ବିଭିନ୍ନ କ୍ଷେତ୍ରରେ କିନ୍ନର ମାନେ ନିଜର ପାରଦର୍ଶିତା ଦେଖାଇ ଆସୁଥିବା ବେଳେ ଏବେ ଆଇନଜୀବୀ ପେସାରେ ପାଦ ଥାପିଛନ୍ତି ଜଣେ ତୃତୀୟଲିଙ୍ଗୀ । ରାଜ୍ୟର ପ୍ରଥମ ତୃତୀୟଲିଙ୍ଗୀ ଭାବେ ପଞ୍ଜିକୃତ ହୋଇଛନ୍ତି ବଡ଼ବିଲର ମହମ୍ମଦ ସଲିମ ଓରଫ୍ ସଲମା ବେଗମ୍। ଓଡ଼ିଶା ରାଜ୍ୟ ବାର କାଉନ୍ସିଲରେ ପଞ୍ଜିକୃତ ହେବାପରେ ସେ ବଡ଼ବିଲ ଫାଷ୍ଟଟ୍ରାକ କ୍କୋର୍ଟରେ ଓକିଲାତି ଆରମ୍ଭ କରିଛନ୍ତି । ତାଙ୍କ ସଫଳତା କାମନା କରିଛି ବଡ଼ବିଲ ବାର ଆସୋସିଏସନ।
ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ମହମ୍ମଦ ସଲିମ୍ ଓରଫ ସଲମା ବେଗମ୍ । ସେ ବଡବିଲ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାଇବା ପରେ କେନ୍ଦୁଝରରେ ଆଇନ ଡିଗ୍ରୀ ହାସଲ କରିଛନ୍ତି । ନିକଟରେ ସେ ରାଜ୍ୟ ବାର କାଉନ୍ସିଲରେ ନିଜକୁ ପଞ୍ଜିକୃତ କରିବା ପରେ ବଡ଼ବିଲ ଫାଷ୍ଟଟ୍ରାକ କୋର୍ଟରେ ଓକିଲାତି ଆରମ୍ଭ କରିଛନ୍ତି। ବଡ଼ବିଲ ଓକିଲ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ଜଣାଇବା ସହ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।
ମହିଳା ଆଡଭୋକେଟ ମନୀଷା ଚୌରାସିଆଙ୍କ ସହଯୋଗରେ ଆଜିଠାରୁ ସେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି। ଆଗକୁ ସେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ କରିବା ସହ ଜୁଡିସିଆଲ ଲାଇନରେ ଆଗକୁ ବଢିବାକୁ ଇଛା ଜାହିର କରିଛନ୍ତି । ସଲମା ରାଜ୍ୟ କିନ୍ନର ମହାସଂଘ ସଭା ନେତ୍ରୀ ମୀରା ପରିଡା, ମେଘା ଓ ସାଧନାଙ୍କୁ ଦେଖି ପ୍ରଭାବିତ ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ କାମ କରିବାର ଇଛା ହୋଇଥିବା କଥା କହିଛନ୍ତି ।
ପୂର୍ବରୁ ଅନେକ କିନ୍ନର ବିଭିନ୍ନ କମ୍ପାନୀରେ ମ୍ୟାନେଜର ଓ ବିଭାଗର ଅଧିକାରୀ, ସାମ୍ବାଦିକ ଭାବେ କାର୍ଯ୍ୟ କରି ସାରିଛନ୍ତି । ଏବେ ଆଇନଜୀବୀ ଭାବେ ସଲମା ନିଜ ବୃତ୍ତି ଆରମ୍ଭ କରିବାକୁ ଯାଉଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସଲମା ଅନ୍ୟ ମାନଙ୍କ ପାଇଁ ଯେ କେବଳ ପ୍ରେରଣା ଯୋଗାଇବେ ତାହା ନୁହଁ ବରଂ ସେ ତୃତୀୟଲିଙ୍ଗୀ ଗୋଷ୍ଠୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ଆଇନଗତ ସହାୟତା ପ୍ରଦାନ କରିପାରିବେ ବୋଲି ଆଶା ରଖିଛନ୍ତି ।
ଅନେକ ଅସୁବିଧା ସତ୍ତ୍ୱେ ସଲମା ହାରି ନଯାଇ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଗକୁ ସେ ଏଲଏଲଏମ କରି ଆଗକୁ ବଢିବାକୁ ଆଶା ରଖିଛନ୍ତି।
ଚମ୍ପୁଆରୁ ଦୀପକ କୁମାର ଶତପଥୀ