Advertisment

କିପରି ପାଳନ ହୁଏ ମକର ସଂକ୍ରାନ୍ତି

ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି ।

author-image
Pramod Behera
ଅଦ୍ୟତନ ହୋଇଛି
Agricultural Festival Makar Sankranti

Agricultural festival Makar Sankranti

ମକର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି କୁହାଯାଏ। ସମଗ୍ର ଭାରତବର୍ଷରେ ଏହି ପର୍ବ ପାଳନ କରାଯାଏ। ଛତିଆବଟର ସନ୍ଥ ହାଡ଼ିଦାସ ଓ ବ୍ୟାସକବି ଫକୀରମୋହନଙ୍କର ଏହି ଦିନ ଜନ୍ମ ଜୟନ୍ତୀ । ସୌର ଗଣନା ଅନୁଯାୟୀ ଏହି ଦିନ ସୂର୍ଯ୍ୟ ମକର ରାଶିକୁ ଗମନ କରନ୍ତି । ସଂକ୍ରାନ୍ତିକୁ ମାସର ପ୍ରଥମ ଦିନ ଭାବରେ ଗ୍ରହଣ କରାଯାଉଥିବାରୁ ମାଘ ମାସର ଏହି ପ୍ରଥମ ଦିନଟିକୁ ‘ମକର ସଂକ୍ରାନ୍ତି’ ଭାବେ ପାଳନ କରାଯାଏ ।

Advertisment

ଓଡ଼ିଶା ରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି । ଏହି ଦିନ ପିତୃପୁରୁଷଙ୍କୁ ମଧ୍ୟ ପିଣ୍ଡଦାନ କରାଯାଏ ।

ଗୋଟିଏ ଘର ପରିଷ୍କାର କରି, ସେଇ ଘରେ ପିଣ୍ଡ ସାମଗ୍ରୀ ଯଥା- ଭୋଗ, ନୂଆ ଲୁଗାପଟା ରଖି ଘର ବନ୍ଦ ରଖନ୍ତି । ସେମାନଙ୍କର ବିଶ୍ୱାସ ଯେ, ମନୁଷ୍ୟର ମୃତ ଆତ୍ମା ସୂକ୍ଷ୍ମ ଦେହକୁ ଆସି ସେସବୁ ଗ୍ରହଣ କରନ୍ତି । ଘରର ଅଗଣା ପରିଷ୍କାର କରି ଚିତା, ମୁରୁଜ ପକାଇଥାନ୍ତି । ଦୁଇଦିନ ନିରାମିଷ ଭକ୍ଷଣ କରନ୍ତି । ତୃତୀୟ ଦିନ ନୈଷ୍ଠିକ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟମାନେ ଆମିଷ ଭୋଜନ କରନ୍ତି ।

Advertisment

କୃଷିଭିତ୍ତିକ ପର୍ବ ଭାବରେ ମଧ୍ୟ ଏହାର ସ୍ୱାତନ୍ତ୍ର୍ୟ ରହିଛି । ନୂଆଶସ୍ୟ ଅମଳ ହୋଇ ଖଳାକୁ ଆସିଥିବାରୁ ଏହି ନୂଆଶସ୍ୟରେ ମକର ଭୋଗ ପ୍ରସ୍ତୁତ କରାଯାଏ । ଘରର ଗୁରୁଜନମାନେ ପିଲାମାନଙ୍କର ମଙ୍ଗଳକାମନା କରି ନୂଆ ବସ୍ତ୍ର ପିନ୍ଧାଇ ଦୁବ, ବରକୋଳି ପତ୍ର, ଆଖୁ ଖଣ୍ଡ, ଗୁଆ ମୁଣ୍ଡରେ ଛୁଆଁଇ ପୂଜା କରିଥାନ୍ତି ।

କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଏହି ପର୍ବ ଦୁଇଦିନ ପାଳନ କରାଯାଏ । ପ୍ରଥମ ଦିନ ସଂକ୍ରାନ୍ତି ଓ ଦ୍ୱିତୀୟ ଦିନଟିକୁ କିଂକ୍ରାନ୍ତି କୁହାଯାଏ । କିଂକ୍ରାନ୍ତିର ଅର୍ଥ ସଂକ୍ରାନ୍ତିର ସାନ ଭଉଣୀ । ନୂଆଶସ୍ୟ ଅମଳ ହୋଇଥାଏ । ନୂଆ ଗୁଡ଼, ତିଳ ଓ ଚିନାବାଦାମରେ ଭୋଗ ତିଆରି କରି ନୂଆ ବସ୍ତ୍ର ପିନ୍ଧି ଦେବ ଦର୍ଶନ କରନ୍ତି । ରାଶିରେ ହାଲୁଆ ପ୍ରସ୍ତୁତ କରି ବନ୍ଧୁବାନ୍ଧବଙ୍କୁ ବାଣ୍ଟନ୍ତି ।

ଏହି ପବିତ୍ର ଦିନଟିକୁ ବଙ୍ଗଳାର ମହିଳାମାନେ ‘ବାବନ ପୋରୀ’ ଭାବେ ପାଳନ କରନ୍ତି । ଏହାର ଅର୍ଥ ହେଉଛି ଘରର ସୁଖ, ସମୃଦ୍ଧି, ଧନ, ରତ୍ନ ବାଉନ ଗୁଣ ବୃଦ୍ଧି ପାଉ । ସ୍ତ୍ରୀଲୋକମାନେ ହାତରେ ଦୁବଚାଉଳ ଧରି ଭଗବାନଙ୍କୁ ପ୍ରାର୍ଥନା କରି ଭଣ୍ଡାର ଘର ଚାରି ପାଖରେ ଘରର ଧନସଂପତ୍ତି ୫୨ ଗୁଣ ବୃଦ୍ଧିପାଉ ବୋଲି କାମନା କରନ୍ତି ।

ଓଡ଼ିଶୀ ସଂସ୍କୃତିରେ ମଧ୍ୟ ମକରପର୍ବ ଆନନ୍ଦଉଲ୍ଲାସର ସହିତ ପାଳନ କରାଯାଏ । ଓଡ଼ିଶାର ମୟୂରଭଞ୍ଜରେ ମକର ପର୍ବ ପାଳନର ସ୍ୱାତନ୍ତ୍ର୍ୟ ରିହିଛି । ଓଡ଼ିଶାବାସୀଙ୍କ ମୁଖ୍ୟ ଜୀବିକା କୃଷି ଓ ଧାନ ପ୍ରଧାନ କୃଷିଜାତ ଦ୍ରବ୍ୟ । ମାର୍ଗଶୀର ଓ ପୌଷ ମାସରେ ଧାନ ଅମଳ ଶେଷ ହୋଇଯାଇଥାଏ ।

ତେଣୁ ପରିବାରର ସୁଖସମୃଦ୍ଧି ଓ ପ୍ରାଚୁର୍ଯ୍ୟ କାମନା କରି ମାଘମାସର ପ୍ରଥମ ଦିନକୁ ଉତ୍ସାହର ସହିତ ପାଳନ କରନ୍ତି । ଊପକୂଳବର୍ତ୍ତୀ ଓଡ଼ିଶାର ଲୋକେ ସକାଳୁ ନଈରେ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି । ଏହାକୁ ମକରବୁଡ଼ କୁହାଯାଏ । ନୂଆ ଅରୁଆ ଚାଉଳ, ନଡ଼ିଆ କୋରା, ଗୁଡ଼, ଦହି, ଘିଅ, ମହୁ ମିଶାଇ ପ୍ରସ୍ତୁତ କରାଯାଇଥିବା ମକର ଚାଉଳ ଭୋଗ ଲଗାଯାଇଥାଏ ।

ଅଧିକ ପଢ଼ନ୍ତୁ: ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ..

ମୟୂରଭଞ୍ଜ ରେ ଏହି ପର୍ବ ତିନିଦିନ ଧରି ପାଳନ କରାଯାଏ । ପ୍ରଥମ ଦିନଟି - ଚାଉଳ ଧୂଆ, ଦ୍ୱିତୀୟ ଦିନଟି – ବାହୁଣ୍ଡି, ତୃତୀୟ ଦିନଟି – ମକର ପର୍ବ ଭାବେ ପାଳନ କରାଯାଏ । ପ୍ରଥମ ଦିନ ଗୃହିଣୀମାନେ ନୂଆ ଟୋକେଇରେ ଅରୁଆ ଚାଉଳ ଧୋଇଥାଆନ୍ତି । ଧୂଆ ଚାଉଳକୁ ଶୁଖାଇ ଚୁନା ପ୍ରସ୍ତୁତ କରାଯାଏ ।

ଧାନ କଟା ହବା ସମୟରେ ନିଜ ନିଜ ଜମିରେ ଗୋଟିଏ ଧାନ ମେଣ୍ଟା ଛଡ଼ାଯାଇଥାଏ । ବାକି ଧାନ କଟାଯାଇଥାଏ । ମକର ପର୍ବର ଦ୍ୱିତୀୟ ଦିନ ଚାଷୀମାନେ ଛଡ଼ାଯାଇଥିବା ଧାନ ମେଣ୍ଟାକୁ ମାଟି ସହ ଆଣି ତୁଳସୀ ଚଉରା ମୂଳରେ ରଖି ଘରେ ଥିବା ପାଇ, ପାଇଲା, ତେଲ ଘଡ଼ି, ଘିଅ ଡବା ଆଣି ଏହା ପାଖରେ ରଖି ସ୍ଥାପନା କରନ୍ତି ।

ଘରର ସ୍ତ୍ରୀଲୋକମାନେ ଗାଧୋଇସାରି ତୁଳସୀ ଚଉରା ମୂଳରେ ସ୍ଥାପନା ହୋଇଥିବା ଧାନମେଣ୍ଟା ମାଟି ସହିତ ସିନ୍ଦୂର ଚନ୍ଦନ ଗୋଳାଇ ଘରର ପ୍ରତ୍ୟେକ ବସ୍ତୁ ଉପରେ ଟୀକା ଲଗାଇ ଦିଅନ୍ତି । ଏହାକୁ ‘ବାହୁଣ୍ଡି ବନ୍ଧ’ କୁହାଯାଏ । ସନ୍ଧ୍ୟାରେ ପ୍ରଥମ ଦିନ ପ୍ରସ୍ତୁତ କରାଯାଇଥିବା ନୂଆ ଚୁନାରେ ପିଠା ତିଆରି କରାଯାଏ । ଶେଷ ଦିନ ସକାଳୁ ପୋଖରୀ ବା ନଈରେ ସଂକୀର୍ତ୍ତନ କରି ମକର ବୁଡ଼ ପକାଇ ଖସାଲଡୁ ଓ ମକର ଚାଉଳ ଭୋଗ କରାଯାଏ ।

ମୟୂରଭଞ୍ଜର ମହାନ୍ତ ସଂପ୍ରଦାୟ ଟୁସୁ ଦେବୀଙ୍କୁ ପୂଜା କରିଥାନ୍ତି । ଏହି ସଂପ୍ରଦାୟର ଅବିବାହିତା କିଶୋରୀମାନେ ଟୁସୁ ଦେବୀଙ୍କର ପୂଜା କରି ଗୀତ ଗାଇ ନିକଟସ୍ଥ ନଦୀରେ ଦେବୀ ପ୍ରତିମାକୁ ବିସର୍ଜନ କରନ୍ତି ।

ମୟରୂଭଞ୍ଜର ଆଦିବାସୀ ସଂପ୍ରଦାୟର ଲୋକମାନେ ଏହି ଦିନ ମାଙ୍କଡ଼ ନାଚ କରାନ୍ତି । ଏହାକୁ ‘ମାଳିଏ ନେଜ୍’ କୁହାଯାଏ । ମାଙ୍କଡ଼ ନାଚ ଦେଖାଇ ଘରଘର ବୁଲି ଯାହା ମାଗି ଆଣିଥାନ୍ତି (ପରିବା, ଚାଉଳ) ସେଥରେ ସନ୍ଧ୍ୟା ସମୟରେ ଭୋଜିଭାତର ଆୟୋଜନ କରାନ୍ତି ।

ମକର ପର୍ବରେ ଗଙ୍ଗାସାଗର ମେଳା ମଧ୍ୟ ଅନୁଷ୍ଠିତ ହୁଏ । ଗାଁ-ଗହଳିରେ ପିଲାମାନେ ଗୁଡ଼ି ଉଡ଼ାନ୍ତି । ଏହି ପର୍ବ କପ୍ତିପଦାର ‘ଶମୀବୃକ୍ଷ’, ବାମନଘାଟୀର ‘ରାଣୀବନ୍ଧ’, ଯଶୀପୁରର ‘ରାମତୀର୍ଥ’, ଖିଚିଂର ‘ଦୋ ମୁହାଣୀ’, କାଳିଜାଈ ପୀଠ, କଟକ ସାଲେପୁରର ଭଗବତୀ ପୀଠ, ଭଦ୍ରକର ପାଳିଆ ବିନ୍ଧାଠାରେ ଥିବା ବିରଞ୍ଚô ନାରାୟଣ ମନ୍ଦିରରେ ସୂର୍ଯ୍ୟପୂଜା, ଉତ୍ତରାୟଣ, ବନ୍ଦାପନା, ମାଘମେଳା ମହାସମାରୋହରେ ଅନୁଷ୍ଠିତ ହୋଇଥାଏ।

ବିଜୟଲକ୍ଷ୍ମୀ ଦାଶ

ଅଧ୍ୟାପିକା, ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିବାଙ୍କ ନିଜସ୍ୱ ମତ)

Makar Sankranti
Advertisment
Advertisment