• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହାକୁ ନେଇ ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର କୁଟନୈତିକ ସଂପର୍କ ଛିନ୍ନ କରିଥିଲା । ତେବେ ପାକିସ୍ତାନରେ ରାଜନୈତିକ ସଂକଟ ସହ ଆର୍ଥିକ ସଂକଟ ଉତ୍କଟ ହୋଇଥିବା ବେଳେ ଖାଦ୍ୟପେୟର ଘୋର ଅଭାବ ସୃଷ୍ଟି ହୋଇଛି । ଏଣେ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚାଲୁନଥିବାରୁ ସ୍ଥିତି ଉତ୍କଟ ହୋଇଛି । ଅଟା, ଚିନି ଓ ପନିପରିବା ସମେତ ପେଟ୍ରୋଲିୟମ ଜାତ ଦ୍ରବ୍ୟର ଦର ଆକାଶଛୁଆଁ ହୋଇଥିବା ବେଳେ, ପାକିସ୍ତାନ ଜନକତା ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ସ୍ଥିତିରେ ହୁଏତ ପାକିସ୍ତାନ ବୁଝି ସାରିଛି ଯେ, ଭାରତ ବିନା ଗତି ନାହିଁ ଯାହାର ସଂକେତ ଦେଇଛନ୍ତି ଦେଶର ଜଣେ ମନ୍ତ୍ରୀ ।

ପାକିସ୍ତାନର ପ୍ରତିନିଧି ହିସାବରେ ମୁଁ ଭାରତ ସରକାରଙ୍କ ସହ କଥା ହେଉନି, ଭାରତୀୟଙ୍କ ସହ ବି କଥା ହେଉନି । ହେଲେ ଏହା ଦ୍ୱାରା ପାକିସ୍ତାନର ଉଦ୍ଦେଶ୍ୟ ସାଧିତ ହେବ କି? ନୂଆଦିଲ୍ଲୀ ସହ କୂଟନୈତିକ ସଂପର୍କ ଆରମ୍ଭ କରାଯିବା ସପକ୍ଷରେ ଯୁକ୍ତି ରଖି ଏପରି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ । ଭାରତ ସହ ସଂପର୍କ ବିଚ୍ଛିନ୍ନ ହେବା ସହିତ ପୂରା ବିଶ୍ୱ ସହ ମଧ୍ୟ ପାକିସ୍ତାନର ସଂପର୍କ ବିଚ୍ଛିନ୍ନ ହୋଇଯାଇଛି । ଅର୍ଥାତ୍ ପୂରା ବିଶ୍ୱରେ ପାକିସ୍ତାନ ଏକଘରିକିଆ ହୋଇଯାଇଥିବା କହିଛନ୍ତି ବିଲାଓ୍ୱଲ । ଏଥିପାଇଁ ସେ ପୂର୍ବତନ ଇମ୍ରାନ ଖାନ୍ ସରକାରକୁ ସଂପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି ।

ଭାରତ ସହ ସଂପର୍କ ପ୍ରତିଷ୍ଠା ନହେଲେ, ପାକିସ୍ତାନର ହିତ ସାଧନ ହେବନି । ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ବିଲାଓ୍ୱଲ କହିଛନ୍ତି ଯେ, ଭାରତ ସହ ଆମର ଅନେକ ବିବାଦ ରହିଛି । ଆମେ ଅନେକ ଥର ଯୁଦ୍ଧ ଲଢିଛୁ । ୨୦୧୯ରେ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଏକ ଗୁରୁତର ପ୍ରସଙ୍ଗ । ଜମ୍ମୁ ଓ କାଶ୍ମୀରରେ ବିଧାନସଭା ଆସନ ସୀମା ପୁନଃ ନିର୍ଦ୍ଧାରଣ ସମେତ ଇସଲାମ୍ ବିରୋଧୀ ମନ୍ତବ୍ୟ ସ୍ଥିତିକୁ ଆହୁରି ଜଟିଳ କରିଛି । ଏସବୁ ସତ୍ତ୍ୱେ ବି, ଭାରତ ସହ ଆଲୋଚନା ଆରମ୍ଭ କରାଯିବା ଦରକାର ।

କାଶ୍ମୀର ହେଉ କି ଇସଲାମ୍ ବିରୋଧୀ ମନ୍ତବ୍ୟ, ଅବା ହିନ୍ଦୁତ୍ୱର ପ୍ରଚାର । ଭାରତ ସହ ସଂପର୍କ ନରଖିବା ପାକିସ୍ତାନର ହିତରେ କି ବୋଲି ଦେଶର ବୁଦ୍ଧିଜୀବୀଙ୍କୁ ପ୍ରଶ୍ନ କରିଛନ୍ତି ବିଲାଓ୍ୱଲ । ପାକିସ୍ତାନ ଦୋଛକିରେ ଛିଡ଼ା ହୋଇଛି, ଯେଉଁ ଆଡ଼କୁ ଚାହିଁଲେ କେବଳ ସମସ୍ୟା ଦେଖାଯାଉଛି । ବର୍ତ୍ତମାନର ସ୍ଥିତି ଦୃଷ୍ଟିରୁ ଭାରତ ସହ ବାଣିଜ୍ୟ ସଂପର୍କ ସ୍ଥାପନ କରାଯିବାକୁ ଅନେକ ପସନ୍ଦ କରିବେ ନାହିଁ । ଭାରତର ନୀତି ଆମର ସିଦ୍ଧାନ୍ତକୁ କୁଠାରଘାତ କରୁଥିବାରୁ ଏହା କରାଯିବା ଉଚିତ୍ ନୁହେଁ ବୋଲି ଅନେକ ମତ ଦେଉଥିବା କହିଛନ୍ତି ବିଲାଓ୍ୱଲ ।

ପୂର୍ବରୁ ମଧ୍ୟ ଭାରତ ସହ ମୂଲ୍ୟଭିତ୍ତିକ କଥାବାର୍ତ୍ତା ସଂପର୍କରେ ମତ ଦେଇଥିଲେ ବିଲାଓ୍ୱଲ । ଅନ୍ୟପକ୍ଷରେ ପାକିସ୍ତାନ ସହ ଉତ୍ତମ ପଡୋଶୀ ସଂପର୍କ ରଖିବାକୁ ଚାହେଁ ବୋଲି ଭାରତ ବହୁବାର କହିଛି । ତେବେ ଆତଙ୍କବାଦ ଓ ବାଣିଜ୍ୟ ଏକା ସାଙ୍ଗରେ ଚାଲି ପାରିବ ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଦେଇଛି ।