Advertisment

ଖେଳକୁଦ ବୟସରେ ପରିବାର ସମ୍ଭାଳୁଛି କୁନି ଝିଅ ସନ୍ଧ୍ୟା

ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ ସନ୍ଧ୍ୟା ଓ ତାର କୁନିକୁନି ଦୁଇ ଭାଇ ଭିକି ଓ ଅଭି

author-image
Sarbeswar
Minor Girl

Minor Girl

କୁନି ବୟସରେ ମୁଣ୍ଡାଉଛି ପରିବାରର ବୋଝ। ଯେଉଁ ବୟସରେ ପାଠ ବସ୍ତାନୀ ମୁଣ୍ଡାଇବା କଥା ସେ ବୟସରେ ତା କାନ୍ଧରେ ପଡିଛି ପରିବାର ବୋଝର ଜୁଆଳି। ନିଜର ଓ ପରିବାର ତିନିଜଣଙ୍କ ଭବିଷ୍ୟତର ଦାୟିତ୍ୱ ତା ଉପରେ। ନାଁ ତାର ସନ୍ଧ୍ୟା ଖୋସଲା, ବୟସ ମାତ୍ର ଚଉଦ। ସରକାରଙ୍କ ବାପ-ମା ଛେଉଣ୍ଡ ପିଲା ମାନଙ୍କ ପାଇଁ ଗଣ୍ଡା ଗଣ୍ଡା ଯୋଜନା ରହିଛି କିନ୍ତୁ ଏ କୁନି ଝିଅ ପାଖରେ କିଛି ପହଞ୍ଚିନି।

Advertisment

ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ ସନ୍ଧ୍ୟା ଓ ତାର କୁନିକୁନି ଦୁଇ ଭାଇ ଭିକି ଓ ଅଭି। ଆଉ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ୮୦ ବର୍ଷିୟା ଦିବ୍ୟାଙ୍ଗ ଜେଜେ ମାଆ ଅଳଙ୍କମଣି। ସାହିପଡିଶା ସାହାଯ୍ୟରେ କେତେ ଦିନ ଆଉ ଚାଲିବ ପରିବାର? ଦିନକୁ ଦିନ ଲୋକଙ୍କ ସାହାଯ୍ୟ କମିଲା ଆଉ ତାଙ୍କର ଦୁଃଖ ବଢିଲା।

ଏ ସ୍ୱାର୍ଥପର ଦୁନିଆରେ ବଂଚିବା ଭାରି କଷ୍ଟ ଜାଣିବା ପରେ ସନ୍ଧ୍ୟା ଏଗାର ବର୍ଷ ବୟସରେ ହିଁ ରୋଜଗାର ପାଇଁ ଅଂଟା ଭିଡ଼ିଲା ।ଲୋକଙ୍କ ଦୟା ପରିବର୍ତେ ନିଜର ପରିଶ୍ରମରେ ପରିବାରକୁ ପ୍ରତିପୋଷଣ କରୁଛି।କେତେବେଳେ ମୁଣ୍ଡରେ ବାଲି,କଂକ୍ରିଟ ମୁଣ୍ଡାଇବା ବେଳେ ବେଲଚା ମାରି କଂକ୍ରିଟ ବି ଭରୁଛି କୁନି ଝିଅ ସନ୍ଧ୍ୟା।

Advertisment

କୁନି ବୟସରେ ନିଜ ପରିବାର ପ୍ରତି ଅବହେଳା କରିନି ସନ୍ଧ୍ୟା ।ନିଜ କୁନି ଦୁଇ ଭାଇକୁ ବାପମାଆଙ୍କ ପରି ସେବା ଯତ୍ନ କରିବା ସହ ସ୍ନେହ ମମତା ଅଜାଡି ଦେଉଥିବା ବେଳେ ଦିବ୍ୟାଙ୍ଗ ଜେଜେମାଆର ସାଜିଛି ଆଶାବାଡି।ସକାଳ ଆରମ୍ଭ ହେବା ମାତ୍ରେ ନିଜ ନିତ୍ୟକର୍ମ ସାରି ରାନ୍ଧିବା ସହ ପିଲାଦୁଇଙ୍କର ଯତ୍ନ ନେଉଛି।

ଛୁଟି ଦିନରେ ଜଙ୍ଗଲ କାଠ ଆଣିବା,ଭଙ୍ଗା ଘରକୁ ମାଟି ଲେସିବା,ପରିବାରର କପଡା ପତ୍ର ସଫାସୁତୁରା କରିବାରେ ସମୟ କଟିଯାଏ।ବିଶ୍ରାମ ସତେ ଯେପରି ତା ପାଇଁ ବଇରୀ ସାଜିଛି।ନିଜେ କଷ୍ଟ ପାଉଥିଲେ ସୁଦ୍ଧା ପରିବାର ମୁହଁରେ ହସ ଫୁଟାଇଛି।କିନ୍ତୁ ଆହା କହିବା ପାଇଁ ତା ପାଖରେ କେହି ନାହାନ୍ତି ।ସାହିପଡିଶା ଲୋକମାନେ କୁହନ୍ତି ନିଜକୁ କଷ୍ଟ ଦେଇ ଛୋଟ ବୟସରେ ରୋଜଗାର କରି ଦୁଇ ଭାଇଙ୍କ ମୁହଁରେ ହସ ଦେଇଛି। ଆଇନ ଅନୁସାରେ ନାବାଳକ ବୟସରେ କାମ କରିବା କଥା ନୁହେଁ କିନ୍ତୁ ସେ ଯଦି କାମ ନକରେ ତେବେ ପରିବାର ଲୋକେ ଭୋକଶୋଷରେ ପଡ଼ିରହିବେ।ସରକାରୀ ସହାୟତା କହିଲେ କିଛି ପାଉ ନାହାନ୍ତି। ଜେଜେମାଆଙ୍କୁ ମିଳୁଥିବା ୫ କେଜି ଚାଉଳ ବି ବନ୍ଦ ହୋଇଗଲା। ତେଣୁ ଏହେ ଦୁଃଖ ଆହୁରି ବଢିଗଲା।

ସନ୍ଧ୍ୟାଙ୍କ ପରିବାର ପ୍ରତି ସରକାରୀ ଯୋଜନାରେ ଚାଉଳ,ଇନ୍ଦିରା ଆବାସ ଓ ବାର୍ଦ୍ଧକ୍ୟ ଭତାରୁ କାହିଁକି ଅପହଞ୍ଚ ନେଇ ଚିତ୍ରକୋଣ୍ଡା ବ୍ଲକ ଅଧିକାରୀଙ୍କୁ ପଚାରିବାରୁ ସେହି ଚିରାଚରିତ ଡଙ୍ଗରେ କହିଛନ୍ତି ଏ ସମ୍ପର୍କରେ ଆମ ପାଖରେ ଖବର ନଥିଲା, ଏବେ ପ୍ରଶାସନ ତାଙ୍କ ପାଖରେ ପହଞ୍ଚିବ ଓ ସୁବିଧା ଯୋଗାଇ ଦେବ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ସେମାନଙ୍କୁ ସରକାରୀ ସହୟତା ମିଳୁଛି।

ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ

Minor Girl Takes Care Of Family
Advertisment
Advertisment