Advertisment

ବ୍ୟୟବହୁଳ ହେଉଛି ଶାରଦୀୟ ଦୂର୍ଗାପୂଜା, ଟ୍ୱିନ୍‌ସିଟିରେ ଏଥର ପୂଜା ବଜେଟ୍ ୬ ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା।

author-image
Santosh Kumar Sahoo
undefined

Durga Puja

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି । ଆକର୍ଷଣୀୟ ପୂଜା ସହ ବଢ଼ି ଚାଲୁଛି ବଜେଟ୍ । ପ୍ରତିବର୍ଷ ବୃଦ୍ଧି ପାଉଥିବା କଳେବର ଭିତରେ କେଉଁଠି କଥା କହୁଛି ସୁନା ଚାନ୍ଦି ମେଢ଼ ତ ଆଉ କେଉଁଠି ଗାଥା ବଖାଣୁଛି ତୋରଣ । ପୂଜାରେ ପ୍ରତିବର୍ଷ କାରିଗର ଯେଉଁ ଚମକ ଆଣୁଛନ୍ତି ଦେଖିଲେ ମନ ଲାଖିଯାଉଛି । ଏହି ଯେମିତି ରୌପ୍ୟନଗରୀ କଟକ । ସୁନା ଚାନ୍ଦି ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଏବର୍ଷ ୩୪ରେ ପହଞ୍ଚିଛି ସୁନା ଚାନ୍ଦି ମେଢ ସଂଖ୍ୟା । ଆଉ ତାହାରି ଭିତରେ ମା’ ଜଗତଜନନୀଙ୍କ ଏକକୁ ଆରେକ ବଳି ମୂର୍ତ୍ତି ଗୁଡ଼ିକରେ ଝଟକୁଛି ମହଣ ମହଣ ସୁନା ଆଉ ଚାନ୍ଦି ।

Advertisment

୧୯୫୬ରେ ଚୌଧୁରୀ ବଜାର ପୂଜା କମିଟି ପ୍ରାୟ ୪ କ୍ବିଣ୍ଟାଲ୍ ଚାନ୍ଦିରେ ପ୍ରଥମ ଚାନ୍ଦିମେଢ଼ କରାଯାଇଥିଲା । ପରେ ମା’ଙ୍କୁ ଲାଗି କରାଯାଇଥିଲା ସୁନା ଅଳଙ୍କାର। ଏଭଳି ଭାବେ ୪୦ କେଜିର ସୁନା ଅଳଙ୍କାରରେ ଏଥର ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି । ଆଗକୁ ସୁନାରେ ସମ୍ପୂର୍ଣ୍ଣ ମେଢ଼ ହେବ ବୋଲି କହିଛି କମିଟି ।

ତଥ୍ୟ କହୁଛି, କଟକରେ ଗତବର୍ଷ ଅପେକ୍ଷା ଏବର୍ଷ ପ୍ରାୟ ୩୦ ପ୍ରତିଶତ ବଢ଼ିଛି ପୂଜା ବଜେଟ୍ । ଗତଥର କଟକ ସହରରେ ୩୨ଟି ସୁନା ଓ ଚାନ୍ଦିମେଢ଼ ଥିଲା । ଏଥର ଏହା ୩୪ରେ ପହଞ୍ଚିଛି । ଏବର୍ଷ ତୁଳସୀପୁର ଏବଂ ରାମଗଡ଼ କନିକା ଛକ କମିଟି ସାମିଲ ହୋଇଥିବାରୁ ସହରରେ ମୋଟ୍ ୧୭୬ଟି ମେଢ଼ କରାଯାଇଛି । ଗତବର୍ଷ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥର ପହଞ୍ଚିଛି ପ୍ରାୟ ୩୨୫ କୋଟିରେ । ଭାବିଲେ ଲାଗୁଛି, ପୂଜାକୁ ଆକର୍ଷଣୀୟ କରିବା ପାଇଁ ସତେ ଯେମିତି ଚାଲିଛି ପ୍ରତିଯୋଗିତା ।

Advertisment

କଟକରେ ମେଢ଼କୁ ଗୁରୁତ୍ବ, ଭୁବନେଶ୍ବରରେ ତୋରଣକୁ ପ୍ରାଧାନ୍ୟ । ଅର୍ଥାତ ରାଜଧାନୀରେ ମେଢ଼ ଅପେକ୍ଷା ତୋରଣ ଉପରେ ପ୍ରତିବର୍ଷ ଭଳି ଏଥର ବି ଫୋକସ୍ କରାଯାଇଛି । ଆପଣ ପୁରୁଣା ଷ୍ଟେସନ୍ ବଜାରକୁ ଯାଆନ୍ତୁ, ଅବା ନୂଆପଲ୍ଲୀ, ସହିଦନଗର, ବଡ଼ଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଏବଂ ଗଙ୍ଗନଗର ପୂଜା ମଣ୍ଡପ ଯାଇ ବୁଲି ଆସନ୍ତୁ। ଦେଖିବେ, ମେଢ଼ ଅପେକ୍ଷା ତୋରଣ ସହ ବାହ୍ୟ ସାଜସଜ୍ଜାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। କେବଳ ସହିଦନଗର ପୂଜା କମିଟି ଏଥର କୋଟିଏ ଟଙ୍କା ଅଟକଳ କରିଥିବାବେଳେ ତୋରଣରେ ହିଁ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛି । ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ବଜେଟ୍ ରହିଛି ୮୦ ଲକ୍ଷ । ଏଭଳି ଭାବେ ଭୁବନେଶ୍ବରରେ ମୋଟ୍ ୧୮୭ଟି ମେଢ଼ କରାଯାଇଥିବାବେଳେ ତାହାରି ଭିତରେ ରହିଛି ୬ଟି ସୁନା ଚାନ୍ଦି ମେଢ଼ । ପୂର୍ବବର୍ଷ ଅପେକ୍ଷା ଏଥର ରାଜଧାନୀରେ ପୂଜା ବଜେଟ୍ ୨୫ ପ୍ରତିଶତ ବଢ଼ି ପ୍ରାୟ ସାଢ଼େ ୩ ଶହ କୋଟିରେ ପହଞ୍ଚିଛି ।

Durga Puja
Advertisment
Advertisment