• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ ଲୋକଙ୍କ ଆଶା ଭରସା ସ୍ଥଳୀରୁ ଡାକ୍ତରଙ୍କ କ୍ଷୋଭ । ଟଙ୍କିକିଆ କ୍ଲିନିକ୍‌ କରି ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମଣିଷ ପଛରେ ପଡ଼ିଛନ୍ତି କିଛି ରାଜନେତା, ତଥାକଥିତ ସମାଜସେବୀ ଆଉ ଲୋକାଲ ଚ୍ୟାନେଲ୍‌ର କିଛି ପ୍ରତିନିଧି । ବିନା ଫର୍ଣ୍ଣିଚର ଓ କର୍ମଚାରୀରେ କ୍ଲିନିକ୍‌ ଚଳାଉଥିବା ଆସିଷ୍ଟାଣ୍ଟ ପ୍ରଫେସର୍‌ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଷଡ଼ଯନ୍ତ୍ର । ତାଙ୍କୁ ହଇରାଣ ହରକତ କରିବା ପାଇଁ ଜୋରସୋରରେ ପ୍ରୟାସ ଚାଲିଛି । କାଳେ ରାଜନୀତିକୁ ପ୍ରବେଶ କରିବେ ବୋଲି ରାଜନେତା ମାନେ ଭୟ କରୁଛନ୍ତି । ଆଉ ଏନେଇ ଲାଇଭ୍‌ କରି ନିଜ ମନର କଥା ବଖାଣିଛନ୍ତି ଡାକ୍ତର ରାମଚନ୍ଦାନୀ ।

 ସେବା ନାଁରେ ବ୍ୟବସାୟ ଚଳାଇଥିବା ନର୍ସିଂହୋମର ମାଲିକ ଓ ପ୍ରାଇଭେଟ୍ ଡାକ୍ତରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ସେ । କାଠ ଚୌକି, କାଠ ଟେବୁଲ ଆଉ ଦୁଇ ହଜାର ଟଙ୍କିଆ ଭଡ଼ା ଘରେ ଚାଲିଛି ଡାକ୍ତର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍‌ । ନା ଅଛନ୍ତି କର୍ମଚାରୀ । ନା ଅଛି ଦାମୀ ଚକଚକିଆ ଫର୍ଣ୍ଣିଚର୍ । ଡାକ୍ତର ଓ ରୋଗୀ ବସିବା ପାଇଁ କେତେ ଖଣ୍ଡ ଚେୟାର ଓ କିଛି ଚିକିତ୍ସା ଯନ୍ତ୍ରପାତି । କେବଳ ଜଣେ ଚିକିତ୍ସକ ନିଜସ୍ୱ ଉଦ୍ୟମରେ ଗରିବ ଦୁଃଖୀରଙ୍କୀ ଲୋକଙ୍କ ଚିକିତ୍ସା କରୁଛନ୍ତି । ମଧ୍ୟବିତ୍ତ ପରିବାରରୁ ଆସିଥିବା ଡାକ୍ତର ଜଣକ ଗରିବଙ୍କ ଦୁଃଖ ଠିକ୍ ବୁଝିଛନ୍ତି । ଆଉ ଏଥିପାଇଁ ଟଙ୍କିକିଆ କ୍ଲିନିକ୍ ଖୋଲି ସବୁ ଦିନ ପାଇଁ ସେ ଆୟର ସ୍ରୋତକୁ ବନ୍ଦ କରିଦେଇଛନ୍ତି । ଅଧିକ ଟଙ୍କା ରୋଜଗାର କରିପାରିବେନି ସିନା ରୋଗୀଙ୍କ ମୁହଁରେ ସେ ହସ ନିଶ୍ଚୟ ଖେଳାଇ ପାରୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ତାଙ୍କ କ୍ଲିନିକ୍‌ରେ ଡାକ୍ତର ବି ସେ ପିଅନ୍‌ ବି ସେ ଆଟେଣ୍ଟାଣ୍ଡ୍ ବି ସେ ଆଉ ସ୍ୱିପର୍ ବି ସେ ନିଜେ । କିନ୍ତୁ ଏଥିରେ ତାଙ୍କ ମନରେ ଟିକେ ଦୁଃଖ ନାହିଁ । ସେ ଚାହିଁଥିଲେ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିପାରି ଥାଆନ୍ତେ । ସେ ଚାହିଁଥିଲେ ଟଙ୍କା ଗାଦିରେ ବସିପାରି ଥାଆନ୍ତେ । କିନ୍ତୁ ସେସବୁ ପ୍ରତି ତାଙ୍କର ଲୋଭ କି ମୋହ ନାହିଁ । ବର୍ତ୍ତମାନ ସମୟରେ ଟଙ୍କାର ଆବଶ୍ୟକତା ଅଛି । କିନ୍ତୁ ତା’ଠାରୁ ବଳି ବଡ଼ ହୃଦୟ ଦରକାର । ହୃଦୟ ବଡ଼ ଥିଲେ ହିଁ ସବୁ କିଛି କରିଯାଇପାରିବ ବୋଲି ସେ କରି ଦେଖାଇଛନ୍ତି । ଏଇ ଟଙ୍କିକିଆ କ୍ଲିନିକ୍‌ ସାରା ଭାରତରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଜନତାଙ୍କ ବିଶ୍ୱାସ ଓ ସମର୍ଥନ ପାଇ ସେ ଆଗକୁ ବଢ଼ୁଛନ୍ତି । ଅତି ସରଳ ଜୀବନଯାପନ କରୁଥିବା ଡାକ୍ତରଙ୍କ ଏହି ନିଃସ୍ୱାର୍ଥପର ସେବା ତାଙ୍କ ସ୍ତ୍ରୀ ମଧ୍ୟ ପୂରା ସମର୍ଥନ କରନ୍ତି ।

କିଛି ଲୋକ ରୋଗୀଙ୍କ ମୁହଁର ହସକୁ ସହି ପାରୁନାହାନ୍ତି । ଲୋକେ କହିବା ଓ କରିବା ଭିତରେ ଅନେକ ଅନ୍ତର ଅଛି । ଯେଉଁ ବ୍ୟକ୍ତି ଟଙ୍କିକିଆ କ୍ଲିନିକ୍‌କୁ ଉପହାସ କରୁଛନ୍ତି, ସେମାନେ ଲୋକଙ୍କ ପାଇଁ ଟଙ୍କିକିଆ କ୍ଲିନିକ୍‌ କରି ଦେଖାନ୍ତୁ । ଆଜି ନୁହେଁ ଆଜୀବନ କେବେ ବି କ୍ଲିନିକ୍‌ କରି ଦେଖାନ୍ତୁ । ସ୍ଥାନୀୟ ବିଧାୟକ, ମନ୍ତ୍ରୀ କେହି ପ୍ରଶଂସା କଲେନି । ରାଜନୀତିକୁ ପ୍ରବେଶ କଲେ ଡାକ୍ତର ବାବୁ ଜିତିଯିବେ ବୋଲି ଭୟ କରୁଛନ୍ତି । କିନ୍ତୁ କେବେ ବି ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି । ପାଠ ପଢ଼ିଛି, ରୋଗୀଙ୍କ ସେବାରେ ହିଁ ଜୀବନ ଦେବି । ଆସନ୍ତା ବର୍ଷ କ୍ଲିନିକ୍‌କୁ ଆହୁରି ଆଗେଇ ନେବି । ନିଜର ଆତ୍ମ ପ୍ରଚେଷ୍ଟାରେ ଆଗକୁ ବଢିବେ ।  ଗରିବ ଜନତାଙ୍କ ପାଇଁ ଜୀବନ ଯାକର ଆୟର ସ୍ରୋତ ବନ୍ଦ କରିଦେଇଛି । ମୋ ପାଇଁ ଡାକ୍ତରଖାନା ଜଗନ୍ନାଥ ଧାମ । ମା ସମଲେଇଙ୍କ ଆଶୀର୍ବାଦ ଓ କାଳିଆଙ୍କ ଆଶୀର୍ବାଦ ପାଇଁ ଆଜି ମୁଁ ସଫଳ ହୋଇଛି । ତେବେ ଆଗାମୀ ସମୟରେ ଏହି ପବିତ୍ର ସ୍ଥଳୀକୁ କିପରି ଆଗେଇ ନେବା ବୋଲି ସେ ପରାମର୍ଶ ମାଗିଛନ୍ତି ।

ସୂଚନାଯୋଗ୍ୟ, ଜାନୁୟାରୀ ମାସରେ ସେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେଇଥିବା ଏହି କ୍ଲିନିକରେ ଶୁଭାରମ୍ଭ କରିଥିଲେ । ତାଙ୍କ ମାତା ଲାଜବନ୍ତୀ ରାମଚନ୍ଦାନୀ କ୍ଲିନିକର ଉଦ୍‌ଘାଟନ କରିଥିଲେ । ଅଧିକ ଫି’ ଦେଇ ଚିକିତ୍ସା ସେବା ପାଇ ପାରୁନଥିବା ରୋଗୀଙ୍କ ପାଇଁ ଟଙ୍କାଏ ଫିସ୍ ନେଇ ଚିକିତ୍ସା କରିବେ ବୋଲି କହିଥିଲେ ।