• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଳି-ଗୋଳା ବର୍ଷା, ରକେଟ୍ ଓ ମିଜାଇଲ୍ ମାଡ଼ । ରାତିର ଅନ୍ଧାରରେ ଦାଉ ଦାଉ ଯୁଦ୍ଧର ଲେଲିହାନ ଶିଖା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ପ୍ରଥମ ଥର ପାଇଁ ଭୟଙ୍କର ଯୁଦ୍ଧ ବିଭୀଷିକା । ଆକ୍ରମଣର ଦ୍ୱିତୀୟ ଦିନ ବେଳକୁ ୟୁକ୍ରେନ ରାଜଧାନୀ କିଭ୍ ନିକଟରେ ପହଞ୍ଚିସାରିଲାଣି ଋଷୀୟ ସେନା । ଆଶଙ୍କା କରାଯାଉଛି, କିଭ୍ ଦଖଲ କରି ସରକାର ବଦଳାଇବା ଚକ୍କରରେ ଅଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨ ଦିନ ଭିତରେ ଉଭୟ ପକ୍ଷ ଭୀଷଣ କ୍ଷୟକ୍ଷତି ସହିଥିବା ବେଳେ, ୟୁକ୍ରେନର ସାଧାରଣ ନାଗରିକଙ୍କ ଧନଜୀବନ ବି ବଳି ପଡ଼ିଛି ।

ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ, ମୋ ପରିବାର ଦ୍ୱିତୀୟ ଟାର୍ଗେଟ୍ । ଏହା ଜାଣିଥିଲେ ବି ମୁଁ କିଭ୍ ଛାଡ଼ିବି ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ସେନା ଅସ୍ତ୍ରତ୍ୟାଗ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି ଋଷ । ସେପଟେ ରାଷ୍ଟ୍ରପତି ପୁତିନଙ୍କ ସହ କଥା ହୋଇ ୟୁକ୍ରେନ ସହ ଆଲୋଚନା କରିବାକୁ ଆହ୍ୱାନ କରିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ।

ୟୁକ୍ରେନ ରାଜଧାନୀ କିଭ୍ ଉପକଣ୍ଠର ଅନେକ ଦରପୋଡ଼ା କୋଠା । ଋଷର କ୍ଷେପଣାସ୍ତ୍ର ମାଡ଼ ପରେ ଅନେକ ସହରରେ ଏଭଳି ଚିତ୍ର ଦେଖିବାକୁ ମଳିଛି । କେବଳ ଆକାଶ ମାର୍ଗରୁ ନୁହେଁ, ଋଷୀୟ ସ୍ଥଳସେନା ବି କିଭ୍ ଦଖଲ ପାଇଁ ନିକଟବର୍ତ୍ତୀ ହୋଇସାରିଲେଣି । ବହୁ ଋଷ ସେନା, ୟୁକ୍ରେନ୍ ଆର୍ମି ୟୁନିଫର୍ମ ପିନ୍ଧି ବିଭିନ୍ନ ସହରରେ ପଶିଥିବା କୁହାଯାଉଛି । ଦୁର୍ଦ୍ଧଷ କମାଣ୍ଡୋ ୟୁନିଟ୍ ସ୍ପେନ୍‌ସ୍‌ନାଜ୍ ବି ଆକ୍ରମଣରେ ସାମିଲ ହୋଇଛି । ବେଲାରୁସ୍ ଆଡ଼ୁ ଆକ୍ରମଣ କରି କିଭ୍‌ର ଉତ୍ତର-ପୂର୍ବ ସହର ଚନୋବିଲ୍ ଏବଂ ସେଠାରେ ଥିବା ଗୁରୁତ୍ୱପୂର୍ଣ୍ଣ ନିୟୁକ୍ଲିୟର ପାଓ୍ୱାର୍ ପ୍ଲାଣ୍ଟକୁ ଅକ୍ତିଆରକୁ ନେଇସାରିଛି ଋଷୀୟ ସେନା ।

ଏପଟେ ୟୁକ୍ରେନ୍ ସେନା ବି ଜବାବି ହମ୍‌ଲା ଜାରି ରଖିଛି । ୟୁକ୍ରେନ୍ ସେନା ଆକ୍ରମଣରେ ଖସିପଡ଼ିଛି ଅନେକ ଋଷୀୟ ହେଲିକପ୍ଟର । ଏଥିସହ ଋଷର ମିଲିରୋଭୋ ଏୟାରବେସ୍‌କୁ ଟାର୍ଗେଟ୍ କରି ୟୁକ୍ରେନ୍ ନିଜର ଲଙ୍ଗ୍ ରେଞ୍ଜ୍ ମିଜାଇଲ୍ ଛାଡ଼ିଛି ।

ୟୁକ୍ରେନ୍‌ର ୧୩୭ ସୈନ୍ୟ ମାରିବା ସହ ଏୟାରଫିଲ୍ଡ କମାଣ୍ଡ ପଏଣ୍ଟ, ନୌସେନା ଘାଟି, ରାଡାର୍ ଷ୍ଟେସନ୍ ଓ ମିଜାଇଲ୍ ସିଷ୍ଟମ୍ ସମେତ ୭୪ଟି ସାମରିକ ଭିତ୍ତିଭୂମି ଅକାମୀ କରିଥିବା ଦାବି କରିଛି ଋଷ । ଅନ୍ୟପକ୍ଷରେ ଋଷର ୮୦୦ ସୈନ୍ୟଙ୍କୁ ମାରିବା ସହ ୩୦ଟି ଟ୍ୟାଙ୍କ, ୭ଟି ଲଢ଼ୁଆ ବିମାନ ଓ ୬ଟି ହେଲିକପ୍ଟର ଧ୍ୱଂସ କରିଥିବା ଦାବି କରିଛି ୟୁକ୍ରେନ୍ । ୟୁକ୍ରେନ୍ ରାଷ୍ଟ୍ରପତି ଆଶଙ୍କା କରିଛନ୍ତି ଯେ, ଆଉ ୯୬ ଘଣ୍ଟାରେ ଋଷୀୟ ସେନା କିଭ୍ କବ୍‌ଜା କରିପାରନ୍ତି ଓ ସରକାର ବଦଳାଇବାକୁ ଚେଷ୍ଟା କରିପାରନ୍ତି । ସେ କହିଛନ୍ତି, ମୁଁ ଋଷର ୧ ନମ୍ବର ଟାର୍ଗେଟ୍ ଓ ମୋ ପରିବାର ୨ ନମ୍ବର ଟାର୍ଗେଟ୍ ବୋଲି ଜାଣିଥିଲେ ବି, ମୁଁ କିଭ୍ ଛାଡ଼ି କୁଆଡ଼େ ଯିବି ନାହିଁ । ତେବେ ସେ ଆଲୋଚନା ପାଇଁ ଋଷକୁ ଆହ୍ୱାନ ଦେବା ପରେ, ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ କହିଛନ୍ତି ୟୁକ୍ରେନ୍ ଆର୍ମି ଲଢ଼େଇ ବନ୍ଦ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ।

ସୋସିଆଲ୍ ମିଡିଆରେ ଏବେ ଅନେକ ଭିଡିଓ ଭାଇରାଲ ହେଉଛି । ଯାହାକି ଯୁଦ୍ଧର ଭୟାବହତା ବଖାଣିବା ସହ ଅନେକ କିଛି ଶିକ୍ଷା ମଧ୍ୟ ଦେଉଛି ।ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଦେଖାଦେଇଥିବା ଭୟାବହ ସ୍ଥିତିର ଗତି କୁଆଡ଼େ, ତାକୁ ନେଇ ସମଗ୍ର ବିଶ୍ୱ ସମୁଦାୟ ସନ୍ଦିହାନ ସ୍ଥିତିରେ ଥିବା ବେଳେ, ୟୁକ୍ରେନର ସାଧାରଣ ନାଗରିକ କିନ୍ତୁ ତ୍ରାହି ତ୍ରାହି ଡାକିଲେଣି । କିଭ୍‌ରେ ବହୁ ପରିବାର ଅସ୍ଥାୟୀ ବଙ୍କର୍ ଭିତରେ ଲୁଚି ରହିଛନ୍ତି । ପ୍ରାଣ ବିକଳରେ ପ୍ରାୟ ୧ଲକ୍ଷ ଲୋକ ଘର ଛାଡ଼ିଥିବା କୁହାଯାଉଛି । ବହୁ ଲୋକ ୟୁକ୍ରେନ ସୀମା ଡେଇଁ ପଶ୍ଚିମରେ ଥିବା ପୋଲାଣ୍ଡରେ ଶରଣ ନେଉଥିବା ଦେଖିବାକୁ ମିଳିଛି । ସେପଟେ ସାରା ବିଶ୍ୱରୁ ଛୁଟିଛି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ । ଆମେରିକା ହ୍ୱାଇଟ୍‌ହାଉସ ଆଗରେ ପ୍ରବାସୀ ୟୁକ୍ରେନ ନାଗରିକ ବିକ୍ଷୋଭ କରିଛନ୍ତି । ସୂଚନା ମିଳିଛି, ଋଷରେ ମଧ୍ୟ ଯୁଦ୍ଧ ବନ୍ଦ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବାରୁ ୧୮ଶହ ଲୋକଙ୍କୁ ଗିରଫ କରିଛି ପୁଟିନ ସରକାର ।