Advertisment

Basantika Durga Puja 2024: ଚୈତ୍ର ନବରାତ୍ରର ମହିମା; ଜାଣନ୍ତୁ କେଉଁଦିନ ପୂଜିବେ କେଉଁ ଦେବୀ

ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।

author-image
Pramod Behera
ଅଦ୍ୟତନ ହୋଇଛି
Chaitra Navratri Puja Vidhi 2024

chaitra navratrra puja know the puja vidhi

ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।

Advertisment

ନବରାତ୍ରୀ ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ମାତା ଦେବୀଙ୍କୁ ଖୁସି କରିବା ପାଇଁ ଅନେକ ଲୋକ ମଧ୍ୟ ନବରାତ୍ରୀ ସମୟରେ ଉପବାସ ପାଳନ କରନ୍ତି। ଭାରତ ବ୍ୟତୀତ ଏହା ନେପାଳରେ ମଧ୍ୟ ପାଳନ କରାଯାଏ।

ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ଗୋଟିଏ ବର୍ଷରେ ଚୈତ୍ର, ଆଷାଢ, ଅଶ୍ୱିନ୍ ଏବଂ ମାଘରେ ଚାରିଟି ନବରାତ୍ର ପାଳନ କରାଯାଏ। କିନ୍ତୁ, ଏସବୁ ମଧ୍ୟରେ ଚୈତ୍ର ଏବଂ ଅଶ୍ୱିନ ନବରାତ୍ରୀ ପ୍ରମୁଖ। ତେବେ ଆସନ୍ତୁ ଜାଣିନେବା ଏହି ନବଦୁର୍ଗାଙ୍କ ମହତ୍ୱ ବିଷୟରେ।

Advertisment

ଶୈଳପୁତ୍ରୀ:

ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ପୌରାଣିକ ମତେ ପର୍ବତରାଜ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ। ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।

ବ୍ରହ୍ମଚାରିଣୀ:

ନବରାତ୍ରର ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ସ୍ୱରୂପରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମା’ଙ୍କର ଅନ୍ୟ ଦୁଇ ନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ। ଏହିଦିନ ସ୍ୱାଧିଷ୍ଠାନ ଚକ୍ରରେ ଧ୍ୟାନ ରଖି ଆରାଧନା କରାଯାଏ।

ଚିତ୍ରଘଣ୍ଟା:

ନବରାତ୍ରର ତୃତୀୟ ଦିନରେ ଦେବୀ ଚିତ୍ରଘଣ୍ଟା ପୂଜା ପାଆନ୍ତି। ଏହି ରୂପକୁ ଚନ୍ଦ୍ରଘଣ୍ଟା ମଧ୍ୟ କୁହାଯାଏ। ଏହା ଦେବୀଙ୍କ ଉଗ୍ରରୂପ। ଦେବୀ ଦଶଭୂଜା ନେଇ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ ହୋଇଥାଏ। ଏହିଦିନ ମଣିପୁର ଚକ୍ରରେ ଧ୍ୟାନ ରଖି ଆରାଧନା କରାଯାଏ।

କୁଷ୍ମାଣ୍ଡା:

ପୌରାଣିକ ମତେ ଦେବୀଙ୍କ ହସରୁ ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି। ଏହି ରୂପରେ ଦେବୀ ଅଷ୍ଟଭୂଜା ହୋଇ ହାତରେ କମଣ୍ଡଳୁ, ଧନୁ, ପଦ୍ମ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ନବରାତ୍ରର ଚତୁର୍ଥ ଦିନରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ରଖି କୁଷ୍ମାଣ୍ଡା ଦେବୀଙ୍କୁ ଆରାଧନା କରିଥାନ୍ତି।

ସ୍କନ୍ଦମାତା:

ନବରାତ୍ରର ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଦମାତା ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମା’ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ରୂପ ଧାରଣ କରି ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଏହି ରୂପରେ ମା’ ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି। ଏହି ଦିନ ବିଶୁଦ୍ଧି ଚକ୍ରରେ ଧ୍ୟାନ କଲେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ।

କାତ୍ୟାୟନୀ:

ନବରାତ୍ରର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ରହିଥିଲା। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁ ନ ଥିବା କନ୍ୟାମାନେ ଏହି ଦିନ ଆଜ୍ଞାଚକ୍ରକୁ ଧ୍ୟାନ କରି ଦେବୀ ଉପାସନା କଲେ ଉତ୍ତମ ପତି ମିଳିଯାଆନ୍ତି ବୋଲି ବିଶ୍ୱାସ ରହିଛି।

କାଳରାତ୍ରୀ:

ନବରାତ୍ରର ସପ୍ତମ ଦିନରେ ଦେବୀଙ୍କୁ କାଳରାତ୍ରୀ ରୂପେ ପୂଜା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ଦେବୀଙ୍କ ତିନି ଆଖି, ଶରୀରର ରଙ୍ଗ ଅନ୍ଧକାର ଭଳି ଗାଢ଼ କଳା, ଚତୁର୍ଭୁଜା ଦେବୀ ଗଧ ଉପରେ ବସି ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ଏହି ଦିନ ଭକ୍ତମାନେ ଦେବୀଙ୍କୁ ବିନ୍ଦୁ ଚକ୍ରରେ ଧ୍ୟାନ ରଖି ଆରାଧନା କରିଥାନ୍ତି।

ମହାଗୌରୀ:

ନବରାତ୍ରର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ରଙ୍ଗ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଧ୍ୟାନ ପାଇଁ ସହସ୍ରାହାର ଚକ୍ରର ବ୍ୟବହାର କରାଯାଏ।

ସିଦ୍ଧିଦାତ୍ରୀ:

ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ସମ୍ପୂର୍ଣ୍ଣ ହୋଇଥାଏ।

Chaitra Parba Navaratri Puja
Advertisment
Advertisment