• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦାଦନ ସମସ୍ୟା ନୂଆପଡା ଜିଲ୍ଲାର ଏକ ବୃହତ୍ତମ ସମସ୍ୟା। ଜିଲ୍ଲାର ଯେକୌଣସି ଗାଁକୁ ଗଲେ ଦେଖିବାକୁ ମିଳେ ଅନେକ ଲୋକ ପେଟ ପୋଷିବା ପାଇଁ ବାହାରକୁ ଯାଇଛନ୍ତି । କିଏ ଝିଅ ବାହାଘର ପାଇଁ ତ କିଏ ପରିବାରର କାହାକୁ ଚିକିତ୍ସା କରିବା ପାଇଁ ଦାଦନ ଯାଇଛି । ସେହିପରି ଘର ପରିବାର ଛାଡ଼ି"ରୋଗୀଣା ସ୍ୱାମୀଙ୍କ ଚିକିତ୍ସା ପାଇଁ ଦାଦନ ଖଟିବା ପାଇଁ ଯାଇଛନ୍ତି ସ୍ତ୍ରୀ । 

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଟିଆଗୁଡା ଗ୍ରାମ ପଞ୍ଚାୟତର ସାଗୁନଭାଡ଼ି ଗାଁ । ଏହି ଗାଁ ର ଯଦୁମଣି ହଂସଙ୍କ ଦୁଃଖ କହିଲେ ନସରେ। ଚର୍ମ ରୋଗରେ ପୀଡିତ ହୋଇ ସେ ଯନ୍ତ୍ରଣା ଜର୍ଜରିତ ଜୀବନ ଜିଉଁଛନ୍ତି। ଯଦୁମଣିଙ୍କ ପରିବାର କହିଲେ ସତୁରି ବର୍ଷୀୟା ବୃଦ୍ଧା ମା ,ସ୍ତ୍ରୀ ବିମଳା ଓ ଦୁଇ ଝିଅ, ଗୋଟିଏ ପୁଅ । ସମସ୍ତଙ୍କୁ ନେଇ ଦୁଃଖ ସୁଖର ସଂସାର ଗଢିଥିବା ଯଦୁମଣିଙ୍କ ଦୁଃଖ ସେତେବେଳେ ବଳି ପଡ଼ିଲା, ଯେତେବେଳେ ସେ ଜ୍ୱରରେ ପଡି ଚର୍ମ ରୋଗରେ ପୀଡିତ ହେଲେ । ଚାରିବର୍ଷ ତଳେ ସେ ଏହି ରୋଗରେ ପଡ଼ି ବହୁତ କଷ୍ଟ ପାଉଛନ୍ତି । ସ୍ତ୍ରୀ ବିମଳା ଧାର କରଜ କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଇଲେ କିନ୍ତୁ କିଛି ଲାଭ ହେଲାନି।

ରୋଗ ବଢିଲା ସିନା କମିବାର ନାଁ ଧରିଲାନି । ଅଣ୍ଟା ତଳକୁ ବେଶୀ ଦରଦ ହେଉଥିବାରୁ ସେ ବସାଉଠା କରିବାରେ କଷ୍ଟ ପାଉଛନ୍ତି । ୩୫ବର୍ଷର ଯଦୁମଣି ଏବେ ଷାଠିଏ ବର୍ଷର ବୃଦ୍ଧ ପରି ଦିଶୁଛନ୍ତି । ଏପଟେ ସ୍ୱାମୀଙ୍କୁ ଭଲ କରିବାକୁ ଅଣ୍ଟା ଭିଡିଛନ୍ତି ସ୍ତ୍ରୀ ବିମଳା । ସ୍ତ୍ରୀ ଧର୍ମ ନିଭାଇବାକୁ ସେ ମାସେ ତଳେ ଆନ୍ଧ୍ରପ୍ରଦେଶ ଦାଦନ ଯାଇଛନ୍ତି । ସାଙ୍ଗରେ ଦୁଇ ପୁଅ ଝିଅକୁ ନେଇ ଯାଇଛନ୍ତି । ଲକ୍ଷେ ଅଛି ଟଙ୍କା ରୋଜଗାର ହେଲେ ସ୍ୱାମୀଙ୍କୁ ଭଲ ଡାକ୍ତରଖାନା ନେଇଯିବେ । ଏପଟେ ବୃଦ୍ଧା ମାଁ ଓ ଗୋଟିଏ ଝିଅକୁ ନେଇ ଘରେ ପଡି ରହିଛନ୍ତି ଯଦୁମଣି । ବୃଦ୍ଧା ମାଆ ରାନ୍ଧିଦେଲେ ମୁଠେ ଖାଇବାକୁ ମିଳେ । ସହାୟତା କହିଲେ ମା'ର ବାର୍ଦ୍ଧକ୍ୟ ଭତ୍ତା ଓ ଜଣ ପ୍ରତି ମିଳୁଥିବା ପାଞ୍ଚ କିଲୋଗ୍ରାମ ଚାଉଳ।

ଦାଦନ ରୋକିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା କହୁଛନ୍ତି ରାଜ୍ୟ ସରକାର କିନ୍ତୁ ଦାଦନ ରୋକିବାର ନାଁ ନାହିଁ । ସମସ୍ତଙ୍କୁ ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଛି । କିନ୍ତୁ ସଚେତନତାର ଅଭାବ ଯୋଗୁଁ ଲୋକେ ଏହି ସେବା ପାଇ ପାରୁ ନଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଡାକ୍ତରଖାନା ସବୁ ଏହି ସେବା ଦେଉ ନଥିବା ଅଭିଯୋଗ ହେଉଛି, ଯାହାକି ଯଦୁମଣିଙ୍କ କ୍ଷେତ୍ରରେ ଏହା ଦେଖାଦେଇଛି । ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଲେ ସେ ଭଲ ହୋଇ ପାରନ୍ତେ ବୋଲି ଯଦୁମଣି କହିଛନ୍ତି ।

ଖଡ଼ିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ