• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପିଲାଟି ସବୁବେଳେ ମନେ ମନେ ଚିଡିଯାଏ ଯେତେବେଳେ ମା' ତାକୁ ପ୍ରାର୍ଥନା କରିବାକୁ ଡାକନ୍ତି । ସନ୍ଧ୍ୟା ହେଲେ ମା' ବଡ଼ ଭଉଣୀ ସମେତ ପରିବାର ସନ୍ଧ୍ୟା ଧୂପ ଲଗାଇ, ଠାକୁରଘରେ ହାତଯୋଡି ଆଖି ବନ୍ଦକରି ପ୍ରାର୍ଥନା ପାଇଁ ବସିଯାଆନ୍ତି । ସମ୍ମିଳିତଭାବେ ପ୍ରାର୍ଥନା ଗୀତ ଗାଆନ୍ତି । ପିଲାଟି ଯଦିଓ ସେମାନଙ୍କ ସହ ପ୍ରାର୍ଥନାରେ ଗୀତ ଗାଏ ତେବେ ମନ ତା’ର ଚାହୁଁଥାଏ ସାଙ୍ଗମେଳ, ହସଖୁସିକୁ । କେବଳ ବାଧ୍ୟହୋଇ ସମସ୍ତଙ୍କ ସହ ଆସନ ପାରି ବସିପଡେ ସିନା ଅଧିକ କିଛି କରିପାରେନା । ଛଟପଟ ହେଉଥାଏ କେତେବେଳେ ପ୍ରାର୍ଥନା ଶେଷ‌ହେବ ଓ ସେ ତା'ର ମନର କାମରେ ଲାଗିଯିବ ।

ପିଲାଟିର‌‌ ଅମନଯୋଗିତାକୁ ମାଆ ଲକ୍ଷ୍ୟ କରନ୍ତି । ବେଳେବେଳେ କହନ୍ତି ପ୍ରାର୍ଥନାରେ ଟିକେ ମନଲଗାରେ ଧନ ! ମନକୁ ବହୁତ ଶାନ୍ତି ମିଳିବ, ପାଠ ମଧ୍ୟ ମନେରହିବ ଆଉ ଈଶ୍ୱର ମଧ୍ୟ ସନ୍ତୁଷ୍ଟ ହେବେ । ତୋତେ ପରୀକ୍ଷାରେ ଭଲ ଫଳ ମିଳିବ।

ପିଲାଟି ମନରେ ଅନେକ ପ୍ରଶ୍ନ ଉଠେ, ମାଆ ଯାହା କହୁଛନ୍ତି ସେଥିରେ ସତ୍ୟତା ଅଛି କି ? ମୁଁ ପାଠ ନ ପଢିଲେ ଈଶ୍ଵର ମୋତେ ଅଧିକ ନମ୍ବର ଦିଆଇ ପାରିବେ କି ? ପ୍ରାର୍ଥନା କଲେ ସତରେ କିଛି ଫଳ ମିଳେ କି ?

ସେଦିନ ସ୍କୁଲ୍‌ରୁ ଫେରିବା ବାଟରେ ପାଖରେ ଥିବା ଆଶ୍ରମ ଭିତରେ ପିଲାଟି ଜଣେ ସାଧୁଙ୍କୁ ଦେଖିଲା । ସେ ସାଧୁ ଜଣକ ଆଶ୍ରମର ବଗିଚାରେ କିଛି କାମ କରୁଥାନ୍ତି । ପିଲାଟି ଭାବିଲା ହୁଏତ ମୁଁ ଏଇ ପ୍ରାର୍ଥନା ଆଉ ଈଶ୍ଵରଙ୍କ ସମ୍ଵନ୍ଧରେ କିଛି ପଚାରିଲେ ମାଆ ଅପେକ୍ଷା ଇଏ ଠିକ କଥା କହିପାରିବେ । ମାଆଠୁ ନିଶ୍ଚୟ ୟାଙ୍କୁ ଅଧିକ ଜଣାଥିବ ।

ପିଲାଟି ଆଶ୍ରମ ଭିତରକୁ ଗଲା, ସାଧୁଙ୍କ ପାଖରେ ଠିଆ ହୋଇ ତାଙ୍କ କାମକୁ ଦେଖିଲା । ମନର କଥା ପଚାରିବାକୁ ମନେମନେ ଭାବୁଛି, ସାଧୁ ଜଣକ ଗଛମୂଳେ ମାଟି ଖୁସଉଥିବା ଖୁରୁପିକୁ ଥୋଇଦେଇ ପିଲାଟିକୁ ଚାହିଁଲେ ଓ ପଚାରିଲେ-

କ'ଣ କିଛି କହିବ ବାପା ?

ପିଲାଟି କହିଲା - ହଁ

ସାଧୁ - କୁହ କ'ଣ କହିବାକୁ ଚାହୁଁଛ ।

ପିଲାଟି ଏଥର ତା' ମନରେ ଥିବା ସବୁ କଥା ସାଧୁଙ୍କୁ କହିଲା । ଆହୁରି ମଧ୍ୟ ପଚାରିଲା - ସବୁଦିନ ପ୍ରାର୍ଥନା କରିବା କ'ଣ ନିହାତି ଜରୁରୀ ? ଈଶ୍ୱରଙ୍କୁ ଥରେ ଡାକିଦେଲେ କ'ଣ ଚଳିବ ନାହିଁ ? ମାଆ ସବୁଦିନ ପ୍ରାର୍ଥନା କରିବାକୁ କହିବା କ'ଣ ଦରକାର ଯେ !

ସାଧୁ ପିଲାଟିର ମନର କଥାକୁ ବୁଝିପାରୁଥିଲେ । ଅତି ସମାହିତ ସ୍ୱରରେ କହିଲେ - ହଁ ତୁମକଥା ଠିକ । ଥରେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ ବି ସେ ଶୁଣନ୍ତି । କିନ୍ତୁ ସେଥିରେ ଟିକେ ଅସୁବିଧା ଅଛି ।

ପିଲାଟି ପଚାରିଲା - ଅସୁବିଧା ପୁଣି କ'ଣ ?

ସାଧୁ କହିଲେ - ମୁଁ ଜାଣିଛି ସବୁ ମଣିଷ ଈଶ୍ୱରଙ୍କୁ ଏ ଜୀବନରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତି, କେହିକେହି କିଛି ପ୍ରାପ୍ତି ଆଶାରେ ମଧ୍ୟ ପ୍ରାର୍ଥନା କରିଥାନ୍ତି । ତେବେ ମୋ ମତରେ ମୁକ୍ତି ପାଇଁ ହେଉ ଅବା କିଛି ପ୍ରାପ୍ତି ପାଇଁ ହେଉ, ଥରୁଟିଏ ଈଶ୍ୱରଙ୍କୁ ଡାକିଦେଲେ ବି ଯଥେଷ୍ଟ ହୋଇଥାଏ ।

ପିଲାଟି ସାଧୁଙ୍କ କଥା ଶୁଣି ଉତ୍ସାହିତ ହୋଇପଡ଼ିଲା ଓ ଚଟାପଟ୍ କହିଲା - କୁହନ୍ତୁ ଆଜ୍ଞା ସେଇ ଥରଟା ପ୍ରାର୍ଥନା କେବେ କରିବାକୁ ହେବ ? ମୁଁ ସେଇଦିନଟା ହିଁ ଡାକିଦେବି ।

ସାଧୁ ପୂର୍ବ ପରି ଶାନ୍ତ ସ୍ୱରରେ କହିଲେ - ତୁମେ ଏବେ ତ ଅବୋଧ ବାଳକଟିଏ । ତୁମକୁ ଏ ଗୁଢ କଥାଟି କହିବା ଠିକ ହେବ ନାହିଁ । କାରଣ ତୁମେ ଏବେ ଏ ସଂସାରକୁ ନୂଆ ନୂଆ ଦେଖିବା ଆରମ୍ଭ କରୁଛ । ଆଗକୁ ତୁମକୁ ଅନେକ ରାସ୍ତା ଯିବାକୁ ଅଛି ।

Short Story Prathana by Pradeep Nayakପଢନ୍ତୁ ପ୍ରଦୀପ ନାୟକଙ୍କ କ୍ଷୁଦ୍ରଗଳ୍ପ ପ୍ରାର୍ଥନା

ପିଲାଟି କିନ୍ତୁ ନିଜ ମନରକୌତୁହଳ ପାଖରେ ଆହୁରି ଉତ୍କଣ୍ଠିତ, ଉଦ୍‌ବେଳିତ ପରି ଲାଗୁଥିଲା, ଯାହା ସାଧୁଙ୍କ ଆଖିରୁ ବାଦ ପଡୁ ନାହିଁ ।‌

ପିଲାଟି କହିଲା - କୁହନ୍ତୁ ମହାଶୟ । ମୁଁ ସେଇ ଗୁଢକଥା ଶୁଣିବି । ଆପଣ ମୋତେ ଯେତେ ଛୋଟ ଭାବୁଛନ୍ତି ମୁଁ ତ ସେତେ ଛୋଟ ନୁହଁ । ଆସନ୍ତା ବର୍ଷକୁ ମୁଁ ମାଟ୍ରିକ ପରୀକ୍ଷା ଦେବି । ଅନ୍ତତଃ ଏଇ କଥାଟି ଜାଣିଗଲେ ମୋର ମୁକ୍ତି ଫୁକ୍ତିରୁ କ'ଣ ମିଳିବ, ମୋର ପରୀକ୍ଷାରେ କିପରି ଭଲ ଫଳ ମିଳିପାରିବ ସେତିକି ତ ଅନ୍ତତଃ ପ୍ରାର୍ଥନା କରିବି ।

ସାଧୁ ପିଲାଟିକୁ ଅଧିକ ଦ୍ଵନ୍ଦ୍ୱରେ ରଖିବାକୁ ଚାହିଁଲେ ନାହିଁ । ସଞ୍ଜ ହେଇ ଆସୁଛି, ତାଙ୍କୁ ଆଶ୍ରମର ଆଳତି, ପ୍ରାର୍ଥନା କାମରେ ଯିବାକୁ ପଡିବ । ପିଲାଟିର ସ୍କୁଲ୍‌ ଫେରନ୍ତା ରାସ୍ତାକୁ ତା'ର ମାଆ ଚାହିଁ ବସିଥିବେ । ତେଣୁ ସେ କହିଲେ - ମୁଁ ଜାଣେ ଯଦି କେହି ତା’ର ମୃତ୍ୟୁର ଠିକ୍ ପୂର୍ବଦିନ ଈଶ୍ୱରଙ୍କୁ ଭକ୍ତିର ସହ ଡାକିଦିଏ ଈଶ୍ୱର ତା'ର ସବୁ କଥା ଶୁଣନ୍ତି ଓ ତା’ର ଇପ୍‌ସିତ କାମନାକୁ ପୂରଣ ମଧ୍ୟ କରନ୍ତି । ମୁଁ ଭାବୁଛି ସେଇ ଦିନଟିଏ ହିଁ ଜୀବନରେ ପ୍ରକୃଷ୍ଟ ଦିନ ଓ ଯଥେଷ୍ଟ ।

ପିଲାଟି ଏଥର ଗଡ଼ ବିଜୟ କଲପରି ଘରକୁ ଫେରିଲା । ସବୁଦିନ ପରି ସନ୍ଧ୍ୟା ପ୍ରାର୍ଥନା କରିବାକୁ ମାଆ କହିବାରୁ ପିଲାଟି - ଦୃଢ଼ ସ୍ଵରରେ କହିଲା - ମାଆ ତୁମେ ଯାଅ ପ୍ରାର୍ଥନା କରିବ, ମୋର ସବୁଦିନ ସେସବୁ ଦରକାର ନାହିଁ ।

ମାଆ ଆଶ୍ଚର୍ଯ୍ୟ ହେଲେ ପୁଅର କଥାରେ । ତା' ସ୍ଵରରେ ଥିବା ପ୍ରତିବାଦର ଢଙ୍ଗରେ । ପଚାରିଲେ - କିରେ ତୋର କ'ଣ ହେଇଚି କି ? ପ୍ରାର୍ଥନା କରିବାକୁ ମନାକରି ଦେଉଚୁ । ଠାକୁର ଘରେ ଅନ୍ୟମାନେ ତତେ ଅପେକ୍ଷା କରିଛନ୍ତି ପରା !

ପିଲାଟି ମାଆଙ୍କ କଥାରେ ଧ୍ୟାନ ନ ଦେଇ କହିଲା - ମାଆ ଠାକୁରଙ୍କୁ ସବୁଦିନ ପ୍ରାର୍ଥନା କରିବା କ'ଣ ଦରକାର ? ମୁଁ ତ ଆଜି ସ୍କୁଲରୁ ଆସିବା ବେଳେ ଆଶ୍ରମର ସାଧୁବାବାଙ୍କୁ ଏଇ କଥା ପଚାରିଲି । ସେ ମୋତେ ସଫାସଫା ମନାକଲେ କି ସବୁଦିନ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଆଦୌ ଦରକାର ନାହିଁ ।

ମାଆ ପୁଅର ମୁହଁରୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲେ - କେହିଜଣେ ସାଧୁ ଏକଥା କହିପାରେ ! ନିଶ୍ଚୟ ଇଏ ମିଛ କହୁଛି । ତେବେ ଯେତେ ଯାହା କହିଲେ ବି ପୁଅ ନିଜ ଜିଦିରେ ଅଟଳ । ମୋତେ ସାଧୁ କହିଛନ୍ତି ମୁଁ ଥରୁଟେ ଈଶ୍ୱରଙ୍କୁ ଡାକିଦେଲେ ଯଥେଷ୍ଟ । ମୋର ସବୁଦିନ ପ୍ରାର୍ଥନା କରିବା ଆବଶ୍ୟକ ନାହିଁ ।

ପିଲାଟିର ଅବୁଝାପଣର ଦୃଢ଼ତାକୁ ଦେଖି ମାଆ ମନେ ମନେ ଚିଡିଗଲେ । ପ୍ରାର୍ଥନା ସମୟ ଗଡିଯିବାକୁ ବସିଛି । ବିରକ୍ତି ମିଶା ଗଳାରେ କହିଲେ - ଆଚ୍ଛା ଠିକ୍ ଅଛି । ମୁଁ କାଲି ନିଜେ ଯିବି ସେ ସାଧୁଙ୍କ ପାଖକୁ, ଦେଖିବି କେମିତି ସେ ଏପରି କହିଛନ୍ତି ।

ପିଲାଟି ଏଥର ତା’ କଥାରେ ଆହୁରି ଜୋର୍ ଦେଇ କହିଲା - ମାଆ ମୁଁ କ’ଣ ମିଛ କହୁଛି ବୋଲି ଭାବୁଛ ! ସାଧୁ ପରା ମୋତେ କହିଛନ୍ତି ଜୀବନରେ ଥରେ ମାତ୍ର ଈଶ୍ୱରଙ୍କୁ ପ୍ରାର୍ଥନା କରିପାରିଲେ ଯଥେଷ୍ଟ ହେବ, ଏମିତି ସବୁଦିନ କିଛି ଆବଶ୍ୟକ ନାହିଁ ।

ମାଆ ପଚାରିଲେ - ଆଚ୍ଛା ତୋ କଥା ମୁଁ ମାନୁଚି, ସାଧୁ ତତେ କହିଥିବେ । ତେବେ ସେଇ ଥରଟେ କେବେ ଓ କେମିତି ତ କହିଥିଵେ ।

ପିଲାଟି ଏଥର ଫଟ୍ କରି କହିଦେଲା - ହଁ ମା' ସେ କହିଛନ୍ତି, ଯଦି ମୃତ୍ୟୁର ଠିକ୍ ପୂର୍ବଦିନ କେହି ଈଶ୍ୱରଙ୍କୁ ଥରେ ଡାକିଦିଏ, ତା'ହେଲେ ଈଶ୍ୱର ତା'ର ସବୁ ଇଚ୍ଛାକୁ ପୂରଣ କରିଦିଅନ୍ତି ।

ପୁଅର କଥା ଶୁଣି ମାଆ ଟିକେ ଗୁମ୍ ଖାଇଗଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ମିତ ହସି କହିଲେ - ଧନରେ ଏବେ ମୁଁ ବୁଝୁଛି, ଅବଶ୍ୟ ସାଧୁ ତତେ ଏହା କହିଥିବେ ।

ପିଲାଟି ଏଥର ଖୁସି ହୋଇଗଲା । ଯା'ହେଉ ମାଆ ତା'କଥାକୁ ବିଶ୍ୱାସ କରିଛନ୍ତି । ଏଥର ତାକୁ ସବୁଦିନର ପ୍ରାର୍ଥନାରୁ ମୁକ୍ତି ମିଳିଗଲା ।

ପୁଅକୁ ପାଖକୁ ଡାକି ତା' ମୁଣ୍ଡରେ ସସ୍ନେହ ହାତ ବୁଲେଇ ମାଆ ସାଧୁଙ୍କ କହିଥିବା କଥାର ମର୍ମକୁ ବୁଝେଇ ଦେଲେ - ଧନରେ ତୁ ଏବେ ଛୋଟପିଲା । ଏକଥାର ରହସ୍ୟ ବୁଝି ପାରିବୁ ନାହିଁ । ସଂସାରରେ କେହି ତିନୋଟି କଥା ବିଷୟରେ ସଠିକ୍ କଥା କହିପାରନ୍ତି ନାହିଁ । ତାହା ହେଉଛି - ଜନମ, ମରଣ ଆଉ ବରଷା । ତେଣୁ ସେ ଠିକ୍ କହିଛନ୍ତି ମଣିଷ ଯେତେବେଳେ ତା’ର ମୃତ୍ୟୁ ବିଷୟରେ କହିପାରେ ନାହିଁ, କେବେ ମୃତ୍ୟୁ ଆସିବ ଜାଣିପାରେ ନାହିଁ, ତେଣୁ ତା’ର ପୂର୍ବଦିନଟି ମଧ୍ୟ ସମସ୍ତଙ୍କୁ ଅଜଣା । କିଏ ଜାଣେ କାହାର ମୃତ୍ୟୁ କେତେବେଳେ ହେବ ? ଅନିଶ୍ଚିତ ସେ ମୁହୂର୍ତ୍ତ ହୁଏତ ଆଉ ଟିକେ ପରେଵି ଆସିପାରେ । ପାଣିରେ ଫୋଟକା ପରି ଏଇ ଦେଖୁଥିବା ଜୀବନ ଆଉଟିକକୁ ନଥିବ । ତେଣୁ ତ ମଣିଷ ପ୍ରତିଟି ଦିନକୁ ତା'ର ମୃତ୍ୟୁର ଶେଷ ପୂର୍ବ ଦିନ ଭାବିଥାଏ । ତା'ପରେ ଆମେ ସବୁଦିନ ଯେଉଁ ପ୍ରାର୍ଥନା କରୁ ତାହାର ଦୁଇଟି ଉଦ୍ଦେଶ୍ୟ ଥାଏ । ପ୍ରଥମରେ ଆମେ ନିଜ ଅନ୍ତର୍ମନ ଓ ନିଜ ଅନ୍ତର୍ଜଗତ ସହ ସଂଯୁକ୍ତ ହୋଇଥାଉ । ଦ୍ୱିତୀୟ ଉଦ୍ଦେଶ୍ୟଟି ହେଲା ଅନ୍ତର୍ମନ ସହ ଈଶ୍ୱରଙ୍କ ଠାରେ ଧ୍ୟାନସ୍ଥ ହେଉ ।

ମାଆ ଆହୁରି ମଧ୍ୟ କହିଲେ - ତୁ ଏବେ ଛୋଟ । ହୁଏତ ବଡହେଲେ ବୁଝିପାରିବୁ ଆମେ ଯେତେବେଳେ ପ୍ରାର୍ଥନା ପାଇଁ ଆସନଟିଏ ପାରୁ , ସେତେବେଳେ ଆମେ ଆମ ଚାରିପାଖର ଜଞ୍ଜାଳକୁ ଦୂରରେ ରଖିଥାଉ, ଆଖିଯୋଡିବା ଦ୍ୱାରା ବାହାରର ଦୃଶ୍ୟମାନ ଜଗତରୁ ନିଜକୁ ବିଛିନ୍ନ କରୁ ଏବଂ ସଚେତନ ଭାବରେ ନିଜ ଭିତରର ଅନ୍ତର୍ଜଗତ ଆଡକୁ ଦୃଷ୍ଟି ଦେଇଥାଉ । ଏହି ସୁଯୋଗ କେବଳ ପ୍ରାର୍ଥନା ସମୟରେ ହିଁ ମିଳିଥାଏ ।

ଅନ୍ୟ ସମୟରେ ଆମେ ବାହାରର ଦୁନିଆଁ ସହ ରହି ଆମ ପାର୍ଥିବ କର୍ମରେ ଲାଗିଥାଉ । ଆହୁରି ମଧ୍ୟ ଆମେ ହାତ ଯୋଡ଼ି ଦେବା ଦ୍ୱାରା ଈଶ୍ୱରଙ୍କ ଠାରେ ବିନୟ ଭାବେ ସମର୍ପିତ ହୋଇ ସୂଚାଇଦେଉ ଯେ ଏବେ ମୁଁ ସଂସାର କର୍ମରୁ ବିରତ ରହି ଆପଣଙ୍କ କୃପା ଆଶାୟୀ ହେଉଛି । ଏହାଦ୍ୱାରା ସବୁଠୁଁ ଦୁର୍ଲଭ ମାନସିକ ଶାନ୍ତି ମଣିଷ ଭିତରେ ବିରାଜମାନ କରିଥାଏ । ତେବେ ଆହୁରି ଅନେକ କଥା ଅଛି । ଏବେ ଚାଲ ମୋ ସହ ।

ପିଲାଟିର ମନରୁ ସବୁ ଦ୍ୱନ୍ଦ୍ୱ ଦୂର ହେଇ ସାରିଥିଲା । ବିଳମ୍ବରେ ହେଲେ ମଧ୍ୟ ସେ ମାଆଙ୍କ ସାଥୀରେ ପ୍ରାର୍ଥନା କରିବାକୁ ଯାଇଥିଲା ।

ଵନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା

ଦୂରଭାଷ : ୮୯୧୭୩୭୦୨୨୭