• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚରମସୀମାରେ ୟୁକ୍ରେନ ଟେନସନ୍ । ରୁଷ ହମଲା କରିବ, ନା ନିଜ ଦାବି ଅନୁଯାୟୀ ସୈନ୍ୟ ଅପସାରଣ କରିବ? ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । କାରଣ ୟୁକ୍ରେନ ସୀମାରେ ପ୍ରସ୍ତୁତ ହୋଇ ରହିଛନ୍ତି ରୁଷର ଯୁଦ୍ଧ ବିମାନ ଓ ହେଲିକପ୍ଟର । ୧ ଲକ୍ଷରୁ ଅଧିକ ସୈନ୍ୟ ଠୁଳ କରିଛି ରୁଷିଆ । ତେବେ ଯଦି ୟୁକ୍ରେନ ଉପରେ ହମଲା ହୁଏ, ତେବେ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇବାକୁ ଚେତାବନୀ ଦେଇଛନ୍ତି ପାଶ୍ଚାତ୍ୟ ଦେଶ ସମୂହ । ଏହାସହ ସୃଷ୍ଟି ହୋଇଥିବା ସ୍ଥିତିକୁ ହ୍ରାସ କରିବାକୁ ଉଭୟ ଦେଶକୁ ଆହ୍ୱାନ କରିଛନ୍ତି । ଏଭଳି ସ୍ଥିତିର ୟୁକ୍ରେନରୁ ଭାରତୀୟ ସ୍ୱଦେଶ ଫେରିବାକୁ ସୂଚନା ଜାରି କରିଛି ଭାରତୀୟ ଦୂତାବାସ ।

ଆଜି ରୁଷ ହମଲା କରିବା ନେଇ ଆସିଥିଲା ରିପୋର୍ଟ । ଅନେକ ବିଦେଶ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି । କାରଣ ୟୁକ୍ରେନ ସୀମାରେ ଗତ ୨ ଦିନ ଭିତରେ ରୁଷ ବହୁଗୁଣ ଅଧିକ ସୈନ୍ୟ ମୁତୟନ କରିଥିବା ଏବଂ ସାମରିକ ଗତିବିଧି ବୃଦ୍ଧି ପାଇଥିବା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହେଉଛି । ୟୁକ୍ରେନ ସୀମାରୁ ଅଳ୍ପ ଦୂରରେ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ସହିତ ପ୍ରସ୍ତୁତ ହୋଇ ରହିଛି ବୋମାବର୍ଷଣକାରୀ ହେଲିକକ୍ଟର ଓ ଯବାନ । ୟୁକ୍ରେନ ସୀମାନ୍ତ ବେଲାରୁଷ, କ୍ରିମିଆ ଓ ପଶ୍ଚିମ ଋଷିଆ ଆଡ଼ୁ ୟୁକ୍ରେନକୁ ସେମାନେ ଘେରି ରହିଛନ୍ତି ।

ପୂର୍ବ ସାଟେଲାଇଟ ଚିତ୍ରରେ ଫାଇଟର ଜେଟ୍ ଏଣେତେଣେ ବିଛେଇ ହୋଇ ରଖାଯାଇଥିବାବେଳେ, ଏବେ ତାହା ଗୋଟିଏ ଧାଡ଼ିରେ ଓ୍ୱାର୍ ମୋଡରେ ଥିବା ଦେଖିବାକୁ ମିଳିଛି । ୟୁକ୍ରେନର ଉତ୍ତର ଓ ଉତ୍ତରପୂର୍ବାଞ୍ଚଳରେ ଏହି ସବୁ ଗତିବିଧି ଦେଖିବାକୁ ମିଳିଛି । ଆଉ ସେପଟେ ରୁଷ ଆଜି ଅର୍ଥାତ୍ ଫେବୃଆରୀ ୧୬ରେ ଆକ୍ରମଣ କରିପାରେ ବୋଲି ସୋସିଆଲ୍ ମିଡିଆ ପୋଷ୍ଟରେ ଆଶଙ୍କା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି । ଫେବ୍ରୁଆରି ୧୬କୁ ୟୁକ୍ରେନବାସୀଙ୍କୁ ଏକତା ଦିବସ ଭାବେ ପାଳନ କରି ସବୁ ବାହ୍ୟ ଶକ୍ତିର ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି । ସେପଟେ ରୁଷ୍ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜରିଆରେ ଦାବି କରିଛି ଯେ, ସୈନ୍ୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନାହାନ୍ତି, ବରଂ ବେସ୍କୁ ଫେରୁଛନ୍ତି ।

ବିଶ୍ୱର ଅନେକ ରାଷ୍ଟ୍ର ୟୁକ୍ରେନରେ ଥିବା ସେମାନଙ୍କର ଦୂତାବାସରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି । ସେମାନଙ୍କ ଦେଶର ନାଗରିକଙ୍କୁ ମଧ୍ୟ ୟୁକ୍ରେନ ଛାଡି ସ୍ୱଦେଶ ଫେରି ଆସିବାକୁ କହିଛନ୍ତି । ଆମେରିକା, ଜର୍ମାନୀ, ଇଟାଲୀ, ବ୍ରିଟେନ, ଆୟର୍ଲାଣ୍ଡ, ବେଲଜିୟମ ଓ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ ଏହି ଧାରାରେ ସାମିଲ ହୋଇଛି । ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ସାମିୟକ ଭାବେ ସେଠାରୁ ସ୍ୱଦେଶ ଫେରି ଆସିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି ।

ୟୁକ୍ରେନ ଓ ରୁଷ ମଧ୍ୟରେ ଦେଖାଦେଇଥିବା ସ୍ଥିତିକୁ ନେଇ ଏହି ପରାମର୍ଶ ଦେଇଛି । ୟୁକ୍ରେନ୍ ରାଜଧାନୀରେ ଥିବା ଭାରତୀୟ ଦୂତାବାସ ବର୍ତ୍ତମାନ ସମୟରେ କେହି ୟୁକ୍ରେନ ଗସ୍ତ ନକରିବାକୁ ମଧ୍ୟ ପରାମର୍ଶ ଦେଇଛି । କୌଣସି ଜରୁରୀ କାର୍ଯ୍ୟ ନଥିଲେ ମୁଖ୍ୟତଃ ସେଠାରେ ରହୁଥିବା ଭାରତୀୟ ଛାତ୍ରମାନେ ୟୁକ୍ରେନ ଛାଡି ଚାଲିଯିବାକୁ ଭାରତୀୟ ଦୂତାବାସ ସୂଚନା ଜାରି କରିଛି । ୟୁକ୍ରେନରେ ରହୁଥିବା ସମସ୍ତ ଭାରତୀୟ ନାଗରିକ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ ରଖିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳରେ ସେମାନଙ୍କୁ ଉଦ୍ଧାର କରି ଭାରତକୁ ପଠାଇବାକୁ ବନ୍ଦୋବସ୍ତ କରିବ ଭାରତୀୟ ଦୂତାବାସ ।

ରୁଷ ଓ ୟୁକ୍ରେନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବାରେ ବିଫଳ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଟେଲିଫୋନ ଆଲୋଚନା ବିଫଳ ହୋଇଛି । ରୁଷ ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଏହାର ପରିଣାମ ଗମ୍ଭୀର ହେବ ବୋଲି ପୁତିନକୁ ଚେତାଇ ଦେଇଛନ୍ତି ବାଇଡେନ୍ । ଆମେରିକା ୟୁକ୍ରେନ୍ ପ୍ରସଙ୍ଗରେ ଭାରତ ସମେତ ନିଜ ମିତ୍ର ରାଷ୍ଟ୍ରଙ୍କ ସହ ଆଲୋଚନା ଜାରି ରଖିଥିବା କହିଛି । ପୁଟିନଙ୍କ ବିରୋଧରେ ଅନେକ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏକଜୁଟ୍ ହୋଇଛନ୍ତି । ରୁଷ ଉପରେ ଆର୍ଥିକ କଟକଣା ଲଗାଇବାକୁ ଚେତାବନୀ ଦେଇଛନ୍ତି ୟୁରୋପୀୟ ରାଷ୍ଟ୍ରସମୂହ । ତେବେ ଏହି ସମସ୍ତ ସତର୍କତା ସତ୍ୱେ କିଭ୍ ଉପରେ ହମଲାର କୌଣସି ଯୋଜନା ନାହିଁ ବାରମ୍ବାର କହିଆସୁଛି ମସ୍କୋ ।

ସେପଟେ ଜର୍ମାନୀ ଚାନସେଲର ଓଲାଫ ସ୍କଲାଜ୍ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହ ଆଲୋଚନ କରିଛନ୍ତି । ଗତକାଲି ସେ ମସ୍କୋରେ ରୁଷିଆ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି । ଏହା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନଙ୍କ ସହ ବ୍ରିଟେନର ଦୁଇ ମନ୍ତ୍ରୀ ଆଲୋଚନା କରି ଫେରିଛନ୍ତି । ୟୁକ୍ରେନ ଉପରେ ରୁଷ ସେନାବାହିନୀର କାର୍ଯ୍ୟାନୁଷ୍ଠାନ ନେଇ କୌଣସି ଯଥାର୍ଥତା ନାହିଁ । ବିବାଦର ସମାଧାନ ପାଇଁ ଆମେ ସମସ୍ତ ଆଲୋଚନା ପାଇଁ ରାଜି ବୋଲି କହିଛନ୍ତି । ଏହି ଅବସରରେ ୟୁକ୍ରେନ ପାଇଁ ୧୫୦ ନିୟୁତ ୟୁରୋର ଆର୍ଥିକ ସହାୟତା ଘୋଷଣା କରିଛି ବ୍ରିଟେନ୍ ।

ସେପଟେ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିଛି ନାଟୋ । ଗତ ରବିବାର ୟୁକ୍ରେନକୁ ଆଣ୍ଟି-ଏୟାରକ୍ରାଫ୍ଟ୍ ମିଶାଇଲ ଯୋଗାଇ ଦେଇଛି । ନାଟୋ ପ୍ରସଙ୍ଗକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ରୁଷିଆ ଓ ୟୁକ୍ରେନର ବୈଦେଶିକ ବ୍ୟାପାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ବିବାଦକୁ ଗୁରୁତର ଭାବେ ନେବା ସହ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଆହ୍ୱାନ କରିଛନ୍ତି ଗୁଟେରସ ।

ୟୁକ୍ରେନ ସମର୍ଥନରେ ରହିଛି ଆମେରିକା । ରୁଷ ସେନାକୁ ମୁକାବିଲା କରିବାକୁ ସମସ୍ତ ସାମରିକ ସହଯୋଗ ଯୋଗାଇ ଦେବ ବୋଲି କହିଛନ୍ତି ପେଣ୍ଟାଗନ ମୁଖପାତ୍ର ଜନ କିର୍ବି । ବୃଦ୍ଧି ପାଉଥିବା ସ୍ଥିତିକୁ ନେଇ ୟୁକ୍ରେନ ରାଜଧାନୀ କିଭରେ ଥିବା ଆମେରିକା ଦୂତାବାସର ପ୍ରତିନିଧିଙ୍କୁ ଲିଭିଭଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତିଅ ଆମେରିକା ବେଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ୍ । ଆର୍ଥିକ ବଜାରରେ ସ୍ଥିତାବସ୍ଥା ନେଇ ଶହେ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଛନ୍ତି ବ୍ଲିଙ୍କେନ୍ । ରୁଷିଆ ବିରୋଧରେ ଅର୍ଥନୈତିକ କଟକଣା ଜାରି କରିବାକୁ ଜି-ସେଭେନ୍ ରାଷ୍ଟ୍ରସମୂହ ମଧ୍ୟ ଚେତାବନୀ ଦେଇଛି ।