• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟିଏମସି ଭିତରେ ଅନ୍ତର୍କନ୍ଦଳ ବଢ଼ିବାକୁ ନେଇ ଦାନା ବାନ୍ଧୁଛି ଚର୍ଚ୍ଚା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ତଥା ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି । ଦଳ ପକ୍ଷରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଲେ ବି, ଏହି ଫାଟ ଜଳଜଳ ହୋଇ ଦେଖାଯାଉଛି ।

ପଶ୍ଚିମବଙ୍ଗ ଶାସନ ଗାଦିରେ ଥିବା ତୃଣମୂଳ କଂଗ୍ରେସରେ ଦାନା ବାନ୍ଧୁଛିକି ବିଦ୍ରୋହର ଝଡ଼? ପିଉସୀ ମମତା ଓ ପୁତୁରା ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ବଢୁଛି କି ମତାନ୍ତର? ପୌର ନିର୍ବାଚନ ପାଇଁ ଦୁଇଟି ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବାକୁ ନେଇ ସୃଷ୍ଟି ହୋଇଛି କଳ୍ପନାଜଳ୍ପନା । ଦଳ ସଭାପତି ସୁବ୍ରତ ବକ୍ସି ଓ ସାଧାରଣ ସଂପାଦକ ପାର୍ଥ ଚାଟାର୍ଜୀଙ୍କ ହସ୍ତାକ୍ଷର ଥିବା ତାଲିକା ପ୍ରଥମେ ପ୍ରକାଶ ପାଇଥିଲା ତେବେ ପରେ ଦଳର ଟୁଇଟର ହ୍ୟାଣ୍ଡେଲରେ ଆଉ ଏକ ତାଲିକା ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଥିଲା ଦ୍ୱଦ୍ୱ ।

ତୃଣମୂଳ କଂଗ୍ରେସର ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କ ଆଇ-ପ୍ୟାକ୍ ପରାମର୍ଶ ଓ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ତାଲିକା ଜାରି କରାଯାଇଥିବା କୁହାଯାଉଛି । ତେବେ ଦଳୀୟ ଅଧିକାରୀଙ୍କ ହସ୍ତାକ୍ଷର ଥିବା ତାଲିତା ଚୂଡ଼ାନ୍ତ ବୋଲି ମମତା ଘୋଷଣା କରିବାପରେ ରାଜ୍ୟବ୍ୟାପୀ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖାଦେଇଥିଲା । ଅସନ୍ତୋଷ ବିଭିନ୍ନ ସ୍ଥାନରେ ଦଳୀୟ କରି ପ୍ରତିବାଦ ଜଣାଇ ବିକ୍ଷୋଭ ବି କରିଥିଲେ ।

ତେଣେ ଆଇପ୍ୟାକ୍ ମମତାଙ୍କ ଟୁଇଟର ଆକାଉଣ୍ଟକୁ କିଛି ସମୟ ଲାଗି ଅନଫଲୋ କରିବା, ତୃଣମୂଳ ଓ ପ୍ରଶାନ୍ତ କିଶୋରଙ୍କ ଟିମ୍ ମଧ୍ୟରେ ସବୁ ଠିକ୍ ଚାଲିନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ଖାସ୍ କରି ଆଇ-ପ୍ୟାକ୍ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟର ଅପବ୍ୟବହାର କରିଥିବା ଅବିଯୋଗ ଆଣିଥିଲେ ସାଂସଦ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ତେବେ ଆଇ-ପ୍ୟାକ୍ ସହ କୌଣସି ମତଭେଦକୁ ଖଣ୍ଡନ କରିଛନ୍ତି ରାଜ୍ୟସଭା ସାଂସଦ ସୁସ୍ମିତା ଦେବ । ଟିଏମସି ଆଇ-ପ୍ୟାକ୍ ସହଯୋଗରେ ଗୋଆରେ ନିର୍ବାଚନ ଲଢୁଥିବା ସେ ସ୍ପଷ୍ଟ କରିଛନ୍ତି ।

ସେହିପରି ମମତା ବାନାର୍ଜୀ ଓ ପୁତୁରା ଅଭିଷେକଙ୍କ ମଧ୍ୟରେ ମତଭେଦ ଚର୍ଚ୍ଚାକୁ ବି ସେ ଖଣ୍ଡନ କରିଛନ୍ତି । ଦଳ ଅଧ୍ୟକ୍ଷା କାହିଁକି ପଦାଧିକାରୀଙ୍କ ବୈଠକ ଡାକିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ସୋସିଆଲ ମିଡିଆ ସେଲ୍ ମୁଖ୍ୟ ଅମିତ୍ ମାଲବ୍ୟ ଯାହା କହିଲେ ବି ତାର ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଗୋଆରେ ଦଳର ସମ୍ଭାବନାକୁ ଦୁର୍ବଳ କରିବା ଲାଗି ଏହା ବିଜେପିର ମିଥ୍ୟା ପ୍ରଚାର ବୋଲି ଅଭିଯୋଗ କରିଛନ୍ତି ସୁସ୍ମିତା ।

ଟିଏମସି ନେତା ଯାହା କହିଲେ ବି ଦଳରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ସୂଚନା ମିଳୁଛି । ପୁତୁରା ଅଭିଷେକଙ୍କ ଉଚ୍ଚାକାଂକ୍ଷା ଦିଦିଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ଖାସ୍ କରି ପ୍ରଶାନ୍ତ କିଶୋରଙ୍କ ଆଇ-ପ୍ୟାଙ୍କ ୟଙ୍ଗ ବ୍ରିଗେଡଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ କିଛି ବରିଷ୍ଠ ନେତା କ୍ଷୁବ୍ଧ ହୋଇଥିବା କୁହାଯାଉଛି । ପଦବୀ ଲାଗି ଅଭିଷେକଙ୍କ ଆଭିମୁଖ୍ୟରେ ଅନେକ ରାଜି ନାହାନ୍ତି । ତେବେ ଦଳ ଉପରେ ନିଜ କର୍ତ୍ତୃତ୍ୱ ଜାହିର ଲାଗି ମମତା ପୁରୁଣା ଟିମକୁ ଭାଙ୍ଗି ଦେବା ସହ ୨୦ ଜଣିଆ ନୂଆ ଜାତୀୟ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି ।

ତେବେ ଦଳ ଉପରେ ମୁଠା ଟାଣ କରିବାକୁ ଦିଦିଙ୍କ ପ୍ରୟାସ । ପୁତୁରା ଅଭିଷେକ ବାନାର୍ଜୀଙ୍କ ମହତ୍ୱାକାଂକ୍ଷା କାଳେ ତାଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିବ ତାକୁ ନେଇ ତତ୍ପର ହୋଇଛନ୍ତି ମମତା । ଦଳର ଜରୁରୀ ବୈଠକ ଡାକି ୨୦ ଜଣିଆ କାର୍ଯ୍ୟକାରୀ କମିଟି ଗଢିଛନ୍ତି ଦିଦି । ଏଥିରେ ଅମିତ୍ ମିତ୍ର, ପ୍ରାର୍ଥ ଚାଟାର୍ଜୀ, ସୁବ୍ରତ ବକ୍ସି, ସୁଦୀପ ବନ୍ଦୋପାଧ୍ୟାୟ, ଅଭିଷେକ ବାନାର୍ଜୀ, ଅନୁବ୍ରତ ମଣ୍ଡଲ, ଅରୂପ ବିଶ୍ୱାସ, ଫିରହାଦ୍ ହାକିମ୍ ଓ ଯଶବନ୍ତ ସିହ୍ନା ପ୍ରମୁଖ ସ୍ଥାନ ପାଇଛନ୍ତି ଦଳୀୟ ଅଧ୍ୟକ୍ଷା ଅର୍ଥାତ୍ ନିଜ ପଦକୁ ଛାଡି ଦେଲେ ପୁତୁରା ଅଭିଷେକ ସମେତ ଅନ୍ୟ ସମସ୍ତ ପଦବୀଙ୍କୁ ରଦ୍ଦ କରିଦିଆଯାଇଛି । କିଏ କେଉଁ ପଦବୀରେ ରହିବେ ତାହା ଦିଦି ପରେ ଘୋଷଣା କରିବେ ତେବେ ଦଳୀୟ କାର୍ଯ୍ୟ ଦେଖିବା ପାଇଁ ସେ ଏକ ଛୋଟ କମିଟି ଗଠନ କରିଛନ୍ତି ।

ଦଳକୁ ନିୟନ୍ତ୍ରଣରେ ରଖିବା ଲାଗି ଦିଦି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ତେବେ ଦଳର ପୁରୁଖା ନେତା ଓ ଯୁବନେତାଙ୍କ ମଧ୍ୟରେ ମତଭେଦ ତୀବ୍ର ହେଉଥିବା କୁହାଯାଉଛି । ଖାସ୍ କରି ଅଭିଷେକ ବାନାର୍ଜୀ ଓ ତାଙ୍କୁ ସମର୍ଥନ କରୁଥିବା ଯୁବନେତାମାନେ ଜଣେ ନେତା ଗୋଟିଏ ପଦବୀ ସପକ୍ଷରେ ଅଛନ୍ତି । ମାତ୍ର କିଛି ପୁରୁଖା ନେତା ଏହାକୁ ବିରୋଧ କରୁଛନ୍ତି

ସେହିପରି ଦଳ ବାହାରେ ମତ ରଖାଯିବାକୁ ଏମାନେ ଶୃଙ୍ଖଳା ଉଲ୍ଲଂଘନ ଭାବେ ବିବେଚନା କରୁଛନ୍ତି । ଏସବୁ ଘଟଣାବଳୀରୁ ଦିଦିଙ୍କ ଟିଏମସିରେ ସବୁ ସଭୱାଭାବିକ ନଥିବା ସୂଚନା ମିଳୁଛି । ବିଜେପି ଓ କଂଗ୍ରେସ ଅପପ୍ରଚାର ଦ୍ୱାରା ତୃଣମୂଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ତେବେ ଏହା କୁହୁଳୁଥିବା ଅର୍ନ୍ତଦ୍ୱନ୍ଦ୍ୱକୁ ପ୍ରଶମିତ କରିବାରେ କେତେ ସାହାଯ୍ୟ କରୁଛି ତାଉପରେ ନଜର ରହିଛି ।