ଟାଇଟାନିକ୍ ଟ୍ରାଜେଡିକୁ ୧୧୦ ବର୍ଷ ପୂରିଛି । ଏବେ ବି ମନରୁ ଲିଭିନି ସେହି ରାତିର କଳା କାହାଣୀ । ୪୧ କିଲୋମିଟର ବେଗରେ ମାଡ଼ିଚାଲୁଥିବା ବେଳେ ଆଇସବର୍ଗ ସହ ପିଟିହୋଇଥିଲା ଟାଇଟାନିକ୍ । ସେତେବେଳେ ଜାହାଜ ଭିତରେ ଶହ ଶହ ଯାତ୍ରୀ ଘୋର ନିଦ୍ରାରେ ଥିଲେ । ଟାଇଟାନିକ କେବେ ବୁଡ଼ିବ ନାହିଁ ହେଉଥିବା ଦାବି ଫିକା ପଡ଼ିଗଲା । ଶେଷରେ ଟାଇଟାନିକ ଜାହାଜ ଆଟଲାଣ୍ଟିକ ମହାସାଗର ଗର୍ଭରେ ଲୀନ ହୋଇଗଲା । ଆଉ ଦୁର୍ଘଟଣାରେ ୧୫୦୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଚାଲିଗଲା । ତେବେ ଟାଇଟାନିକ ଟ୍ରାଜେଡି ପଛର ରହସ୍ୟ କଣ, ସେନେଇ ଏବେ ବି ଚର୍ଚ୍ଚା ଲାଗିରହିଛି ।
ଇଂଲଣ୍ଡର ସାଉଥମ୍ପଟନରୁ ଆମେରିକାର ନ୍ୟୁୟର୍କ ଅଭିମୁଖେ ବାହାରିଥିଲା ଟାଇଟାନିକ୍ । ଯାତ୍ରା ଆରମ୍ଭ କରିବାର କେବଳ ୩ ଘଣ୍ଟା ଭିତରେ ସବୁକିଛ ଓଲଟପାଲଟ ହୋଇଯାଇଥିଲା । ୧୯୧୨, ଏପ୍ରିଲ ୧୪ ଓ ୧୫ ରାତିରେ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ିଗଲା ବିଶାଳକାୟ ଜାହାଜ ଟାଇଟାନିକ । ଆଉ ତା ସହ ୧୫୦୦ରୁ ଅଧିକ ଜୀବନ ଚାଲିଗଲା । ତେବେ ଟାଇଟାନିକ୍ ବୁଡ଼ିକୁ ୧୧୦ ବର୍ଷ ବିତିଥିଲେ ମଧ୍ୟ ଏହାକୁ ସବୁଠୁ ବଡ଼ ସମୁଦ୍ର ଦୁର୍ଘଟଣା ବୋଲି କୁହାଯାଉଛି । କାନାଡା ଠାରୁ ୬୫୦ କିଲୋମିଟର ଦୂରରେ ୩ ହଜାର ୮୪୩ ମିଟର ଗଭୀରରେ ଦୁଇ ଖଣ୍ଡ ହୋଇଯାଇଥିଲା ଜାହାଜ ଟାଇଟାନିକ୍ । ଜାହାଜର ଗୋଟିଏ ଖଣ୍ଡ ଅନ୍ୟ ଅଂଶ ଠାରୁ ୮୦୦ ମିଟର ଦୂରରେ ପଡ଼ିଥିଲା । ତେବେ ଦୁର୍ଘଟଣାର ୧୧୦ ବର୍ଷ ପରେ ଆଜି ବି ଦୁର୍ଘଟଣାକୁ ନେଇ ରହସ୍ୟ ଲାଗି ରହିଛି ।
ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି, ହେଲେ ସତ କଣ ତାହା ଜଣାପଡ଼ିନାହିଁ । ସେତେବେଳେ ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଟାଇଟାନିକ୍ କେବେ ବି ବୁଡ଼ିବ ନାହିଁ ବୋଲି ଦାବି ହୋଇଥିଲା । ଇଶ୍ୱର ଚାହିଁଲେ ବି ଏହାକୁ ବୁଡ଼ାଇ ପାରିବେ ନାହିଁ ବୋଲି ଦାବି କରୁଥିଲେ ଇଞ୍ଜିନିୟରମାନେ । କିନ୍ତୁ ଏହା ପଛରେ ସେମିତି କାରଣ ମଧ୍ୟ ଥିଲା । ଆଜିର ବଡ଼ ବଡ଼ ଇଞ୍ଜିନିୟରଙ୍କ ମତରେ, ଡିଜାଇନ୍ ଆାଧାରରେ ଏହି ଜାହାଜ ସବୁଠୁ ବିକଶିତ ଥିଲା । ଜାହାଜରେ ୱାଟର ଟାଇଟ୍ କମ୍ପାଟମେଣ୍ଟ ତିଆରି କରାଯାଇଥିଲା । ଯଦି ଜାହାଜର କୌଣସି କମ୍ପାଟମେଣ୍ଟରେ ପାଣି ଭର୍ତ୍ତି ହୋଇଯାଏ ତେବେ ପାଣି ଅନ୍ୟ ରୁମକୁ ଯାଇପାରିବ ନାହିଁ ।
ସେପଟେ ଜାହାଜ ନିର୍ମାଣ ବେଳେ ଅନେକ ଅସୁବିଧା ଉପୁଜିଥିଲା । ସମୁଦ୍ରର ଜଳସ୍ତର ଠାରୁ ଜାହାଜର ଉଚ୍ଚତା କେତେ ହେବା ଦରକାର ଏବଂ ଜାହାଜରେ ଲାଗିଥିବା ବିଜୁଳୀ ତାର କେତେ ଉଚ୍ଚରେ ରହିବା ଉଚିତ । ଏମିତି ଅନେକ ଦିଗ ଉପରେ ଧ୍ୟାନ ଦେଇଥିଲେ ଇଞ୍ଜିନୟରମାନେ । ଏହାକୁ ନଜରରେ ରଖି ଜାହାଜର ଛାତ ଉପରେ ବି କମ୍ପାଟମେଣ୍ଟ ତିଆରି କରାଯାଇଥିଲା । ହୁଏତ ବିଶାଳ ଆଇସବର୍ଗ ସହ ଜାହାଜ ଧକ୍କା ହୋଇପାରେ ବୋଲି ସେତେବେଳେ କେହି ଭାବିନଥିଲେ ।
ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଧକ୍କା ଏତେ ତୀବ୍ର ଥିଲା ଯେ ଅଧା ଜାହାଜ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ଏପରିକି ୱାଟର ଟାଇଟ୍ କମ୍ପାଟମେଣ୍ଟର ଅନେକ କାନ୍ଥ ଭାଙ୍ଗଯାଇଥିଲା । ଏଭଳି ପରିସ୍ଥିତିରେ ପାଣି ଜାହାଜର ଛାତ ଯାଏ ପହଞ୍ଚିଯାଇଥିଲା । ଏହି ସମୟରେ ଯେଉଁ ପରିମାଣରେ ପାଣି ଜାହାଜ ଭିତରେ ପ୍ରବେଶ କରିଥିଲା, ତାକୁ ଜାହାଜରୁ ନିଷ୍କାସନ୍ କରିବା ଅସମ୍ଭବ ବୋଲି ବିଶେଷଜ୍ଞ କହିଛନ୍ତି ।
ସେପଟେ ଜାହାଜ ନିର୍ମାଣରେ ବ୍ୟବହୃତ ଷ୍ଟିଲ୍ ଏତେ ମଜଭୁତ ନଥିଲା । ସେତେବେଳେ ଯଦିଓ ଶୁଦ୍ଧ ଷ୍ଟିଲ୍ ବ୍ୟବହାର କରାଯାଉଥିଲା କିନ୍ତୁ ଆଜିର ଷ୍ଟିଲ ତୁଳନାରେ ତାହା ଦୁର୍ବଳ ଥିଲା । ଅନ୍ୟପଟେ ଜାହାଜ ବୁଡ଼ିଯିବା ପରଠୁ ଏହା ପଛରେ ମନୁଷ୍ୟକୃତ କାରଣ ଥିବା ନେଇ ଚର୍ଚ୍ଚା ହୋଇଆସିଛି । ଏହାର କାରଣ ମଧ୍ୟରୁ ବ୍ଲୁ ବ୍ୟାଣ୍ଡ ଗୋଟିଏ ବୋଲି କୁହାଯାଉଛି । ଆଇସବର୍ଗ ଭର୍ତ୍ତି ଅଞ୍ଚଳ ଦେଇ ଜାହାଜ ଗତି କରୁଥିଲେ ସୁଦ୍ଧା ଏହା ଉପରେ ଶୀଘ୍ର ପହଞ୍ଚିବା ନେଇ ଚାପ ଥାଏ ।
କାରଣ ୧୮୩୯ରୁ ଆରମ୍ଭ ହୋଇଥିବା ବ୍ଲୁ ବ୍ୟାଣ୍ଡ ସମ୍ମାନ, ଆଟଲାଣ୍ଟିକ୍ ମହାସାଗରରେ ତୀବ୍ର ଗତିରେ ଯାଇପାରୁଥିବା ଜାହାଜକୁ ମିଳେ । ସେତେବେଳେ ଟାଇଟନିକ ଏହି ସମ୍ମାନର ଦାବିଦାର ଥିଲା ବୋଲି କୁହାଯାଏ । ପ୍ରଥମେ ଯାତ୍ରା ଆରମ୍ଭ କରୁଥିବା ଜାହାଜକୁ ଏହି ସମ୍ମାନ ମିଳିବାର ସମ୍ଭାବନା ଅଧିକ ଥାଏ । ତେବେ ଦୁର୍ଘଟଣାରୁ ବଞ୍ଚିଯାଇଥିବା କିଛି ଯାତ୍ରୀଙ୍କ ଅନୁସାରେ, ବିଶାଳ ହିମଖଣ୍ଡ ନେଇ କ୍ୟାନେଙ୍କୁ ସୂଚନା ଥିଲେ ସୁଦ୍ଧା ସେ ଜାହାଜର ଗତି କମାଇନଥିଲେ ।
ଅନ୍ୟପଟେ ଟାଇଟାନିକ୍ ଦୁର୍ଘଟଣାରେ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଲାଗି ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା, ସେତେବେଳେ ରାଡାରର ବ୍ୟବହାର ଆରମ୍ଭ ହୋଇନଥିଲା । ଜାହାଜର କେହି ଜଣେ କର୍ମଚାରୀ, ଉଚ୍ଚ ସ୍ଥାନରେ ବସି ରାସ୍ତାରେ ଆସୁଥିବା ହିମଖଣ୍ଡ ସମ୍ପର୍କରେ କ୍ୟାନେଙ୍କୁ ସୂଚନା ଦେଉଥିଲେ । ଯାହାକି ଆଦୌ ସୁରକ୍ଷିତ ନଥିଲା ବୋଲି ବିଶେଜ୍ଞମାନେ ମତ ରଖିଛନ୍ତି । କିନ୍ତୁ ଏବେ ରାଡାର ଏବଂ ସୋନାର ସାହାଯ୍ୟରେ ବହୁ ପୂର୍ବରୁ ହିମଖଣ୍ଡ ସମ୍ପର୍କରେ ସୂଚନା ମିଳିପାରୁଛି ।
ଆଉ ଏକ ଆଶ୍ଚର୍ଯ୍ୟକର ତଥ୍ୟ ମଧ୍ୟ ରହିଛି । କାରଣ ଟାଇଟାନିକ କେବଳ ଗୋଟିଏ ବିଶାଳ ଜାହାଜ ନଥିଲା । ଏହା ସହ ଆହୁରି ଦୁଇଟି ବିଶାଳ ଜାହାଜ ନିର୍ମାଣ କରିବାକୁ ଅର୍ଡର ଦେଇଥିଲା ଟାଇଟାନିକର ପରିଚାଳନା କମ୍ପାନୀ ହ୍ୱାଇଟ୍ ଷ୍ଟାର ଲାଇନ୍ । ୧୯୦୮ରୁ ୧୯୧୫ ମଧ୍ୟରେ ନିର୍ମିତ ଏହି ଜାହାଜଗୁଡ଼ିକୁ ଅଲିମ୍ପିକ୍ କ୍ଲାସର ଜାହାଜ ବୋଲି କୁହାଯାଏ ।
ପ୍ରଥମେ ଦୁଇଟି ଜାହାଜ ଟାଇଟାନିକ୍ ଏବଂ ପରେ ଅଲିମ୍ପିକ୍ ପ୍ରସ୍ତୁତ ହୋଇଥିଲା । ଆଉ ତାପରେ ତିଆରି ହୋଇଥିଲା ବ୍ରିଟାନିକ୍ । ଟାଇଟାନିକ୍ ଭଳି ଅଲିମ୍ପିକ୍ ଏବଂ ବ୍ରିଟାନିକ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । କିନ୍ତୁ ୧୯୧୨ ମସିହାରେ ଟାଇଟାନିକ୍ ଦୁର୍ଘଟଣା ଇତିହାସର ସବୁଠୁ ବଡ଼ ଏବଂ ଭୟଙ୍କର ଜାହାଜ ଦୁର୍ଘଟଣା ବୋଲି ଚର୍ଚ୍ଚା ହୁଏ ।