• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶୁଖିଯାଉଛି ମହାନଦୀ, ସଙ୍କଟରେ ଜୀବନ ଓ ଜୀବୀକା । ଦିନେ ଚିରସ୍ରୋତା ଥିଲା ହେଲେ, ଆଜି ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଗୁରୁତର ହେଲାଣି ପିଇବା ପାଣି ସହ ବିଜୁଳି ସଙ୍କଟ । ଶୁଖିଲା ନଦୀ ପାଇଁ ଅବବାହିକା ଅଞ୍ଚଳ ସବୁ ତାତିରେ ହେଉଛି ଆଉଟୁପାଉଟୁ । ତେଣେ ମହାନଦୀ ପ୍ରସଙ୍ଗକୁ ନେଇ ରାଜନୀତି ଥମୁନଥିବାବେଳେ ସମସ୍ତଙ୍କୁ ବ୍ୟଥିତ କଲାଣି ନଦୀର ମୃତପ୍ରାୟ ସ୍ଥିତି ।

ମହାନଦୀ ହେଉଛି ଆମ ମାଆ ଓ ଜୀବନ ଧାରଣର ରାହା । ହେଲେ ଆକାଶମାର୍ଗରୁ ଉତ୍ତୋଳିତ ଚିରସ୍ରୋତା ମାଆର ଏ ବିକଳ ଚିତ୍ରକୁ ଟିକେ ନିରିଖେଇ ଦେଖନ୍ତୁ । ସୋନପୁର ଓ ବୌଦ୍ଦରେ କେମିତି ଧୀରସ୍ଥିର ଓ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି । ଉତ୍କଳର ଏ ଗଙ୍ଗା ନଦୀଗର୍ଭରେ କେଉଁଠି କାଁ ଭାଁ ଚବକାଏ ପାଣି ଅଛି, ନହେଲେ ସାରା ସ୍ରୋତ ରାସ୍ତାରେ ଭର୍ତ୍ତୀ ହୋଇ ବାଟ ଓଗାଳିଛି ବିରାଟ ବିରାଟ ପଥର ଖଣ୍ଡ ।

ଆଖି ପାଉନଥିବା ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାକୁ ଦେଖିଲେ ଠିକ୍ ଅନୁଭବ ହେଉଛି, କେମିତି ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଆର୍ତ୍ତଚିତ୍କାର କରୁଛି ଏକଦା ଓଡ଼ିଶାର ଚିରସ୍ରୋତା ବୋଲାଉଥିବା ମହାନଦୀ । ତେଲ, ସୁକତେଲ ଓ ମହାନଦୀର ତ୍ରିକୋଣଭୂମୀ ଅଞ୍ଚଳରେ ଅବସ୍ଥିତ ଯେଉଁ ସୋନପୁର ଦିନେ ମହାନଦୀର ଅପର୍ଯ୍ୟାପ୍ତ ପାଣି ଓ ସୁଲୁସୁଲିଆ ପବନକୁ ନେଇ ଗର୍ବ କରୁଥିଲା, ଆଜି ଡହ ଡହ ତାତିରେ କଲବଲ ହେଉଛି । ପଚାରୁଛି ଏ ଦୟନୀୟ ସ୍ଥିତି ପାଇଁ ଦାୟୀ କିଏ ?

ସେମିତି ଓଡ଼ିଶାର ଜୀବନରେଖା ବୋଲାଉଥିବା ମହାନଦୀର ଦୂରାବସ୍ଥା ଝାରସୁଗୁଡ଼ାର ସୁଖୋସୋଡ଼ାରେ ଅବର୍ଣ୍ଣନୀୟ ଉପର ମୁଣ୍ଡରେ । ପଡ଼ୋଶୀ ଛତିଶଗଡ଼ ବ୍ୟାରେଜ୍ କରି ପାଣି ଅଟକାଇଦେବା ପରେ ଜୀବନ, ବେଉସା, ତୃଷା ସବୁ କିଛି ବିପନ୍ନ ହୋଇପଡିଛି । ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଯାକ ଗେଟ୍ ବନ୍ଦ ଥିବାରୁ ତଳମୁଣ୍ଡ ଓଡ଼ିଶାରେ ସତେ ଯେମିତି ନିଜେ ବଞ୍ଚିବାକୁ ଛଟପଟ ହେଉଛି ମହାଦାନୀ ।

ଏଠି ପ୍ରଶ୍ନ ଚିରସ୍ରୋତା ମହାନଦୀର ଏ ମହାଦୁଃସ୍ଥିତି ପାଇଁ ଦାୟୀ କିଏ ? ଯେଉଁ ମହାନଦୀକୁ ନେଇ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶା ରାଜନୀତି ପଡୁଥିଲା ଉଠୁଥିଲା, ହଠାତ୍ ୨୦୧୯ ନିର୍ବାଚନ ପରଠୁ ଥଣ୍ଡା ପଡ଼ିଗଲା କାହିଁକି ? ମହାନଦୀ ଜଳ ବିବାଦର ସମାଧାନ ନ୍ୟାୟାଳୟଙ୍କ ଉପରେ ଛାଡ଼ି ଚୁପ୍ ବସିଯିବା କେତେଦୂର ଠିକ୍ ? ଛତିଶଗଡ଼ ନିଜ ସୁବିଧା ପାଇଁ ଅଣମୌସୁମୀ ଋତୁରେ ଓଡ଼ିଶାକୁ ଟୋପାଏ ପାଣି ଦେଉନଥିବାବେଳେ କେମିତି ଦୃତଗତିରେ ହ୍ରାସ ପାଇଛି ଭୂତଳ ଜଳସ୍ତର, କେତେ ଜଟିଳ ହୋଇଛି ପାନୀୟ ଜଳ ସଙ୍କଟ ଓ କେଉଁଭଳି ଗୁରୁତର ବାଧାପ୍ରାପ୍ତ ହୋଇଛି ବିଜୁଳି ଉତ୍ପାଦନ ସାଙ୍ଗକୁ ଜଳସେଚନ ।

ତାକୁ ତନ୍ନ ତନ୍ନ ପରଖି ଶୀଘ୍ର ପ୍ରତିକାର କରାନଗଲେ ଆଗକୁ ଅସମ୍ଭାଳ ଅବସ୍ଥା ହେବ । ତେଣେ ଏ ପ୍ରସଙ୍ଗରେ ରାଜ୍ୟ ସରକାର ସବୁ ଦୋଷ କେନ୍ଦ୍ର ଓ ଛତିଶଗଡ଼କୁ ଦେଇ ଖସିଯିବାକୁ ବସିଥିବାବେଳେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ ରଖିଛନ୍ତି କଡ଼ା ପ୍ରତିକ୍ରିୟା । ଟୁଡୁ କହିଛନ୍ତି ଯେ, କେନ୍ଦ୍ରକୁ ଦୋଷ ନଦେଇ ଉଭୟ ରାଜ୍ୟ ଅପୋଷ ବୁଝାମଣାରେ ମହାନଦୀ ଜଳ ବିବାଦର ସମାଧାନ କରିବା ଉଚିତ୍ । ଛତିଶଗଡ଼ ନିଜ ସୁବିଧା ଲାଗି ବ୍ୟାରେଜ୍ ପରେ ବ୍ୟାରେଜ ନିର୍ମାଣ କରିଥିଲାବେଳେ ଓଡ଼ିଶା କଣ କରିଛି ଓ କେନ୍ଦ୍ରକୁ ନିଜପାଇଁ କି କି ପ୍ରସ୍ତାବ ଦେଇଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ରାଜନୀତି ଓ ନ୍ୟାୟାଳୟର ଚକ୍ରବ୍ୟୁହ ଭିତରେ ଫସିଥିବା ଓଡ଼ିଶାର ଲାଇଫ୍ ଲାଇନ୍ ବୋଲାଉଥିବା ମହାନଦୀ କେବେ ଫେରିପାଉଛି ନିଜର ପୂର୍ବାବସ୍ଥା । ଏବେ ତାକୁ ରହିଛି ଅପେକ୍ଷା ।