• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିକାଲି ପୁରୁଣା କାଳିଆ ମାଟିହାଣ୍ଡିରେ ଘରେ ଖାଇବା ରନ୍ଧା ହେଉନି । ବଜାରରେ ବିଭିନ୍ନ ଧାତୁର ବାସନ ମିଳୁଛି । ତେବେ ବ୍ରହ୍ମପୁର ମହାନଗରରେ ଏମିତି ଗୋଟିଏ ପରିବାର ରହୁଛନ୍ତି, ତାଙ୍କ ରୋଷେଇ ଘରେ ଗୋଟିଏ ବି ଧାତବ ବାସନକୁସନ ବ୍ୟବହାର ହେଉନି । ସମସ୍ତେ କେବଳ ମାଟିର ବାସନକୁସନ ବ୍ୟବହାର କରୁଛନ୍ତି । ଭାତ ରାନ୍ଧିବା ଠାରୁ ଆରମ୍ଭ କରି ଖାଇବା ପାଇଁ ବ୍ୟବହାର ହେଉଥିବା ସବୁ ଜିନିଷ ମାଟିରେ ତିଆରି ହୋଇଛି । ଏବେ ନୁହେଁ ଦୀର୍ଘ ୮ବର୍ଷ ହେଲା ଏଭଳି ମାଟିପାତ୍ର ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ସେମାନଙ୍କ ପରିବାର ମୁକ୍ତ ରହୁଥିବା ବେଳେ ଖାଦ୍ୟରେ ସମସ୍ତ ପ୍ରକାର ପୌଷ୍ଟିକ ଉପାଦାନକୁ ପାଇପାରୁଛନ୍ତି ବୋଲି କୁହନ୍ତି ପରିବାର ଲୋକେ ।

ବ୍ରହ୍ମପୁର ମହାନଗରରେ ସମାଜସେବୀ ସରିତା ପଣ୍ଡା । ତାଙ୍କ ରୋଷେଇ ଘର ଦେଖିଲେ କେହି ବି ଆଚମ୍ବିତ ହୋଇଯିବେ । ତାଙ୍କ ଘରେ କୌଣସି ଷ୍ଟିଲ କିମ୍ବା ଆଲୁମିନିୟମ୍ ବାସନକୁସନ ଦେଖିବାକୁ ପାଇବେନି । ମାଟିର ମାଠିଆ, ପ୍ରେସର କୁସର, କଡ଼େଇ, ପିଠା ପାତିଆ, ଥାଳିଆ ଭଳି ସବୁ ବାସନ ମାଟିର । ଦୀର୍ଘ ୮ରୁ ୯ବର୍ଷ ହେଲା ଏଭଳି ଜୀବନଯାପନ ପ୍ରଣାଳୀ ଆପଣାଇଛନ୍ତି ତାଙ୍କ ପରିବାର । ମାଟିହାଣ୍ଡିରେ ଭଜା କି ଛଣାଛଣି କଲେ କମ୍ ତେଲ ବ୍ୟବହାର ହେଉଥିବା ବେଳେ ମାଟି ହାଣ୍ଡି ଯେତେ ପୁରୁଣା ହୁଏ, ସେତେ ଶୀଘ୍ର ଖାଦ୍ୟ ବି ରନ୍ଧା ହୁଏ । ମାଟିପାତ୍ରରେ ରାନ୍ଧିଲେ ଖାଦ୍ୟର ପୁଷ୍ଟିକର ଉପାଦାନ ଗୁଡ଼ିକ ୯୦ ପ୍ରତିଶତରୁ ଅଧିକ ରହେ ବୋଲି କୁହନ୍ତି ସରିତା ପଣ୍ଡା ।

ଖାଲି ସେତିକି ନୁହେଁ ଘରେ ମାଟିର ୱାଟର ପ୍ୟୁରିଫାୟାର ଓ ତା ସହ ମାଟିର ଗ୍ଲାସ ବି ସଙ୍ଗୀତାଙ୍କ ଘରେ ଅଛି । ସମ୍ପର୍କୀୟ ଆସିଲେ ବି ମାଟିପାତ୍ରରେ ଖାଇବାକୁ ଦିଆଯାଏ । ମାଟିପାତ୍ରରେ ଖାଇ ସମସ୍ତେ ମଜା ବି ନିଅନ୍ତି । ଏଭଳି ରୋଷେଇ କରିବା ଫଳରେ ଖାଦ୍ୟର ଟେଷ୍ଟ ମଧ୍ୟ ବହୁତ ଭଲ ରହୁଥିବା କୁହନ୍ତି ସରିତାଙ୍କ ସ୍ୱାମୀ । ପୂର୍ବରୁ ଷ୍ଟିଲ ଓ ଆଲୁମିନିୟମ୍ ସାମଗ୍ରୀରେ ରନ୍ଧା ହେଉଥିଲା, କିନ୍ତୁ ରୋଗବ୍ୟାଧି ପରଠାରୁ ମାଟିପାତ୍ରରେ ରାନ୍ଧିବା ଚେଷ୍ଟା କଲେ ସରିତା । ଏହାଦ୍ୱାରା କୁମ୍ଭାର ବଞ୍ଚିଲା ଓ ପରିବାର ବି ରୋଗମୁକ୍ତ ହେଲା । ଏହିଭଳି ମାଟିପାତ୍ରକୁ ସେମାନେ ଗଞ୍ଜାମର କୁକୁଡ଼ାଖଣ୍ଡି, ଜରଡ଼ା ସମେତ ସମ୍ବଲପୁର, ରାୟଗଡ଼ାରୁ ସଂଗ୍ରହ କରୁଥିବା କୁହନ୍ତି ।

ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ