/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740505664.jpg)
Vending Zones Turn Ghost Markets
ପାଣିରେ ପଡ଼ିଛି କୋଟି କୋଟି ଟଙ୍କା । ଭୂତକୋଠି ପାଲଟିଲାଣି ଭେଣ୍ଡିଂ ଜୋନ୍ । ପୂର୍ବ ବିଜେଡି ସରକାର ଯାଜପୁର ଜିଲ୍ଲାରେ ମନଇଚ୍ଛା ଡିଏମଏଫ ଫଣ୍ଡରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଖଣିଜ ପାଣ୍ଠିରେ ତିଆରି ହୋଇଥିଲା ମାଳମାଳ ମାର୍କେଟ୍ କମ୍ପ୍ଲେକ୍ସ । ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ ସରିଥିଲେ ବି ଆଜିଯାଏଁ କାର୍ଯ୍ୟକାରୀ ନହେବାକୁ ନେଇ ପ୍ରଶ୍ନ ଉଠିଛି ।
ବ୍ୟବସାୟୀଙ୍କୁ ବଣ୍ଟନ ନହୋଇ ଭୁତକୋଠି ପାଲଟିଲାଣି ଦୋକାନ ଗୃହ । ଚାରିଆଡ଼େ ଗଡ଼ୁଛି ମାଳମାଳ ମଦ ବୋତଲ । ସତେଯେମିତି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ଯାଜପୁର ଜିଲ୍ଲା ବ୍ୟାସନଗର ଚୋରଦା ଛକ ଭେଣ୍ଡିଂ ଜୋନ୍ ଆରମ୍ଭ ହେବା ଆଗରୁ ପାଲଟିଗଲାଣି ଜରାଜୀର୍ଣ୍ଣ । ଗେଟରେ ତାଲା ପଡିଥିବା ବେଳେ ପିଣ୍ଡି ପୂରା ଖାଁ ଖାଁ । କେଉଁଠି ଜଙ୍ଗଲର ଭ୍ରମ ସୃଷ୍ଟି ହେଲାଣି ତ ଆଉ କେଉଁଠି କାନ୍ଥ ଫାଟି ଆଁ କଲାଣି ।
ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !
ପୌରପରିଷଦ ତରଫରୁ ୧ କୋଟି ୧୬ ଲକ୍ଷ ୯୧ ହଜାର ୯୯୫ ଟଙ୍କା ବ୍ୟୟରେ ଦୁଇ ବର୍ଷ ତଳୁ ଏହାର ନିର୍ମାଣ ସରିଲାଣି । କିନ୍ତୁ ବ୍ୟବସାୟୀଙ୍କୁ ବଣ୍ଟନ ହୋଇନପାରି ଖତଖାଉଛି । ଅପରପକ୍ଷେ ଦୋକାନ ନପାଇ ଆଜି ବି ରାସ୍ତା କଡ଼ରେ ବେପାର କରି ନାନା ଅସୁବିଧା ଭୋଗୁଛନ୍ତି ଦୋକାନୀ । ଖାଲି ଚୋରଦା ଭେଣ୍ଡିଂ ଜୋନ୍ ନୁହେଁ, କୁଆଁରଦା ମୌଜାରେ ନିର୍ମାଣ ହୋଇଥିବା ହୋଲସେଲ୍ ମାର୍କେଟ୍ କମ୍ପ୍ଲେକ୍ସର ସମାନ ସ୍ଥିତି ।
୨୦୨୨-୨୩ ଆର୍ଥିକ ବର୍ଷରେ ଡିଏମଏଫ୍ ପାଣ୍ଠି ଅନୁଦାନରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ୪୫ ଲକ୍ଷ ୯୯ ହଜାର ଟଙ୍କା । ତେବେ କାମ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି କାହିଁକି ଦୋକାନ ଘର ବଣ୍ଟନ କରାଯାଉନି ସେନେଇ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ଗାନ୍ଧିଛକ ମାର୍କେଟ୍ କମ୍ପ୍ଲେକ୍ସ ବି ଅଲୋଡ଼ା ହୋଇପଡ଼ିଛି । ଏନେଇ ବ୍ୟବସାୟୀ ଓ ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ପ୍ରଶାସନ କହିଛି, ଖୁବଶୀଘ୍ର ଟେଣ୍ଡର କରି ଦୋକାନ ବଣ୍ଟନ କରାଯିବ । ପ୍ରାୟ ୫ କୋଟି ଟଙ୍କାରେ ବ୍ୟାସନଗରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି । କିନ୍ତୁ, ଏହା କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)