• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍ ଛକାପଞ୍ଝା । କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁଦ୍ଧ ଆଶଙ୍କା । ୟୁକ୍ରେନ ଉପରେ ଆକ୍ରମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । ଏଭଳି ସ୍ଥିତିରେ ଗତକାଲି ଆମେରିକା ଚେତାଇ ଦେଇଛି, ଯେ କୌଣସି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତର୍କ କରାଯାଇଛି । ଏହାରି ଭିତରେ ପୁତିନ ଓ ବାଇଡେନଙ୍କ ମଧ୍ୟରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଫଳରେ ସମାଧାନର ବାଟ ବାହାରିବା ନେଇ ରାସ୍ତା ଖୋଲିଛି ।

ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ୟୁକ୍ରେନ୍ ନାଗରିକଙ୍କୁ ହତ୍ୟା କରାଯିବ, ନଚେତ୍ ମିଲିଟାରୀ କ୍ୟାମ୍ପ ପଠାଯିବ । ଏନେଇ ତାଲିକା ପ୍ରସ୍ତୁତ କରିସାରିଛି ଋଷ । ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘକୁ ଏଭଳି ସତର୍କ କରାଇଦେଇଛି ଆମେରିକା । ଜାତିସଂଘ ମାନବାଧିକାର ହାଇକମିଶନର୍ ମାଇକେଲ୍ ବେଚଲେଟଙ୍କୁ ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଚିଠି କରାଯାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ନେଇ ଆମେରିକା ପାଖରେ ବିଶ୍ୱାସଯୋଗ୍ୟ ତଥ୍ୟ ଓ ପ୍ରମାଣ ରହିଛି । ଆଉ ଏହି ତଥ୍ୟ କହୁଛି ଯେ, ୟୁକ୍ରେନ୍ ଅକ୍ତିଆର ପାଇଁ ଯେକୌଣସି ସ୍ତରକୁ ଯାଇପାରେ ଋଷ ।

ନାଗରିକଙ୍କୁ ଅପହରଣ ଓ ନିର୍ଯାତନା ଦିଆଯିବା ସହ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରାଯାଇପାରେ । ଏପରିକି ନାଗରିକଙ୍କୁ ହତ୍ୟା ଆଶଙ୍କା ମଧ୍ୟ ରହିଛି । ଗତ ସପ୍ତାହ ମଧ୍ୟରେ ୟୁକ୍ରେନ୍ ସୀମାରେ, ଋଷ ଦେଢ ଲକ୍ଷ ସୈନ୍ୟ ମୁତୟନ କରିବା ଏହି ଆଶଙ୍କାକୁ ସତ ପ୍ରମାଣିତ କରୁଛି ବୋଲି ଆମେରିକା ପକ୍ଷରୁ ଦାବି କରାଯାଇଛି । ଚିଠିରେ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତଙ୍କ ଦସ୍ତଖତ ରହିଛି । ଏପଟେ ଋଷ କିନ୍ତୁ ୟୁକ୍ରେନ୍ ଆକ୍ରମଣ ଯୋଜନାକୁ ଖଣ୍ଡନ କରିଆସୁଛି ତେବେ ନାଟୋରେ ମିଶିବା ସ୍ୱପ୍ନକୁ ୟୁକ୍ରେନ୍ ଭୁଲିଯିବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରପତି ପୁତିନ୍ । ୟୁକ୍ରେନ୍ ଉପରେ ପଶ୍ଚିମ ଦେଶର ପ୍ରଭାବ ହ୍ରାସ କରିବାକୁ ବି ସେ ଦାବି କରିଛନ୍ତି ।

ଋଷ ଓ ୟୁକ୍ରେନ୍ ମଧ୍ୟରେ ଅଶାନ୍ତି ଓ ଯୁଦ୍ଧ ଆଶଙ୍କା ବଢିଚାଲିଥିବା ବେଳେ କୂଟନୈତିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ସପକ୍ଷରେ ଅଛି ଫ୍ରାନ୍ସ । ଆଉ ଏଥିରେ ମୁଖ୍ୟ ଭୂମିକା ତୁଲାଉଛନ୍ତି ନିଜେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ । ୟୁରୋପର ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ସହ ୟୁକ୍ରେନ୍ ସଙ୍କଟ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଋଷ ପ୍ରତିପକ୍ଷ ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶିଖର ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ ମାକ୍ରୋନ୍ । ଏହି ପ୍ରସ୍ତାବରେ ଉଭୟ ରାଷ୍ଟ୍ରପତି ରାଜି ହୋଇଥିବା ରାଷ୍ଟ୍ରପତି ଭବନ ଏଲିସି ପ୍ୟାଲେସ ପକ୍ଷରୁ କୁହାଯାଇଛି ।

ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି । ଋଷ, ୟୁକ୍ରେନ୍ ଉପରେ ଆକ୍ରମଣ ନକରିବା ପରେ ହିଁ ଏହି ଆଲୋଚନା ହେବ ବୋଲି ସ୍ପଷ୍ଟ କରାଯାଇଛି । ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ବୈଠକ ପୂର୍ବରୁ ଆସନ୍ତା ୨୪ ତାରିଖରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ୍ ଏବଂ ସର୍ଗି ଲାଭରୋଭଙ୍କ ମଧ୍ୟରେ ବୈଠକ ହେବ । ସେପଟେ ଆପୋଷ ଆଲୋଚନା ସହ ସଙ୍କଟର ସମାଧାନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ।