• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟାଇବାକୁ ଗତ ଜୁଲାଇରେ ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର । ଆଶା ଥିଲା, ଆପାର୍ଟମେଣ୍ଟ କିଣାବିକା ନେଇ ଖୁବଶୀଘ୍ର ଫିଟିବ ବାଟ । ହେଲେ ରୁଲ୍ ଆସି ନପାରିବାରୁ କାର୍ଯ୍ୟକାରୀ ହୋଇପାରିଲାନି ଓଡ଼ିଶା ଆପାଟର୍ମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ତେଣୁ ଏବେ ବି ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ କିଣାବିକା ।

ଏସବୁ ଭିତରେ ଅକ୍ଟୋବର ୧୦ ସୁଦ୍ଧା ଆପାର୍ଟମେଣ୍ଟ ରୁଲ୍ ଆଣିବାକୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଛାଟ ପରେ ଚଳିତ ବିଧାନସଭା ଅଧିବେଶନରେ ବିଲ୍ ଆଗତ କରି ଏହାକୁ ପାରିତ କରାଯାଇଛି । ଏହି ବିଲ୍ ଅନୁସାରେ, ସବୁ ନୂଆ-ପୁରୁଣା ଆପାଟର୍ମେଣ୍ଟ ପାଇଁ ଲାଗୁ ହେବ ଆଇନ । ଏମିତିକି ଉଭୟ ଫ୍ରି ହୋଲ୍ଡ ଓ ଲିଜ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ କ୍ଷେତ୍ରରେ ଏହି ନିୟମ ଲାଗୁହେବ । ପ୍ରକଳ୍ପର ୫୦% କିମ୍ବା ଅତିକମରେ ୭ଟି ଫ୍ଲାଟ୍ ବୁକ୍ ହେଲେ, ଗଠନ ହୋଇପାରିବ ଆସୋସିଏସନ । ଗୋଟିଏ ପ୍ରକଳ୍ପ ପାଇଁ କେବଳ ଗୋଟିଏ ଆସୋସିଏସନ ରହିପାରିବ । ପ୍ରକଳ୍ପର କମନ ଏରିଆ ବା ସର୍ବସାଧାରଣ ସ୍ଥାନ ଆସୋସିଏସନ ନାମରେ ହିଁ ପଞ୍ଜୀକରଣ ହେବ ।

ରିଅଲ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ବା ରେରା ଅନୁକୂଳ ଏକ ଆପାର୍ଟମେଣ୍ଟ ଆଇନ ନଥିବାରୁ ଗତ ଦେଢ଼ବର୍ଷ ହେଲା ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଫଳରେ ପାଖାପାଖି ୪୦୦ ନୂଆ ଆପାର୍ଟମେଣ୍ଟ ପ୍ରକଳ୍ପର ରେଜିଷ୍ଟ୍ରେସନ ବନ୍ଦ ରହିଛି । ଆଉ ଏଥିଯୋଗୁଁ ରିଅଲ ଇଷ୍ଟେଟ କ୍ଷେତ୍ରରେ ନିବେଶ ହୋଇଥିବା ପ୍ରାୟ ୫ ହଜାର କୋଟି ଟଙ୍କା ଏକ ପ୍ରକାର ଠପ୍ ହୋଇଯାଇଛି । ଅନ୍ୟ ପକ୍ଷରେ ବୁକ୍ କରିଥିବା ନିଜ ଘର ପାଇବା ନେଇ କ୍ରେତା ବି ଦ୍ୱନ୍ଦ୍ୱରେ ରହିଛନ୍ତି । ଏବେ ଅପେକ୍ଷା, ବିଧାନସଭାରେ ପାରିତ ବିଲକୁ କେତେଶୀଘ୍ର ଆଇନରେ ପରିଣତ କରି ନୂଆ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ରୁଲ୍ ଆଣୁଛନ୍ତି ସରକାର । ଆଉ କେବେ ଆରମ୍ଭ ହେବ ଆପାର୍ଟମେଣ୍ଟ କିଣାବିକା ।

  • Reported by:
  • KAPILENDRA PRADHAN