• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ୭୬ ବର୍ଷ ପୂରି ୭୭ ବର୍ଷ ଚାଲିଲା। ୧୯୪୬ ମସିହା ଆଜିର ଦିନରେ ଏହି ବର୍ଷୀଆନ୍‌ ରାଜନେତା ଜନ୍ମଗ୍ରହଣ କରିଥିଲେ। ପାଖାପାଖି ୫୦ ବର୍ଷ ହେବା ପରେ ରାଜନୀତିରେ ସେ ପାଦ ଦେଲେ ସତ  କିନ୍ତୁ ଏବେ ରାଜନୀତିର ସତରଞ୍ଜ ଖେଳରେ ପୋଖତ ଖେଳୁଆଡ଼। ବିରୋଧୀଙ୍କୁ ମାତ୍ ଦେଇ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରି ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଆଉ ଲଗାତର ପାଞ୍ଚ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ନବୀନ ପଟ୍ଟନାୟକ। ତେବେ ନିଜ ଭାବମୂର୍ତ୍ତି ଅତୁଟ ରଖିବା ପାଇଁ ଆଗକୁ ନବୀନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି।

ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା। ଅପରାଜେୟ, ଅପ୍ରତିଦ୍ୱନ୍ଦୀ। କ୍ରମାଗତ ୫ ଥର, ଆଉ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନେତା। ପୱନ ଚାମ୍ଲିଙ୍ଗ ଓ ଜ୍ୟୋତି ବସୁଙ୍କ ପରେ ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ନବୀନ ପଟ୍ଟନାୟକ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା। ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହା ଡିସେମ୍ବର ୨୬ରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ଯାହାର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେବେଠାରୁ ସଫଳତାର ସହ ଆଗକୁ ଆଗକୁ ଚାଲିଛନ୍ତି।

ପ୍ରଥମେ ସାଂସଦ, ପରେ କେନ୍ଦ୍ରମନ୍ତ୍ରୀ ଆଉ ତା’ପରେ ମୁଖ୍ୟମନ୍ତ୍ରୀ। ଦଳ କେବେବି ପରାଜୟର ସାମ୍ନା କରିନି। ପଞ୍ଚାୟତ ହେଉ କି ବିଧାନସଭା କି ଲୋକସଭା ସବୁଥିରେ କାମ କରୁଛି ନବୀନଙ୍କ ଯାଦୁ। ନବୀନ ତାଙ୍କ ରାଜନୈତିକ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ନିର୍ବାଚନ ବୈତରଣୀ ପାର୍‌ ହେଉଛନ୍ତି। ପ୍ରତି ନିର୍ବାଚନରେ ବିରୋଧୀଙ୍କୁ ଚକ୍‌ମା ଦେଇ ବିଜୁ ଜନତା ଦଳ ବିପୁଳ ସିଟ୍ ହାତେଇ ସରକାର ଗଢୁଛି।  

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପ୍ରଥମଥର ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ନବୀନ।  ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଖଣି ବିଭାଗର କ୍ୟାବିନେଟ୍ ପାହ୍ୟା ପାଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରଠୁ ପ୍ରତି ସାଧାରଣ ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠତା ଆଧାରରେ ସରକାର ଗଠନ କରି ଚାଲିଛି। ଆଉ ଅପରାଜେୟ ରହିଛନ୍ତି ନବୀନ।

୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ମଧ୍ୟ ବିଜେଡି ୧୪୭ ବିଧାନସଭା ଆସନରୁ ୧୦୩ ଓ ୨୧ ଲୋକସଭାରୁ ୧୪ଟି ସିଟ୍‌ ଜିତିଥିଲା। ସେହିପରି ୨୦୧୪ରେ ବିଜେଡି ୧୧୭ ବିଧାନସଭା ଓ ୨୦ଟି ଲୋକସଭା ଏବଂ ୨୦୧୯ରେ ୧୧୨ ବିଧାନସଭା ଓ ୧୨ଟି ଲୋକସଭା ସିଟ୍ ଜିତିଥିଲା। ବୟସ ଯେତିକି ବଢୁଛି, ନବୀନ ସେତିକି ପରିପକ୍ୱ ରାଜନେତା ଭାବେ ସଫଳତାର ଶିଖର ଛୁଇଁ ଚାଲିଛନ୍ତି। ଆଗକୁ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ନିଜ ଭାବମୂର୍ତ୍ତି ଓ ସରକାରର ଛବି ଅତୁଟ ରଖିବା, ଶାସନ ବ୍ୟବସ୍ଥାରୁ ଦୁର୍ନୀତି  ହଟାଇବା ଏବଂ ୨୦୨୪ ସାଧାରଣ ନିର୍ବାଚନରେ ସରକାର ଗଠନ ଇତ୍ୟାଦି। ଏସବୁ ଭିତରେ କିଏ ହେବ ନବୀନଙ୍କ ଉତ୍ତରାଧିକାରୀ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ନିଜେ ବିଜେଡି ସୁପ୍ରିମୋ ଏନେଇ ମୁହଁ ଖୋଲିଥିଲେ। ଏକ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଥିଲେ, ଉତ୍ତରାଧିକାରୀ ନେଇ ବିଜେଡିର ନିର୍ଦ୍ଦିଷ୍ଟ ଯୋଜନା ରହିଛି। ଦଳ ଆଗକୁ ଦୀର୍ଘଦିନ ଧରି ଲୋକଙ୍କ ସେବା କରିବ। ନବୀନଙ୍କ ଏହି ଉକ୍ତି ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।