• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଜ୍ୟରେ ପୁଞ୍ଜି ନିବେଶର ବାସ୍ତବ ସ୍ଥିତି କଣ? ଗଲା ୭ ବର୍ଷରେ ଆସିଛି କେତେ ପରିମାଣର ପୁଞ୍ଜି? ଏସବୁଥିରେ କେତେ ଲୋକଙ୍କୁ ମିଳିଛି ନିଯୁକ୍ତି? ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର କସରତ ମଧ୍ୟରେ ଆସନ୍ତା ନଭେମ୍ବରରେ ଆୟୋଜନ ହେବାକୁ ଯାଉଛି ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ। ଏଥିପାଇଁ ରୋଡ୍ ସୋ ପରେ ରୋଡ୍ ସୋ କରୁଛନ୍ତି ସରକାର। କିଛିଦିନ ପୂର୍ବରୁ ଦୁବାଇରେ ଇନ୍ଭେଷ୍ଟର୍ସ ମିଟ୍ ଓ ଅହମ୍ମଦାବାଦରେ ରୋଡ୍ ସୋ କରିଥିଲା ଶିଳ୍ପ ବିଭାଗ।

ଅଗଷ୍ଟ ୩୧ରେ ପୁଣି ଦିଲ୍ଲୀରେ ହେବ ଇନ୍ଭେଷ୍ଟର୍ସ ମିଟ୍ ଯେଉଁଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୧୬ଟି ଦେଶର ଆମ୍ବାସଡାର୍ ଓ ହାଇ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବଡ଼ ପ୍ରଶ୍ନ ହେଲା, କୋଟି କୋଟି ଟଙ୍କା ଖର୍ଚ୍ଚରେ ଆୟୋଜିତ ହେଉଥିବା ଏଭଳି କାର୍ଯ୍ୟକ୍ରମରୁ ଓଡ଼ିଶାକୁ ପ୍ରକୃତରେ କେତେ ଲାଭ ମିଳିବ? କେତେ ପୁଞ୍ଜି ପ୍ରସ୍ତାବ ଆସିବ ଓ ସେଗୁଡ଼ିକ କେତେଦୂର କାର୍ଯ୍ୟକ୍ଷମ ହେବ?

ଏ ପ୍ରଶ୍ନ ଏଇଥି ପାଇଁ ଉଠୁଛି କାରଣ, ୨୦୧୬ ଓ ୨୦୧୮ରେ ଆୟୋଜିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସେଭଳି କିଛି ଫାଇଦା ମିଳିନାହିଁ। ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି। ଉଭୟରୁ ଆସିଥିଲା ସମୁଦାୟ ୬ ଲକ୍ଷ ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ। ତାସହିତ ୭ ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିଲା।

ହେଲେ ମୋଟ୍ ୨୮୬ଟି ପ୍ରସ୍ତାବ ମଧ୍ୟରୁ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ମାଧ୍ୟମରେ ୧୬୪ଟିକୁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୫, ୬୭୪କୋଟିର ମାତ୍ର ୧୬ଟି ପ୍ରସ୍ତାବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ନିଯୁକ୍ତି ମିଳିଛି ମାତ୍ର ୫, ୮୭୮ ଜଣଙ୍କୁ ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। 

ରାଜ୍ୟର ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ରହିଛି ପର୍ଯ୍ୟାପ୍ତ ପ୍ରାକୃତିକ ସଂପଦଠାରୁ ବିସ୍ତୀର୍ଣ୍ଣ ବେଳାଭୂମି, ଜଳ, ଜମି, ଜଙ୍ଗଲ ଆଦି କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ତା ସହ ଏଠି ୨୨ ବର୍ଷର ସ୍ଥାୟୀ ସରକାର ମଧ୍ୟ ରହିଛି। ଏସବୁ ସତ୍ତ୍ୱେ କାହିଁକି ଫେଲ୍ ମାରୁଛି ଶିଳ୍ପାୟନ ଯୋଜନା? କଣ ପାଇଁ ମୁହଁ ମୋଡୁଛନ୍ତି ପୁଞ୍ଜି ନିବେଶକାରୀ?  ଆଗକୁ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍‌ରୁ କେତେ ପୁଞ୍ଜି ଆସୁଛି, ଏ ତା ଉପରେ ନଜର।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ ଓ ହରିହର ଚାନ୍ଦ