• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିନ୍ଧୁତାଇଙ୍କ ସମାଜସେବାର ଯୁଗ ଶେଷ । ବେସାହାରାଙ୍କ ସାହାରା ପାଲଟିଥିବା ସମାଜସେବୀ ପଦ୍ମଶ୍ରୀ ସିନ୍ଧୁ ତାଇ ସପକାଲଙ୍କ ପରଲୋକ ହୋଇଯାଇଛି । ଦେଢମାସ ଧରି ଚିକିତ୍ସିତ ହେଉଥିବା ସିନ୍ଧୁତାଇଙ୍କ ୭୩ ବର୍ଷ ବୟସରେ ଗତକାଲି ଦେହାନ୍ତ ହୋଇଛି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ବେସାହାରା ଲୋକମାନଙ୍କ ପାଇଁ ନିଜ ଜୀବନକୁ ସେ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ । ତାଙ୍କ ପାଖରେ ୧୫ଶହରୁ ଅଧିକ ପୁଅଝିଅ ରହୁଥିଲେ । ସେମାନଙ୍କର ପାଠପଢା ସହ ସମସ୍ତ ଦାୟିତ୍ୱ ସେ ବୁଝୁଥିଲେ । ଗରିବ ପିଲାଙ୍କୁ ଦୁଇ ଓଳି ଖାଇବା ଯୋଗାଇବା ପାଇଁ ରେଲେଓ୍ୱ ଷ୍ଟେସନ, ବସଷ୍ଟାଣ୍ଡ ବୁଲି ବୁଲି ସେ ଟଙ୍କା ଯୋଗାଡ କରୁଥିଲେ ।

କେମିତି ଥିଲା ସିନ୍ଧୁତାଇଙ୍କ ଜୀବନ . .

ମହାରାଷ୍ଟ୍ରର ୱାର୍ଦ୍ଧାର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସିନ୍ଧୁତାଇ । ଗରିବ ଝିଅ ହୋଇଥିବାରୁ ତାଙ୍କୁ  ଦୀର୍ଘ ସମୟ ଧରି ଭେଦଭାବର ଶିକାର ହେବାକୁ ପଡିଲା । ପାଠପଢ଼ା ସପକ୍ଷରେ ନଥିଲେ ତାଙ୍କ ମା’ । ହେଲେ ବାପା ଚାହୁଁଥିଲେ ଝିଅ ପାଠ ପଢ଼ୁ । ସିନ୍ଧୁତାଇଙ୍କୁ ୧୨ ବର୍ଷ ହୋଇଥିବା ବେଳେ ଦୁଇ ଗୁଣା ଅଧିକ ବୟସର ବ୍ୟକ୍ତିଙ୍କ ସହ ତାଙ୍କର ବିବାହ କରାଯାଇଥିଲା । ସେ ବିବାହ ପରେ ତାଙ୍କୁ ସବୁବେଳେ ମାରପିଟ୍ କରୁଥିଲା । ୯ ମାସର ଗର୍ଭବତୀ ଥିବା ସମୟରେ ତାଙ୍କୁ ଘରୁ ବାହାର କରିଦେଇଥିଲେ ସ୍ୱାମୀ । ଗର୍ଭାବସ୍ଥାରେ ତାଙ୍କ ସ୍ୱାମୀ ତାଙ୍କ ପେଟକୁ ଏକ ଲାତ ମାରିଥିଲେ।

ବହୁତ କଷ୍ଟରେ ସେ ନିଜ ପିଲାକୁ ଜନ୍ମ ଦେଇଥିଲେ । ଝିଅର ନାଭି ନାଡ଼କୁ ପଥରରେ ଛେଚି ଅଲଗା କରିବାକୁ ପଡ଼ିଥିଲା । ଏହି ଘଟଣା ତାଙ୍କ ଜୀବନକୁ ଦୋହଲାଇ ଦେଇଥିଲା । ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲେ । କିନ୍ତୁ ପରେ ରେଲୱେ ପ୍ଲାଟଫର୍ମରେ ଭିକ ମାଗି ଝିଅକୁ ବଡ଼ କରିବାକୁ ମନସ୍ଥ କରିଥିଲେ । ଭିକ ମାଗିବା ସମୟରେ ଅନେକ ଅସହାୟ ପିଲାଙ୍କୁ ଦେଖି ତାଙ୍କ ମନରେ ଭାବାନ୍ତର ହୋଇଥିଲା । ନିଜେ ଅସହାୟ ଥିଲେ ବାପାମା’ ନଥିବା ପିଲାଙ୍କୁ କୋଳେଇ ନେଇଥିଲେ ସିନ୍ଧୁତାଇ । ଭିକ ମାଗି ହିଁ ସବୁ ପିଲାଙ୍କ ମୁହଁକୁ ଦାନା ଦେଉଥିଲେ ସିନ୍ଧୁତାଇ । ଅନେକ ସଂଘର୍ଷ ପରେ କିଛି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଆଉ ନିଜର ସ୍ୱଳ୍ପ ସଞ୍ଚିତ ଅର୍ଥରେ ସିନ୍ଧୁତାଇ ଏକ ଅନାଥାଶ୍ରମ ତିଆରି କଲେ ।

ସିନ୍ଧୁତାଇ ନିଜ ଜୀବନ କାଳରେ ୧୪୦୦ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଆଜି କେତେକ ଡାକ୍ତର, ଇଞ୍ଜିନିୟର ଓ ପ୍ରତିଷ୍ଠିତ ଓକିଲ । ସିନ୍ଧୁତାଇଙ୍କ ପରିବାର ବହୁତ ବଡ । ତାଙ୍କର ୨୦୭ ଜଣ ଜ୍ୱାଇଁ ୩୬ ଜଣ ବୋହୂ ଏବଂ ୧୦୦୦ରୁ ଅଧିକ ନାତିନାତୁଣୀ ଅଛନ୍ତି । ଅନାଥ ପିଲାମାନଙ୍କୁ ସାହାଯ୍ୟ କରୁଥିବା ତାଙ୍କ ନାମରେ ୬ଟି ସଂସ୍ଥା କାମ କରୁଛି । ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମେତ ୫୦୦ରୁ ଅଧିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସିନ୍ଧୁତାଇଙ୍କ ଜୀବନ କାହାଣୀ ଉପରେ ଏକ ସିନେମା ମଧ୍ୟ ତିଆରି ହୋଇଛି । ନିସ୍ୱାର୍ଥପର ସେବା ମନୋଭାବ ଓ ଗରିବ ପିଲାଙ୍କ ପ୍ରତି ଭଲ ପାଇବା ହିଁ ସାରା ଦେଶରେ ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା ।