GBS ରୋଗରେ କୋଲକାତାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଉତ୍ତର ୨୪- ପ୍ରଗଣାର ଜଣେ ୧୦ ବର୍ଷର ବାଳକର କୋଲକାତାର ଡକ୍ଟର ବିସି ରୟ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ ସାଇନସେସରେ ମୃତ୍ୟୁ ଘଟିଛି । ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିଲା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ । ସେ ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ଦିନ ହୁଗଲିର ଦକ୍ଷିଣକାଳୀ ଅଞ୍ଚଳରେ ଜଣେ ରୋଗୀ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ଲକ୍ଷଣ ଦେଖି ସେ ତାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯିବାକୁ ପରାମର୍ଶ ଦେଇଥିଲେ । ଏହି ୪୮ ବର୍ଷୀୟ ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସେ ଗତ ୪ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ଓ ତାଙ୍କ ଗୋଡ ପାରାଲିସିସ ହୋଇଯାଇଥିଲା ।
ପୁଣେରେ ଏହି ରୋଗ ବ୍ୟାପିଥିଲା ବେଳେ କୋଲକାତାରେ ବି ଏହି ରୋଗର ଲକ୍ଷଣ ଥିବା ରୋଗୀଙ୍କର ମୃତ୍ୟୁ ପ୍ରଶାସନର ଚିନ୍ତା ବଢାଇଛି । ମହାରାଷ୍ଟ୍ରର ଜଣେ ମନ୍ତ୍ରୀ କହିଥିଲେ, ପୁଣେରେ ଦୂଷିତ ଜଳ ଏହି ରୋଗର ବାହକ ହୋଇଛି ।
ପୁଣେର ଜଣେ ୪୧ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କର ସୋଲାପୁରରେ ଏହି ନୂଆ ରୋଗରେ ଗତ ମଙ୍ଗଳବାର ଦିନ ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଏହା ଥିଲା ଭାରତରେ ଏହି ନୂଆ GBS ( ଗୁଇଲାନ ବାର୍ ସିଣ୍ଡ୍ରୋମ) ରୋଗରେ ପ୍ରଥମ ମୃତ୍ୟୁ । ଗତ ମଙ୍ଗଳବାର ଦିନ ପୁଣେର ସାସୁନ୍ ଜେନେରାଲ୍ ହସ୍ପିଟାଲରେ ଜଣେ ୫୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ : ଗୁଇଲାନ ବାର ସିଣ୍ଡ୍ରୋମ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର, ଏହି ସବୁ ଖାଦ୍ୟ ଖାଇବାକୁ ମନା କଲେ ଡାକ୍ତର
ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS) ଏକ ବିରଳ ସ୍ନାୟୁଗତ ରୋଗ । ଯାହା ଶରୀରର ସ୍ନାୟୁଗୁଡ଼ିକୁ ଆକ୍ରମଣ କରିଥାଏ । ଫଳରେ ଦୁର୍ବଳ ଅନୁଭବ ହୋଇଥାଏ । ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ବେଳେବେଳେ ପକ୍ଷାଘାତ ଭଳି ଭୟଙ୍କର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଜି.ବି.ଏସ. ଏକ ବିରଳ ରୋଗ ହୋଇଥିବା ବେଳେ ଏହା ବ୍ୟାପିବାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ରୋଗ ହେବାର ପ୍ରାୟ ୬ ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଇଥାଏ ।
ଏହି ରୋଗହେଲେ ପ୍ରଥମେ ପାଦ ଭିତରେ ଦୁର୍ବଳତା ଅନୁଭବ ହୁଏ । ଏହାପରେ ଶରୀରର ବିଭିନ୍ନ ଅଙ୍ଗକୁ ଏହି ଦୁର୍ବଳତା ବ୍ୟାପିଥାଏ । ଏଥିରେ ପିଡ଼ୀତ ଥିବା ବ୍ୟକ୍ତି ସିଡ଼ି ଚଢ଼ିବା ଏବଂ ଚାଲିବା ସମୟରେ କଷ୍ଟ ଅନୁଭବ କରିଥାଏ । GBS ଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଯାଇଥାଏ । ଏହା ଦ୍ୱାରା ଦୃଷ୍ଟିଶକ୍ତି କମିଯିବା ସହ ଖାଦ୍ୟ ଖାଇବା ସମୟରେ ସମସ୍ୟା ହୋଇଥାଏ । ଏପର୍ଯ୍ୟନ୍ତ GBS ରୁ ମୁକ୍ତି ପାଇବା ପାଇଁ କୌଣସି ଚିକତ୍ସା ପଦ୍ଧତି ଆବିଷ୍କାର ହୋଇପାରିନାହିଁ । କିଛି ଥେରାପି ଦ୍ୱାରା ଏହାଦ୍ୱାରା ହେଉଥିବା ଯନ୍ତ୍ରଣାକୁ କିଛି ମାତ୍ରାରେ କମ କରିବାକୁ ସକ୍ଷମ ହୋଇଥାଏ ।