• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ । ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେଉଁ ବର୍ଗକୁ କେତେ ପ୍ରତିଶତ ଦେବେ ତାକୁ ନେଇ ସରକାର ଅଡୁଆରେ ପଡିଥିବା କୁହାଯାଉଛି । ସେହିପରି ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବାକୁ ହେଲେ ମ୍ୟୁନିସିପାଲିଟିର ଦୁଇଟି ଓ ପଞ୍ଚାୟତର ୩ଟି ଆଇନ୍‌ରେ ସଂଶୋଧନ ବି କରିବାକୁ ପଡିବ । ଏସବୁ ଭିତରେ ରାଜ୍ୟ ବିଜେପି ଟିମ୍ ଆଜି ନିର୍ବାଚନ କମିଶନଙ୍କୁ ଭେଟି ପୌର ନିର୍ବାଚନ କରାଇବାକୁ ଦାବି କରିଛି । ଏପରିକି ସରକାରଙ୍କ ଅସହଯୋଗ ନେଇ କମିଶନ ଯଦି ୭ ଦିନ ଭିତରେ ହାଇକୋର୍ଟରେ ରିଟ୍ ଦରଖାସ୍ତ ଦାଖଲ ନକରନ୍ତି ତେବେ ଦଳ କୋର୍ଟଙ୍କ ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି ।

କେବେ ହେବ ପୌର ନିର୍ବାଚନ ? ନିର୍ଦ୍ଧାରିତ ସମୟର ୩ବର୍ଷ ଗଡି ଯାଇଥିଲେ ବି ନାଁ ଧରୁନାହାନ୍ତି ରାଜ୍ୟ ସରକାର । ସେହିପରି ଫେବୃୟାରୀ ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ତାକୁ ନେଇ ବି ଦେଖାଦେଇଛି ଅନିଶ୍ଚିତତା । କାରଣ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ରାସ୍ତାରେ ବାଧକ ସାଜିଛି ଆସନ ସଂରକ୍ଷଣ ଆଇନ୍ । ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଡୁଆରେ ପଡିଛନ୍ତି ରାଜ୍ୟ ସରକାର । କାରଣ ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ୬୦ରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ଥିଲା । ଅନୁସୁଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ, ଅନୁସୁଚିତ ଜାତି ପାଇଁ ୧୭.୧୩ ଓ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା ।

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେଉଁ ବର୍ଗକୁ କେତେ ପ୍ରତିଶତ ସଂରକ୍ଷଣ ଦେବେ ତାକୁ ନେଇ ଦ୍ୱନ୍ଦ୍ୱରେ ସରକାର । କାଳେ କୌଣସି ବର୍ଗ ଅସନ୍ତୁଷ୍ଟ ହେବେ ସରକାରଙ୍କୁ ସେଇ ଡର ଘାରିଛି । ତାସହିତ ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ରଖିବାକୁ ହେଲେ ଓଡିଶା ମ୍ୟୁନିସିପାଲିଟି ଆଇନ୍, କୋର୍ପରେସନ୍ ଆଇନ ସମେତ ପଞ୍ଚାୟତ, ପଞ୍ଚାୟତ ସମିତିି ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରିବାକୁ ପଡିବ । ନିର୍ବାଚନ କରାଇବା ନେଇ ଏତେ ସବୁ ପ୍ରକ୍ରିୟା ବାକି ଥିବା ବେଳେ ନୀରବ ବସିଛନ୍ତି ରାଜ୍ୟ ସରକାର ।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତି ୫ ବର୍ଷରେ ନିର୍ବାଚନ ହେବା କଥା । ଅନିର୍ଦିଷ୍ଟ କାଳ ପାଇଁ ନିର୍ବାଚନକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ସଂଜୀବ ହୋତା । ସହରାଞ୍ଚଳ ଭୋଟର ବିଜେପି ମୁହାଁ ଓ କରୋନା ପରିଚାଳନା ବିଫଳତାକୁ ନେଇ ଗ୍ରାମାଚଂଳରେ ସରକାର ବିରୋଧୀ ହାଓ୍ୱା । ନିର୍ବାଚନ କଲେ ଦଳୀୟ କନ୍ଦଳ କାଳେ ପଦାରେ ପଡିବ, ସେଇ ଆଶଙ୍କାରେ ସରକାର ନିର୍ବାଚନକୁ ଯାଉ ନଥିବା ଚର୍ଚ୍ଚା ହେଉଛି ।