ଧୀରେ ଧୀରେ ବିଚିତ୍ର ରଣନୀତି ଆଡ଼କୁ ଗତି କରିବାରେ ଲାଗିଛି ଭାରତର ପଡ଼ୋଶୀ ରାଜ୍ୟ ବାଂଲାଦେଶ। ଦିନେ ଭାଷାକୁ ନେଇ ପାକିସ୍ତାନଠାରୁ ବିଭାଜନ ହୋଇଥିବା ବାଂଲା ଦେଶ ଏବେ ଧର୍ମକୁ ହିଁ ମୂଳମନ୍ତ୍ର କରିଛି। ଆନ୍ଦୋଳନ କରି ଯେଉଁ ପାକିସ୍ତାନଠାରୁ ଏହା ଅଲଗା ହୋଇଥିଲା, ଏବେ ଲାଗିଲାଣି ଏ ଦୁଇ ଦେଶ ବୋଧେ ପୁଣି ମିଶିଯିବେ।
ଶେଷ ଖବର ଅନୁଯାୟୀ, ନିଜ ସୈନ୍ୟମାନଙ୍କୁ ତାଲିମ୍ ଦେବାକୁ, ଖୁବଶୀଘ୍ର ପାକିସ୍ତାନ ସହିତ ଏକ ଦ୍ୱିପାଖିକ ଚୁକ୍ତି କରିବାକୁ ଯାଉଛି ବାଂଲାଦେଶ। ଏ ସଂପର୍କରେ ଦେଶର ମଧ୍ୟବର୍ତ୍ତୀ କାଳୀନ ୟୁନୁସ୍ ସରକାର ନିଷ୍ପତ୍ତି ନେଇସାରିଛି। ତେବେ ବାଂଲାଦେଶର ଏହି ପରିବର୍ତ୍ତିତ ବୈଦେଶିକ ନୀତି ଭାରତ ପାଇଁ ସତର୍କ ସୂଚନା ଆଣିଦେଇଛି।
Also Read
ଆସନ୍ତା ବର୍ଷ ଫେବ୍ରୁଆରି ମାସଠାରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ଐତିହାସିକ ସାମରିକ ଚୁକ୍ତି ଅନୁଯାୟୀ, ପାକିସ୍ତାନର ସେନା ଅଧିକାରୀମାନେ ବାଂଲାଦେଶର ୪ଟି କ୍ୟାଣ୍ଟନମେଣ୍ଟରେ ଟ୍ରେନିଂ ଆରମ୍ଭ କରିବେ। ବାଂଲାଦେଶ ସ୍ୱାଧୀନତା ଆନ୍ଦୋଳନରେ ପାକିସ୍ତାନୀ ସୈନ୍ୟମାନଙ୍କର ନିର୍ଯାତନାର କାହାଣୀ ଶୁଣିଲେ ଦେହ ଥରିଯାଏ। ୧୯୭୧ ବାଂଲାଦେଶ ମୁକ୍ତି ଆନ୍ଦୋଳନରେ ପାକିସ୍ତାନୀ ସେନାର ସଂହାରଲୀଳାରେ ୩୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା ଓ ଲକ୍ଷ ଲକ୍ଷ ବାଂଲାଦେଶୀ ଶରଣାର୍ଥୀ ଭାବେ ଭାରତ ପଳାଇ ଆସିଥିଲେ। କୌତୂହଳର ବିଷୟ ହେଉଛି, ଏବେ ସେହି ପାକ୍-ସେନା ହିଁ ବାଂଲାଦେଶରେ ତାଲିମ ଦେବ।
ବାଂଲାଦେଶର ଏହି ଭୟଙ୍କର କୁଟନୀତି ପଛରେ ଯେ ଚୀନ୍ ହିଁ ସାହସ ଓ ବୁଦ୍ଧି ଯୋଗାଉଛି ସେଥିରେ କୌଣସି ଦ୍ୱିରୁକ୍ତି ନାହିଁ। କିନ୍ତୁ ଭାରତ ଏହାକୁ ହାଲୁକାରେ ଗ୍ରହଣ କରିବା ଅନୁଚିତ। କାରଣ ଗତ ଜୁନ୍ ମାସରେ ବାଂଲାଦେଶରେ ହୋଇଥିବା ଶେଖ୍ ହାସିନା ବିରୋଧୀ ଜନଆନ୍ଦୋଳନ ପରେ ଏବେବି ସ୍ଥିର ହୋଇପାରିନି ଦେଶର ରାଜନୈତିକ ସ୍ଥିତି। ଧୀରେ ଧୀରେ ଏହାର ଅର୍ଥନୀତି ଦୁର୍ବଳ ହେଉଛି, ଦେଶର ଆର୍ଥିକ ଅବସ୍ଥା ସାଂଘାତିକ ସ୍ଥିତି ଆଡ଼କୁ ଗତି କରୁଛି। କିନ୍ତୁ ଏଭଳି ସମୟରେ ଏଠାକାର ମଧ୍ୟବର୍ତ୍ତୀ ସରକାର ସାମରିକ ସ୍ଥିତି ବିଷୟରେ ଅଧିକ ଚିନ୍ତିତ ହେବା ଆଶ୍ଚର୍ଯ୍ୟର କଥା ନିଶ୍ଚୟ।
ବାଂଲାଦେଶରେ ୧୯୭୧ ସେନା ନିର୍ଯାତନା ପାଇଁ ପାକିସ୍ତାନ କେବେବି ବିଧିବଦ୍ଧ ଭାବେ କ୍ଷମା ମାଗିନାହିଁ କିମ୍ବା ଦୁଃଖ ପ୍ରକାଶ ମଧ୍ୟ କରିନାହିଁ। ସେତେବେଳେ ପାକିସ୍ତାନଠାରୁ ଅଲଗା ହେବାକୁ ଯେଉଁ ବାଂଲାଦେଶ ଭାରତର ସାହାଯ୍ୟ ନେଇଥିଲା, ସେଇ ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଏବେ ସେ ନିଜେ ସାମିଲ୍। ପାକିସ୍ତାନ ସହ ସଂପର୍କ ବୃଦ୍ଧି ଏକ ସୁଚିନ୍ତିତ ଯୋଜନା ବୋଲି କୁଟନୀତି ବିଶେଷଜ୍ଞ କହୁଛନ୍ତି।
ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ପାଇଁ ପରାମର୍ଶଦାତା ଥିବା ୮୪ ବର୍ଷୀୟ ମହମ୍ମଦ ୟୁନୁସ ଜଣେ ଅର୍ଥନୀତିଜ୍ଞ ଭାବରେ ନୋବେଲ ପୁରସ୍କାର ପାଇଛନ୍ତି। ରାଜନୀତିରେ ତାଙ୍କର ସେତେ ଅଥିକ ଅଭିଜ୍ଞତା ନଥିଲେ ବି କୁଟନୀତି ଖେଳରେ ସେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯାହା ଭାରତ ସହ ଥିବା ଦୀର୍ଘବର୍ଷର ସଂପର୍କକୁ ଖରାପ ଆଡ଼କୁ ନେଇଯାଇଛି।
ଗତ କେତେ ଦଶନ୍ଧି ଧରି ବାଂଲାଦେଶର ବିକାଶରେ ଭାରତର ସହଯୋଗ ଉଲ୍ଲେଖନୀୟ ଥିଲା। ଆର୍ଥିକ ସହାୟତା ସହିତ ପ୍ରଦାନ ସହିତ ଦେଶର ଭିତ୍ତିଭୂମି ବିକାଶ ପାଇଁ ହାତ ବଢ଼ାଇଥିଲା ଭାରତ। ତା ସହିତ ଆତଙ୍କବାଦକୁ ଦମକ କରିବାରେ ଦୁଇଦେଶ ହାତ ମିଳାଇଥିଲେ। ସବୁବେଳେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରିବାରେ ସିଦ୍ଧହସ୍ତ ପାକିସ୍ତାନ ସେନା ପାଇଁ ଏବେ ଆଉଟିକେ ସହଜ ହୋଇପାରେ। ଆତଙ୍କବାଦୀଙ୍କୁ ତାଲିମ ଦେଇ ଭାରତରେ ପ୍ରବେଶ କାର୍ଯ୍ୟ ଏବେ ବାଂଲାଦେଶ ପଟରୁ ମଧ୍ୟ ହୋଇପାରେ। ଯେହେତୁ ବାଂଲାଦେଶ ଏହାର ୯୪ ପ୍ରତିଶତ ସୀମା ଭାରତ ସହ ସେୟାର କରୁଛି ଏବଂ ଏସବୁ ସୀମା ଅଧିକାଂଶ ସ୍ଥାନରେ ବେଶୀ ସୁରକ୍ଷିତ ନୁହେଁ ତେଣୁ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକାଳପ ଏବେ ଆହୁରି ସହଜ ହୋଇଯିବ।
ବାଂଲାଦେଶରେ ପୁଣି ପାକିସ୍ତାନ ସେନା ପ୍ରବେଶ କରିବା ପ୍ରସ୍ତାବକୁ ଦେଶର ବୁଦ୍ଧିଜୀବୀ କେମିତି ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା। ବିଶେଷକରି ଯେଉଁ ବରିଷ୍ଠ ନାଗରିକ ୧୯୭୧ ମସିହାରେ ପାକ୍ ସେନାର ନିର୍ଯାତନା ଦେଖଛନ୍ତି ଓ ଏବେବି ଭୁଲିନାହାଁନ୍ତି, ସେମାନେ କେବେ ହୁଏତ ୟୁନୁସଙ୍କ ପଦକ୍ଷେପକୁ ଗ୍ରହଣ କରିନପାରନ୍ତି। ଏବେ ପାକିସ୍ତାନ ନିଜେ ଆର୍ଥିକ ସଂକଟ ଦେଇ ଗତିକରୁଛି। ଦେଶ ଏକପ୍ରକାର ଦେବାଳିଆ ଅବସ୍ଥାରେ ଅଛି। ଚୀନ୍ ଦାନରେ ଚଳୁଥିବା ପାକିସ୍ତାନର ଏହି ପଦକ୍ଷେପ ଯେ ଚୀନ ଦ୍ୱାରା ଅନୁପ୍ରେରିତ ତାହା ବୁଝା ପଡ଼ିଯାଉଛି। ବାଂଲାଦେଶ କାନ୍ଧରେ ପାଦ ରଖି ଏବେ ଚୀନ୍ ଓ ପାକିସ୍ତାନ ଭାରତ ବିରୋଧୀ କାର୍ଯ୍ୟକଳାପକୁ ତୀବ୍ର କରିବାରେ ସହଜ ଅନୁଭବ କରିବେ। ଫେବ୍ରୁଆରି ମାସରୁ ବାଂଲାଦେଶର ସେନା ଶିବିର ସବୁ ପାକ୍ ସେନା ହାତକୁ ଚାଲିଯିବା ପରେ, ଏମାନଙ୍କୁ ଭାରତ ବିରୋଧୀ ତତ୍ୱ ତିଆରି କରିବା ସହ ହେବ।
ବାଂଲାଦେଶର ଏହି ନିଷ୍ପତ୍ତି ଦକ୍ଷିଣ ଏସିଆରେ ରାଜନୈତିକ ରଣନୀତିକୁ ଓଲଟପାଲଟ କରିବ ନିଶ୍ଚିତ। ଏବେ ବାଂଲାଦେଶର ବିତାଡ଼ିତ ପ୍ରଧାନମନ୍ତ୍ରୀ ସେଖ ହାସିନା ଭାରତରେ ଶରଣ ନେଇଛନ୍ତି। ତାଙ୍କୁ ବାଂଲାଦେଶକୁ ପ୍ରତ୍ୟର୍ପଣ ପାଇଁ କଥା ଉଠିଛି, ଯାହାକୁ ଭାରତ କର୍ଣ୍ଣପାତ କରିନାହିଁ। ହୁଏତ ପାକିସ୍ତାନ ସହ ସଂପର୍କ ବୃଦ୍ଧି ପାଇଁ ୟୁନୁସଙ୍କ ପାଖରେ ଏହା ଏକ କାରଣ ହୋଇଥାଇପାରେ।