• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦୁର୍ଗତି ନାଶ କରନ୍ତି ବୋଲି ମା’ ଆଦ୍ୟାଶକ୍ତିଙ୍କୁ ଦୁର୍ଗା କୁହାଯାଏ। ଏ ଦୁର୍ଗତି ଦଶ ପ୍ରକାର ଯାହାକୁ ଦଶପାପ ବା ଦଶଦୋଷ ବୋଲି କୁହାଯାଏ। ଏସବୁ ହେଲା ଚୋରୀ, ହିଂସା, ପରନାରୀ ସମ୍ଭୋଗ, ନିଷ୍ଠୁର ବାକ୍ୟ ପ୍ରୟୋଗ, ଅସତ୍ୟ କଥନ, କପଟାଚରଣ, ଅସମ୍ବନ୍ଧୀ ପ୍ରଳାପ, ପରର ଅନିଷ୍ଠ ଚିନ୍ତା ଏବଂ ମିଥ୍ୟା ବା ମନ୍ଦ ଅଭିପ୍ରାୟ, ବିଷୟକ ଚିନ୍ତା। ମା’ ଏସବୁ ହରନ୍ତି ବୋଲି ତାଙ୍କୁ ଦଶହରା ବୋଲି କୁହନ୍ତି।

ଆଶ୍ୱିନ ମାସରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଓ ଚୈତ୍ର ମାସରେ ବାସନ୍ତୀ ଦୁର୍ଗୋତ୍ସବ ପାଳିତ ହୁଏ।

ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି। ଏଣୁ ରାମଚନ୍ଦ୍ର ଏହି ପରମ୍ପରାକୁ ଅନୁସରଣ କରି ଲଙ୍କାଗମନ ପୂର୍ବରୁ ଏ ସମର ଦେବୀଙ୍କୁ ପୂଜା କରିଥିଲେ ଚୈତ୍ର ଶୁକ୍ଲ ଦଶମୀ ଦିନ।

ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ସୁଦଶା ବ୍ରତ କରୁଛନ୍ତି କି…ଜାଣନ୍ତୁ ମହାଲକ୍ଷ୍ମୀଙ୍କ କେଉଁ ନାମ ଧରି ବ୍ରତରେ ପକେଇବେ ୧୦ ଗଣ୍ଠି

ସନାତନ ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ।

ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ନବରାତ୍ରର ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ସ୍ୱରୂପରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମା’ଙ୍କର ଅନ୍ୟ ଦୁଇ ନାମ ହେଲା ଅପର୍ଣ୍ଣା ଓ ଉମା।

ସେହିପରି ନବରାତ୍ରର ତୃତୀୟ ଦିନରେ ଦେବୀ ଚିତ୍ରଘଣ୍ଟା ପୂଜା ପାଆନ୍ତି। ଏହି ରୂପକୁ ଚନ୍ଦ୍ରଘଣ୍ଟା ମଧ୍ୟ କୁହାଯାଏ। ପୌରାଣିକ ମତେ ଦେବୀଙ୍କ ହସରୁ ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି। ନବରାତ୍ରର ଚତୁର୍ଥ ଦିନର କୁଷ୍ମାଣ୍ଡା ଦେବୀଙ୍କୁ ଆରାଧନା କରାଯାଏ। ନବରାତ୍ରର ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଦମାତା ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମା’ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ।

ନବରାତ୍ରର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ରହିଥିଲା। ନବରାତ୍ରର ସପ୍ତମ ଦିନରେ ଦେବୀଙ୍କୁ କାଳରାତ୍ରୀ ରୂପେ ପୂଜା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ।

ନବରାତ୍ରର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ରଙ୍ଗ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି।

ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ସମ୍ପୂର୍ଣ୍ଣ ହୋଇଥାଏ।

OTV is now on Whatsapp

Join and get latest news update delivered to you via whatsapp

Join Now