ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା ପାଳନ କରିଥାନ୍ତି। ତେବେ ଗଣେଶଙ୍କୁ ନେଇ ଶାସ୍ତ୍ର କ’ଣ କୁହେ ସେ ବିଷୟରେ ନଜର ପକେଇ ନେବା।
ପ୍ରାଚୀନ କାଳରେ ସୁମେରୁ ପର୍ବତରେ ସୋଭାରି ଋଷିଙ୍କର ଏକ ଅତି ମନୋରମ ଆଶ୍ରମ ଥିଲା। ତାଙ୍କର ଅତ୍ୟନ୍ତ ରୂପବତୀ ଓ ପତିବ୍ରତା ପତ୍ନୀ ମଧ୍ୟ ଥିଲେ। ତାଙ୍କର ନାମ ମନୋମୟୀ ଥିଲା। ଦିନେ ଋଷି କାଠ ଆଣିବାକୁ ଜଙ୍ଗଲକୁ ଗଲେ ଏବଂ ମନୋମୟୀ ଘର କାମରେ ଲାଗିଗଲେ। ସେହି ସମୟରେ କୌଞ୍ଚ ନାମକ ଜଣେ ଦୁଷ୍ଟ ଗାନ୍ଧର୍ଭ ସେଠାରେ ପହଞ୍ଚି ଅନନ୍ୟ ଲାବଣ୍ୟବତୀ ମନୋମୟୀଙ୍କୁ ଦେଖି ବ୍ୟାକୁଳ ହୋଇଉଠିଲା।
Also Read
ଏହା ପରେ କୌଞ୍ଚ ଋଷିପତ୍ନୀଙ୍କ ହାତ ଧରି ପକେଇଲା। ଋଷିପତ୍ନୀ କାନ୍ଦି କାନ୍ଦି ଥରି ଥରି ତାଙ୍କୁ ଦୟା କରିବାକୁ ଭିକ୍ଷା ମାଗିଲେ। ସେହି ମୁହୂର୍ତ୍ତରେ ସୌଭାରୀ ଋଷି ଆସିଗଲେ। ସେ ଗାନ୍ଧର୍ଭଙ୍କୁ ଅଭିଶାପ ଦେଇ କହିଲେ, “ତୁମେ ଚୋର ଭଳି ଆସି ମୋ ସହଧର୍ମିଣୀଙ୍କ ହାତକୁ ଧରିପକେଇଛ। ଏହି କାରଣରୁ ତୁମେ ମୂଷା ହୋଇ ପୃଥିବୀର ମାଟି ଭିତରେ ଲୁଚି ରହିବା ସହ ଚୋରି କରି ପେଟ ପୋଷିବ।”
ଥରି ଥରି ଗାନ୍ଧର୍ଭ ଋଷୀଙ୍କୁ ପ୍ରାର୍ଥନା କଲେ, ହେ ଦୟାଳୁ ମୁନିବର, ମୋର ଅବିବେକତା ହେତୁ ମୁଁ ତୁମ ପତ୍ନୀଙ୍କ ହାତକୁ ଛୁଇଁଦେଲି। ମୋତେ କ୍ଷମା କର। ଏହା ପରେ ଋଷି କହିଲେ ଯେ ମୋର ଅଭିଶାପ କେବେ ବୃଥା ହେବ ନାହିଁ। ତଥାପି ଦ୍ୱାପର ଯୁଗରେ ଗଣପତିଦେବ ଗଜମୁଖ ପୁତ୍ର (ଗଣେଶ ପ୍ରତ୍ୟେକ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି) ରୂପରେ ଦେଖାଯିବେ, ସେତେବେଳେ ତୁମେ ତାଙ୍କ ବାହନ ଡିଙ୍କ୍ ହେବ । ଏହା ପରେ ଦେବତାମାନେ ମଧ୍ୟ ତୁମର ସମ୍ମାନ କରିବେ। ତା’ପରେ ସମଗ୍ର ବିଶ୍ୱ ତୁମକୁ ଶ୍ରୀଡିଙ୍କଜୀ ଭାବରେ ପୂଜା କରିବ।
ଗଣେଶଙ୍କୁ ଜନ୍ମ ନ ଦେଇ ମାତା ପାର୍ବତୀ ତାଙ୍କ ଶରୀର ସୃଷ୍ଟି କରିଥିଲେ। ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ ସେହି ସମୟରେ ମହାଦେବ ସେଠାକୁ ଆସି ଭିତରକୁ ପ୍ରବେଶ କରିବାରୁ ବାଳକ ଗଣେଶ ନିଜ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ। ମହାଦେବ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟିଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନକଲେ। ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି ହେଲେ। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ।
ଗଣେଶଙ୍କର ଅନେକ ନାମ ଅଛି, କିନ୍ତୁ ୧୨ଟି ନାମ ପ୍ରସିଦ୍ଧ : ସୁମୁଖ, ଏକଦନ୍ତ, କପିଳ, ଗଜକର୍ଣ୍ଣକ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣଧ୍ୟକ୍ଷ, ଭାଲଚନ୍ଦ୍ର ଓ ଗଜାନନ। ଉପରୋକ୍ତ ଦ୍ୱାଦଶ ନାମ ନାରଦା ପୁରାଣରେ ପ୍ରଥମ ଥର ଆସିଥିଲା। ବିଧ୍ୟାରମ୍ଭ ତଥା ବିବାହ ଆଦିରେ ପ୍ରଥମରୁ ଏହି ନାମରେ ଗଣପତିଙ୍କୁ ଆରାଧନା କରାଯାଏ।