ଫେରିଥିବା ଡାକ୍ତରୀ ଛାତ୍ର ଶୁଭ୍ରକାନ୍ତ ବଖାଣିଛନ୍ତି ଆତଙ୍କିତ ଘରବାହୁଡାର କାହାଣୀ ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣା ପହଞ୍ଚିଛନ୍ତି । ପୁଅର ଫେରନ୍ତା ବାଟକୁ ଚାହିଁ କାନ୍ଦ ବୋବାଳିରେ ଫାଟି ପଡୁଥିବା ପରିବାରରେ ଖୁସିର ଲହରି ଖେଳୁଥିବା ବେଳେ ଶୁଭ୍ରକାନ୍ତ ବର୍ଣ୍ଣନା କରିଛନ୍ତି ଫେରନ୍ତା ବାଟର ଲୋମ ଟାଙ୍କୁରା ଦୁଃଖଦ କାହାଣୀ ।

ୟୁକ୍ରେନର ଟର୍ଣ୍ଣୋପିଲ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଶୁଭ୍ରକାନ୍ତ ପ୍ରଥମ ବର୍ଷର ଛାତ୍ର ଭାବରେ ଲିଭିସ୍କ ଷ୍ଟ୍ରିଟ-୯ ହଷ୍ଟେଲରେ ରହୁଥିଲେ । ସେମାନେ ୨୪ ତାରିଖ ସକାଳୁ ନିଦରୁ ଉଠିବା ପରେ ୟୁକ୍ରେନ ଉପରେ ଆକ୍ରମଣ ହୋଇ ସାରିଥିଲା । ପରଦିନ ରାତିରେ ଖାଇବା ତିଆରି କରୁଥିବା ସମୟରେ ହଠାତ ବାଜି ଉଠିଲା ସାଇରନ ।

ଶୁଭ୍ରକାନ୍ତ ଓ ଅନ୍ୟ ୨୦ ଭାରତୀୟ ଛାତ୍ରଙ୍କ ସମେତ ସମସ୍ତ ଛାତ୍ର ଜରୁରୀ କାଗଜପତ୍ର ଧରି ଛାତ୍ରାବାସ ତଳକୁ ଚାଲି ଆସିଲେ । ସେଠାରୁ ଏକ ବଙ୍କର ଭିତରେ ଯାଇ ରହିଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ୟୁକ୍ରେନ୍ ଛାଡ଼ିବେ କିପରି ଚିନ୍ତା କରିଥିଲେ । ଘନ ଘନ ବୋମାମାଡ଼ ଭିତରେ ୟୁକ୍ରେନ୍‌ ଛାଡ଼ିବା ଏକପ୍ରକାର ଅସମ୍ଭବ ଥିଲା ।

ତଥାପି ସାହସ ସଞ୍ଚୟ କରି ଏକ ବସରେ ପୋଲାଣ୍ଡ ବାହାରିଥିଲେ । ହେଲେ ଟ୍ରାଫିକ୍‌ ଜାମ ଥିବାରୁ ପୋଲାଣ୍ଡ ସୀମାରେ ପହଞ୍ଚିବା ପାଇଁ ଶୁଭ୍ରକାନ୍ତ ଓ ଅନ୍ୟ ଛାତ୍ରମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡିଥିଲା । ପ୍ରାୟ ୨ରୁ ୩ ଦିନ ଚାଲିବା ପରେ ସେମାନେ ପୋଲାଣ୍ଡ ସୀମାରେ ପହଞ୍ଚିଥିଲେ । ଅନେକ କଷ୍ଟ କରିବା ପରେ ଏବେ ସମସ୍ତେ ଭାରତକୁ ଫେରି ପାରିଛନ୍ତି ।

ଆଉ ଏବେ ଘରକୁ ଫେରିବା ପରେ ଯୁଦ୍ଧ କ୍ଷେତ୍ରର ଲୋମଟାଙ୍କୁରା ଅନୁଭୂତି ବର୍ଣ୍ଣନା କରିଛନ୍ତି । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଥିବା ବେଳେ ଶୁଭ୍ରକାନ୍ତଙ୍କ ପାଠପଢାର ଭବିଷ୍ୟତ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ