/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738224217.jpg)
କାହିଁକି ବଢ଼ୁଛି ଓପନ ମ୍ୟାରେଜ ଟ୍ରେଣ୍ଡ
ଭାରତୀୟ ପରମ୍ପରାରେ ବିବାହ ଏକ ପବିତ୍ର ବନ୍ଧନ। ଆଶା ଓ ବିଶ୍ୱାସର ଏ ସମ୍ପର୍କ ସମାଜ ଓ ପରିବାର ଲୋକଙ୍କ ସ୍ୱୀକୃତିରେ ସାତ ଜନ୍ମ ପାଇଁ ଗଢ଼ିଉଠେ । ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ । ଦାମ୍ପତ୍ୟ ଜୀବନ ସୁଖମୟ ରଖିବା ଓ ନିଜ ସମ୍ପର୍କ ଅତୁଟ ରଖିବା ଲାଗି ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ବିଶ୍ୱାସ ରହିବା ଦରକାର । ପ୍ରେମ, ସ୍ନେହ ଓ ଉତ୍ତମ ବୁଝାମଣାରେ ମଜଭୁତ ହୋଇଥାଏ ଏ ବନ୍ଧନ । ସାମାଜିକ ରୀତି ଓ ନୀତି ହିସାବରେ ବିବାହ ମାଧ୍ୟମରେ କୁଳରକ୍ଷା ଯୋଗୁଁ ଗୋଟିଏ ନୂଆ ପରିବାର ଜନ୍ମ ନେଇଥାଏ । ଗୁରୁଜନଙ୍କ ଆଶୀର୍ବାଦରେ ନୂଆ ପିଢ଼ିର ମୂଳଦୁଆ ପଡ଼େ ।
ଅନ୍ୟ ସମାଜରେ ବିଶେଷକରି ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ବିବାହକୁ ଏକ ଚୁକ୍ତି ଆକାରରେ ଦେଖାଯାଇଥାଏ। ସେଥିପାଇଁ ଅନେକ ଦେଶରେ ବିବାହ ପୂର୍ବରୁ ଚୁକ୍ତି କରାଯାଇଥାଏ। ଏହାକୁ ଆଧୁନିକ ସମାଜର ଏକ ଫ୍ୟାସନ କୁହାଯାଉଛି, ଆଉ ଏପରି ଚୁକ୍ତିକୁ ସମସ୍ତେ ଗ୍ରହଣ ମଧ୍ୟ କରି ନେଉଛନ୍ତି । ହେଲେ ଭାରତରେ ସେପରି କୌଣସି ପ୍ରଥା ନାହିଁ । ତଥାପି ପରିବର୍ତ୍ତିତ ସମାଜରେ ସମୟ ବଦଳିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ବିବାହର ଢଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି ।
ଯୁଗ ସହ ତାଳ ଦେଇ ଭଲ ପାଇବାର ଢଙ୍ଗ ଓ ସମ୍ପର୍କକୁ ତୋଳି ଧରିବାର ସ୍ଥିତି ଗୁଡ଼ିକ ବଦଳୁଛି । କିଛି ଲୋକ ଜୀବନସାରା ଜଣେ ଜୀବନସାଥୀ ସହ ସୁଖଦୁଃଖରେ ଜୀବନ କଟାଇବାକୁ ଚାହୁଁଥିବା ବେଳେ କିଛି ଲୋକ ସେମାନଙ୍କ ଜୀବନରେ ଏକରୁ ଅଧିକ ରୋମାଣ୍ଟିକ୍ ସମ୍ପର୍କ ପସନ୍ଦ କରୁଛନ୍ତି । ଏହାକୁ କୁହାଯାଉଛି ଓପନ ମ୍ୟାରେଜ । ଏପରି ଏକ ବିବାହ ଯେଉଁଥିରେ ଲୋକମାନେ ନିଜ ସାଥୀଙ୍କ ସହମତିରେ ନିଜ ବିବାହ ବାହାରେ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବେ । ବିବାହ ପରେ ରୋମାଣ୍ଟିକ ଆଫେୟର ରଖିପାରିବେ, ହେଲେ ତାହାକୁ ଧୋକା ବୋଲି କୁହାଯିବ ନାହିଁ ।
ଏହିପରି ବିବାହରେ ସ୍ୱାମୀ, ସ୍ତ୍ରୀ ଥାଉ ଥାଉ ନିଜର ପ୍ରେମିକା ବନାଇ ପାରିବ । ସେହିପରି ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ଜାଣତରେ ପ୍ରେମିକ ସହ ରାତି ବିତାଇପାରିବେ ଓ ସମୟ କାଟିପାରିବେ । ଏବେ ଏପରି ସମ୍ପର୍କ ଉଭୟଙ୍କ ସହମତିରେ ଗଢ଼ିଉଠୁଛି । ଭାରତରେ ଆଜିକାଲି ଅନେକ ଦମ୍ପତିଙ୍କ ପସନ୍ଦ ପାଲଟିଛି ଓପନ ମ୍ୟାରେଜ । ଜଣେ ଜୀବନସାଥୀ ନୁହେଁ, ଜୀବନକୁ ଉପଭୋଗ କରିବା ପାଇଁ ନୂଆ ସାଥୀ ଖୋଜୁଛନ୍ତି ଲୋକେ ।
ଓପନ ମ୍ୟାରେଜ ଓ ବହୁବିବାହ ମଧ୍ୟରେ ପ୍ରଭେଦ କ’ଣ ?
ଓପନ ମ୍ୟାରେଜ ଏପରି ଏକ ସମ୍ପର୍କ, ଯେଉଁଥିରେ ଏକରୁ ଅଧିକ ସାଥୀ ସାମିଲ ଥାଆନ୍ତି । ଓପନ ମ୍ୟାରେଜ ବହୁବିବାହ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବହୁବିବାହରେ ଅନେକଙ୍କ ସହ ରୋମାଣ୍ଟିକ ସମ୍ପର୍କ ବନାଇ ହେବ । ଏହି ପ୍ରକାର ସମ୍ପର୍କରେ, ପ୍ରେମ କିମ୍ବା ଭାବପ୍ରବଣତାକୁ ଅଧିକ ଗୁରୁତ୍ୱ ଦିଆଯାଏ ଏବଂ ଶାରୀରିକ ସମ୍ପର୍କ ପରେ ଆସେ । ହେଲେ ଓପନ ମ୍ୟାରେଜରେ ସାଧାରଣତଃ କୌଣସି ବ୍ୟକ୍ତି ବିବାହ ବାହାରେ ଅନ୍ୟ ବ୍ୟକ୍ତିଙ୍କ ସହ ଭାବପ୍ରବଣତା ସହ କିମ୍ବା ଭାବପ୍ରବଣତା ବିନା ଶାରିରୀକ ସମ୍ପର୍କ ରଖିପାରିବେ ।
ସମସ୍ତଙ୍କ ପାଇଁ କି ଓପନ ମ୍ୟାରେଜ ?
ସାଧାରଣ ବିବାହ ପରି ଓପନ ମ୍ୟାରେଜ ମଧ୍ୟ ସୁସ୍ଥ ହୋଇପାରେ, କିନ୍ତୁ ଏହାର ନିଜର ସୁବିଧା ଏବଂ ଅସୁବିଧା ଅଛି । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅଲଗା ଅଟେ । ଏପରି ସମ୍ପର୍କରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଓପନ ମ୍ୟାରେଜ ବିଷୟରେ ସବୁକିଛି ଜାଣିବା ଆବଶ୍ୟକ । ଏହାର ସୁବିଧା ଏବଂ ଅସୁବିଧାକୁ ଅତି ନିକଟରୁ ପରଖିବା ଜରୁରୀ, ଯେହେତୁ ଏପରି ବିବାହକୁ ସମାଜର ପାରମ୍ପରିକ ନିୟମ ବିରୋଧୀ ବିବେଚନା କରାଯାଏ । ଏହି ପ୍ରକାର ସମ୍ପର୍କ ପାଇଁ ନିଜର ସାମର୍ଥ୍ୟ ବୁଝିବା ପାଇଁ ବିଶେଷଜ୍ଞଙ୍କ ଠାରୁ ସାହାଯ୍ୟ ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ ।
ସାଥୀ ପ୍ରତି ବିଦ୍ୱେଷ ଭାବ ଉତ୍ପର୍ଣ୍ଣ ହେବ
ଓପନ ମ୍ୟାରେଜରେ ବିନା କୌଣସି ପ୍ରତିବନ୍ଧକରେ ଇଚ୍ଛା ପୂରଣ ହୋଇପାରିବ । ହେଲେ ବେଳେ ବେଳେ ସାଥୀ ପ୍ରତି ବିଦ୍ୱେଷ ଭାବ ଉତ୍ପର୍ଣ୍ଣ ହୋଇଥାଏ । ସମସ୍ତଙ୍କ ପାଇଁ ସହଜ ନୁହେଁ ଓପନ ମ୍ୟାରେଜ ।
ଭାରତରେ ଚଳେ କି ଓପନ ମ୍ୟାରେଜ ?
ବିଶେଷ କରି ସହର ଗୁଡ଼ିକରେ ଓପନ ମ୍ୟାରେଜକୁ ପସନ୍ଦ କରୁଥିବା ଭାରତୀୟଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ । କିନ୍ତୁ ଏହାକୁ ସାର୍ବଜନୀନ କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ପ୍ରାୟ ୩୦ ଲକ୍ଷ ଭାରତୀୟ ବର୍ତ୍ତମାନ ଗ୍ଲେଡେନ୍ ଆପରେ ସକ୍ରିୟ ଅଛନ୍ତି। ଫ୍ରାନ୍ସର ଏହା ଏକ ଏକ୍ସଟ୍ରା ମ୍ୟାରିଟାଲ ଆପ, ଯେଉଁଠି ବିବାହିତ ଲୋକମାନେ ମିଛ ନକହି ନୂଆ ସାଥୀ ଖୋଜିବା ପାଇଁ ଚେଷ୍ଟା କରିପାରିବେ । ଏଥି ସହିତ ୨୦୨୩ ମସିହାରେ କରାଯାଇଥିବା ଏକ ବମ୍ବେ ସର୍ଭେ ଅନୁଯାୟୀ ପ୍ରାୟ ୬୦% ଅବିବାହିତ ଭାରତୀୟ କହିଛନ୍ତି,ଭବିଷ୍ୟତରେ ଖୋଲା ବିବାହ କିମ୍ବା ବହୁବିବାହ ଭଳି ସମ୍ପର୍କ ସେମାନଙ୍କ ପସନ୍ଦ ହୋଇପାରେ।
ଲୋକଙ୍କ ମତ କ’ଣ ?
କିଛି ଲୋକଙ୍କ ମତରେ ଓପନ ମ୍ୟାରେଜ ସ୍ୱତନ୍ତ୍ରତା ପ୍ରଦାନ କରେ । ଅନ୍ୟପଟେ କିଛି ଲୋକ କହନ୍ତି, ଏହା ଏକ ସଚ୍ଚୋଟ ସମ୍ପର୍କର ପ୍ରତୀକ । ସାଥୀ ଆପଣଙ୍କୁ ମିଛ କହୁନି କି ଧୋକା ଦେଉନି ବୋଲି ଜଣାପଡ଼ିଯାଏ । କାରଣ ସାଧାରଣ ବିବାହରେ ଧୋକାଦାରୀ ପାଇଁ ବିବାହ ବିଚ୍ଛେଦ ପରି ସମସ୍ୟା ଉପୁଜିଥାଏ । ଏମିତିକି ଗୋଟିଏ ଛାତ ତଳେ ଦମ୍ପତିମାନେ ରହି ମଧ୍ୟ ମାନସିକ ସ୍ତରରେ ଏକାକୀ ଜୀବନଯାପନ କରୁଛନ୍ତି, ଯାହାକି ବଡ଼ କଷ୍ଟ ଏବଂ ଯନ୍ତ୍ରଣାଦାୟକ। ଅନେକ ସମୟରେ ଉକ୍ତ ବିଶୃଙ୍ଖଳିତ ପରିସ୍ଥିତିକୁ ନେଇ ଦମ୍ପତି ମାନଙ୍କ ମଧ୍ୟରେ ସନ୍ଦେହ, ଝଗଡ଼ା, ପାଟିତୁଣ୍ଡ, ବିବାହ ବିଚ୍ଛେଦ, ଏପରିକି ସ୍ବାମୀ ସ୍ତ୍ରୀକୁ ହତ୍ୟା କରିବା, ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିବା ଏବଂ ଉଭୟ ଆତ୍ମହତ୍ୟା କରିବାର ଅନେକ ଘଟଣା ଶୁଣିବାକୁ ମିଳେ ।
କ’ଣ କୁହନ୍ତି ବିଶେଷଜ୍ଞ
ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଏପରି ବିବାହରେ ଝଡ଼ ସୃଷ୍ଟି ହେବାର ଅନେକ ସମ୍ଭାବନା ରହିଛି । ଓପନ ମ୍ୟାରେଜରେ ସ୍ନେହ, ପ୍ରେମର କୌଣସି ମାନେ ନାହିଁ, କୌଣସି ମୁହୂର୍ତ୍ତରେ ବି ବିବାହ ଭାଙ୍ଗି ଯାଇପାରେ । ଏହାବାଦ ଏହି ବିବାହରେ ଯୌନ ସଂକ୍ରମଣର ବିପଦ ବି ରହିଛି । ଅନ୍ୟପଟେ ସମାଜ ଓପନ ମ୍ୟାରେଜକୁ ଗ୍ରହଣ କରେ ନାହିଁ । ଯାହାଫଳରେ ସମ୍ପର୍କ ସରସ ଓ ସୁନ୍ଦର ହେବା ଜାଗାରେ କଳଙ୍କିତ ହୋଇପାରେ ।
ସ୍ୱାମୀ-ସ୍ତ୍ରୀଙ୍କ ମାନସିକତା ଉପରେ ଏହା ନିର୍ଭର କରେ
ଏଭଳି ବିବାହ ଉଭୟ ସ୍ୱାମୀସ୍ତ୍ରୀଙ୍କ ମାନସିକତା ଉପରେ ନିର୍ଭର କରେ । କାରଣ ଉଭୟଙ୍କ ସହମତି କ୍ରମେ ଏଭଳି ସମ୍ପର୍କ ଗଢ଼ି ଉଠିଥାଏ । ତେଣୁ ଏହା ସମ୍ପର୍କକୁ କେବେ ସଶକ୍ତ କରେ ତ ପୁଣି କେବେ ଦୁର୍ବଳ କରେ । ଓପନ ମ୍ୟାରେଜ କରିବା ପୂର୍ବରୁ ନିଜ ସାଥିର ଭାବନାକୁ ବୁଝିବାକୁ ଚେଷ୍ଟା କରିବା ଜରୁରୀ । ଦୁଇ ଜଣ ଏଭଳି ମାନସିକତାକୁ ଗ୍ରହଣ କରିବା ସହ ସମ୍ଭାଳି ପାରିବାର କ୍ଷମତା ବହନ କରିବା ଆବଶ୍ୟକ । ନହେଲେ ଏପରି ବିବାହ ଅଧିକ ଦିନ ତିଷ୍ଠି ପାରିବ ନାହିଁ । ଆଉ ନୂଆ ସାଥୀ ଅନ୍ୱେଷଣରେ ସମ୍ପର୍କ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇପାରେ । ସମାଜର ଆକ୍ଷେପ ଶୁଣିବା ପାଇଁ ସାହସ ଥିଲେ ହିଁ ଓପନ ମ୍ୟାରେଜ ପରି ନିଷ୍ପତ୍ତି ନିଅନ୍ତୁ । କାରଣ ଭାରତରେ ବିବାହକୁ ସାତ ଜନ୍ମର ସମ୍ପର୍କ କୁହାଯାଏ । ଥରେ ବିବାହ କଲେ ଜୀବନସାରା ଏ ପବିତ୍ର ବନ୍ଧନକୁ ଆପଣାଇବାକୁ ପଡ଼େ । ଆମ ଦେଶରେ ବିବାହ କୌଣସି ଟ୍ରେଣ୍ଡ ଦ୍ୱାରା ପରିଚାଳିତ ନୁହେଁ, ଦୁଇ ଜଣ ଅଜଣା ମଣିଷ ବିଶ୍ୱାସର ଅତୁଟ ବନ୍ଧନରେ ଏ ସମ୍ପର୍କକୁ ଆପଣାଇ ନିଅନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)